ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା କରି ନ ଥିବାରୁ ଓଡ଼ିଶା ଓ ଅନ୍ୟ ୭ଟି ରାଜ୍ୟ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଗ୍ରାମ ନ୍ୟାୟାଳୟ ସ୍ଥାପନ କରି ନ ଥିବା କାରଣରୁ ସୁପ୍ରିମ୍‌ କୋର୍ଟ ଓଡ଼ିଶା ଏବଂ ଅନ୍ୟ ୭ଟି ରାଜ୍ୟକୁ ଭର୍ତ୍ସନା କରିବା ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।

ଏଥିସହ ଗ୍ରାମ ନ୍ୟାୟାଳୟ ସ୍ଥାପନ ନିମନ୍ତେ ମାସେ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିବାକୁ ସୁପ୍ରିମ୍‌ କୋର୍ଟ ରାଜ୍ୟଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏହି ରାଜ୍ୟଗୁଡ଼ିକ ହେଉଛନ୍ତି: ଓଡ଼ିଶା, ଚଣ୍ଡିଗଡ଼, ଗୁଜରାଟ, ହରିୟାଣା, ପଞ୍ଜାବ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ।

‘ନ୍ୟାସ୍‌ନାଲ୍‌ ଫେଡେରେସନ୍‌ ଅଫ୍‌ ସୋସାଇଟିଜ୍‌ ଫର୍‌ ଲାଷ୍ଟ୍‍ ଜଷ୍ଟିସ୍‌’ ଏବଂ ‘ୟୁନିୟନ୍‌ ଅଫ୍‌ ଇଣ୍ଡିଆ ଆଣ୍ଡ୍‌ ଅଦର୍ସ’ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଏଭଳି ଆଦେଶ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟଙ୍କ ତତ୍ତ୍ୱାବଧାନରେ ‘ଗ୍ରାମ ନ୍ୟାୟାଳୟ’ ଗଠନ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଆଦେଶ ଦେବା ନିମନ୍ତେ ହୋଇଥିବା ଆବେଦନର ଆଜି ଶୁଣାଣି ଚାଲିଥିଲା।

ଘର ପାଖରେ ବିଚାର ବ୍ୟବସ୍ଥା ଯୋଗାଇ ଦେବା ନିମନ୍ତେ ଗ୍ରାମ ନ୍ୟାୟାଳୟ ସ୍ଥାପନ ଲାଗି ୨୦୦୮ରେ ପାର୍ଲାମେଣ୍ଟ୍‌ରେ ଏକ ଆଇନ ପାରିତ ହୋଇଥିଲା। ତେବେ ଏହା ପରେ ରାଜ୍ୟମାନେ  କାଉଣ୍ଟର୍‌ ଆଫିଡାଭିଟ୍‌ ଫାଇଲ୍‌ କରିଛନ୍ତି କି, ନାହିଁ ଆଜି ଜଷ୍ଟିସ୍‌ ରମନଙ୍କ ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ। ଜଣାପଡ଼ିଥିଲା କି  ଗୁଜରାଟ, ହରିୟାଣା ଏବଂ ଓଡ଼ିଶା ଏ ମାମଲାରେ କୌଣସି କାଉଣ୍ଟର୍‌ ଆଫିଡାଭିଟ୍‌ ଫାଇଲ୍‌ କରିନାହାନ୍ତି କି, ଅଦାଲତରେ ପ୍ରତିନିଧିଙ୍କ ଜରିଆ‌ରେ ହାଜର ହୋଇ ନାହାନ୍ତି।

କେରଳ ପକ୍ଷରୁ  ଆଜି ଆଫିଡାଭିଟ୍‌ ଦାଖଲ କରାଯିବାକୁ ଥିବା ବେଳେ ବିହାର ଓ ଝାଡ଼ଖଣ୍ଡ ଗ୍ରାମ ନ୍ୟାୟାଳୟକୁ ଭିନ୍ନ ରୂପେ ଉପସ୍ଥାପନ କରିଥିବାରୁ ତାହା ବିଚାର କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର