ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ବର୍ତମାନ ପାଇଁ ବନ୍ଦ କରିଦେଇଛନ୍ତି। ଅଧିକ କିଛି ଅଭିଯୋଗ ଥିଲେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୁଅ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି। ଏହା କୁସ୍ତିଯୋଦ୍ଧାମାନଙ୍କ ପାଇଁ ଏକ ପ୍ରକାର ଶକ୍ତ ଝଟ୍କା ଭଳି ହୋଇଛି। ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଗୁରୁବାର ଶୁଣାଣି ବେଳେ କହିଛନ୍ତି, ‘୭ ଜଣ କୁସ୍ତିଯୋଦ୍ଧା ନିର୍ଦ୍ଧିଷ୍ଟ ଭାବେ ଯୌନ ନିର୍ଯ୍ୟାତନା ମାମଲାର ପଞ୍ଜୀକରଣ ଏବଂ ଧାରଣାସ୍ଥଳରେ ସୁରକ୍ଷା ଦେବା ଲାଗି ଆବେଦନ କରିଥିଲେ। ଉଭୟର ପ୍ରାର୍ଥନା ବୁଝାସରିଛି। ଅଧିକ କିଛି ମୌଖିକ ଅଭିଯୋଗ ଗ୍ରହଣୀୟ ନୁହେଁ। ଏଥିପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୁଅ କିମ୍ବା ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍କୁ ଜଣାଅ’। ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଏହି ଖଣ୍ଡପୀଠରେ ଅନ୍ୟ ଦୁଇ ବିଚାରପତି ପିଏସ ନରସୀମା ଓ ଜେବି ପର୍ଡିୱାଲା ମଧ୍ୟ ସଦସ୍ୟ ଥିଲେ। ମାମଲା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆମ ପାଇଁ କୌଣସି ଝଟକା ନୁହେଁ। ଆମେ ଏହି ଆଦେଶକୁ ସମ୍ମାନ ଦେଉଛୁ। ଆମ ପାଇଁ ସମସ୍ତ ବିକଳ୍ପ ଖୋଲା ଅଛି। ବରିଷ୍ଠମାନଙ୍କ ସହ ଆଲୋଚନା ପରେ ଆମେ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଧାରଣ କରିବୁ ବୋଲି ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ କହିଛନ୍ତି।
ବ୍ରିଜ୍ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆଣିଥିବା ମହିଳା କୁସ୍ତିଯୋଦ୍ଧା ବୁଧବାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏପ୍ରିଲ ୨୮ ତାରିଖରେ ଦିଲ୍ଲୀ ପୁଲିସ ବ୍ରିଜ୍ଭୂଷଣଙ୍କ ନାମରେ ଦୁଇଟି ଏଫ୍ଆଇଆର୍ ଦାୟର କରିଥିଲା। ଏନେଇ ଦିଲ୍ଲୀ ପୁଲିସ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ସୁପ୍ରିମକୋର୍ଟକୁ ଅବଗତ କରାଇଥିଲେ। ଜଣେ ନାବାଳିକାଙ୍କ ସହ ୪ ଅଭିଯୋଗକାରିଣୀଙ୍କର ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୬୧ ଅନୁଯାୟୀ ଅଭିଯୋଗ ରେକର୍ଡ କରାଯାଇସାରିଛି ବୋଲି ମଧ୍ୟ ଶ୍ରୀ ମେହେଟା ପ୍ରକାଶ କରିଛନ୍ତି। ତେବେ କିଛି ସାକ୍ଷ୍ୟ ପ୍ରମାଣ ମିଳିନଥିବାରୁ ଏଭଳି ଅଭିଯୋଗ ଗୁରୁତ୍ବହୀନ ହୋଇପଡ଼ିଛି। ଜାନୁଆରିରେ ଆନ୍ଦୋଳନ ପରେ କେନ୍ଦ୍ର ସରକାର ତଦନ୍ତ ପାଇଁ ଗଢ଼ିଥିବା ଓଭର୍ସାଇଟ୍ କମିଟିର ରିପୋର୍ଟ ସାଧାରଣରେ ପ୍ରକାଶ ପାଇଁ ମଧ୍ୟ ଆନ୍ଦୋଳନରତ କୁସ୍ତିଯୋଦ୍ଧା ଅନୁରୋଧ କରିଥିଲେ। ୭ କୁସ୍ତିଯୋଦ୍ଧାଙ୍କ ପ୍ରଥମ ଦାବି ଅନୁସାରେ ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଦିଲ୍ଲୀ ପୁଲିସ ୨ଟି ମାମଲା ଦାଏର କରିଛି। ବ୍ରିଜଭୂଷଣ ଇସ୍ତଫା ଦେବା ଓ ଗିରଫ ନ ହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଦୀର୍ଘ ୧୨ ଦିନ ଧରି ଚଳାଇଥିବା ଆନ୍ଦୋଳନକାରୀ କିନ୍ତୁ ଜିଦ୍ ଧରିଛନ୍ତି।