ସାର୍ବଜନୀନ ସ୍ଥଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଅନୁମତି ମିଳିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଶାହିନ୍‌ବାଗର ମହିଳା , ଶିଶୁ ଏବଂ ବରିଷ୍ଠ ନାଗରିକମାନେ ସାର୍ବଜନୀନ ରାସ୍ତା ବନ୍ଦ କରି ଧାରଣା ଏବଂ ଆନ୍ଦୋ‌ଳନରେ ବସିବା ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଶାହିନ୍‌ବାଗ ଆନ୍ଦୋଳନକାରୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ସହ ରାସ୍ତା ଅବରୋଧ କରିଥିଲେ। ଏହାଦ୍ବାର ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଉକ୍ତ ମାମଲାରେ ଦାଖଲ ହୋଇଥିବା ଏକ ପିଟିସନ୍‌ର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କହିଛନ୍ତି, ଲୋକଙ୍କୁ ସମସ୍ୟାରେ ପକାଇ ସାର୍ବଜନୀନ ସ୍ଥଳରେ ଧାରଣା ଓ ଆନ୍ଦୋଳନ ଗ୍ରହଣୀୟ ନୁହେଁ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାର୍ବଜନୀନ ସ୍ଥଳରେ ଧାରଣା ପ୍ରଦର୍ଶନ ପାଇଁ ଅନୁମତି ମିଳିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଜ‌ଷ୍ଟିସ୍‌ ସଂଜୟ କିଶାନ କୌଲ୍‌ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, କୌଣସି ସାର୍ବଜନୀନ ସ୍ଥଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଖଲରେ କେହି ରଖିପାରିବେ ନାହିଁ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏକ ସାମ୍ବିଧାନିକ ଅଧିକାର କିନ୍ତୁ ଏହି ଅଧିକାର ମଧ୍ୟ ସମ୍ପୂର୍ଣ୍ଣ ନ‌ୁହେଁ। କିଛି ଲୋକ ସାର୍ବଜନୀନ ରାସ୍ତାକୁ ଅବରୋଧ କରିପାରିବେ ନାହିଁ ଏବଂ ସାଧାରଣ ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ। ସେମାନେ ସାଧାରଣ ଲୋକଙ୍କ ପାଇଁ କୌଣସି ପ୍ରକାର ଅସୁବିଧା ସୃଷ୍ଟି କରିବାକୁ ଦିଆଯିବ ନାହିଁ ବୋଲି ଜଷ୍ଟିସ୍‌ କୌଲ୍‌ କହିଛନ୍ତି।

କୋର୍ଟ କହିଛନ୍ତି ସାର୍ବଜନୀନ ସ୍ଥଳଗୁଡ଼ିକୁ ଜବରଦଖଲରୁ ମୁକ୍ତ ରଖିବା ପ୍ରଶାସନର ଦାୟିତ୍ବ। କୋର୍ଟକୁ ଅପେକ୍ଷା ନକରି ସେମାନେ ଏ ଦିଗରେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌। ସାର୍ବଜନୀନ ସ୍ଥଳକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାହା ଦଖଲରେ ରହିବାକୁ ଦିଆଯିବ ନାହିଁ ଏବଂ ନିଧାର୍ଯ୍ୟ ଅଞ୍ଚଳରେ ଆନ୍ଦୋଳନ ହେବା ଉଚିତ୍‌ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଅସନ୍ତୋଷ ପ୍ରକାଶ କରିବା ପାଇଁ ଅନ୍ୟର ଅଧିକାରକୁ ନଷ୍ଟ କରି ସାର୍ବଜନୀନସ୍ଥଳକୁ କେହି କିଭଳି ନିଜ ଦଖଲରେ ରଖିପାରିବ ବୋଲି ମଧ୍ୟ କୋର୍ଟ ପଚାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଇନଜୀବୀ ଅମିତ ଶାହଣୀ ଶାହିନବାଗ୍‌ ଆନ୍ଦୋଳନକୁ ବିରୋଧ କରି ଗତ କିଛି ମାସ ପୂର୍ବେ ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାଖଲ କରିଥିଲେ। ଶାହିନ ବାଗ୍‌ ଆନ୍ଦୋଳନକାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରସଙ୍ଗରେ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ତାଙ୍କ ଆବେଦନରେ ଦର୍ଶାଇଥି‌ଲେ। କରୋନା ମହାମାରୀ ଏବଂ ଦେଶବ୍ୟାପୀ ‌ଲକ୍‌ଡାଉନ୍‌ ଆରମ୍ଭ ହେବାପରେ ପୁଲିସ ଶାହିନ ବାଗ୍‌ ଆନ୍ଦୋଳନକାରୀଙ୍କୁ ହଟାଇଥିଲା।

ସମ୍ବନ୍ଧିତ ଖବର