ଯୋଗୀ ସରକାରଙ୍କ ବୁଲଡୋଜର ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବେଆଇନ ନିର୍ମାଣ ଉଚ୍ଛେଦ ପାଇଁ ଉତ୍ତରପ୍ରଦେଶ ସରକାର ଚଳାଇଥିବା ଅଭିଯାନ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଉପଯୁକ୍ତ ପ୍ରକ୍ରିୟା ପାଳନ କରି ଏହା କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜନୈତିକ ପ୍ରତିଶୋଧ ନେବା ପାଇଁ ଉତ୍ତରପ୍ରଦେଶ ସରକାର ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କ ଘର ଭାଙ୍ଗୁଥିବା ଅଭିଯୋଗ କରି ଜମାଏତ-ଉଲେମା-ଇ-ହିନ୍ଦ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଏହି ମାମଲାର ଶୁଣାଣିକରି ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି । ବେଆଇନ ନିର୍ମାଣ ଉଚ୍ଛେଦ ସଂପର୍କରେ ଆସନ୍ତା ତିନିଦିନ ମଧ୍ୟରେ ଏକ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ ।

ସୂଚନାଯୋଗ୍ୟ ଯେ, ପ୍ରଫେଟ୍ ବୟାନ ବିବାଦକୁ ନେଇ ଉତ୍ତରପ୍ରଦେଶର ପ୍ରୟାଗରାଜ ଓ ଅନ୍ୟ କେତେକ ସ୍ଥାନରେ ହୋଇଥିବା ହିଂସା ପରେ ରାଜ୍ୟ ସରକାର ବେଆଇନ ଉଚ୍ଛେଦ ଅଭିଯାନକୁ ତ୍ବରାନ୍ବିତ କରିଛନ୍ତି । ହିଂସା ଅଭିଯୁକ୍ତମାନଙ୍କ ଘର ଜାଣିଶୁଣି ଭଙ୍ଗାଯାଉଥିବା ଅଭିଯୋଗ କରାଯାଉଛି ।

ଅନ୍ୟପକ୍ଷରେ ହିଂସା ଅଭିଯୁକ୍ତମାନଙ୍କ ସୁରକ୍ଷା ଉପରେ ନଜର ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ଯଦି କିଛି ଅଭିଯୋଗ ଥାଏ ତାହାର ଶୁଣାଣି ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର