ଟ୍ରିବ୍ୟୁନାଲ୍‌ ନିଯୁକ୍ତି ସୁପାରିସରୁ ‘ଫାଇଦା ମୁତାବକ ସଦସ୍ୟ ନେଉଥିବାରୁ’ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଟ୍ରିବ୍ୟୁନାଲ୍‌ ନିଯୁକ୍ତି ନିମନ୍ତେ ସୁପ୍ରିମ୍‌ କୋର୍ଟ ସୁପାରିସ କରୁଥିବା ନାଁରୁ ‘ଫାଇଦା ମୁତାବକ ସଦସ୍ୟ ନେଉଥିବାରୁମ’ ଆଜି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବାସ୍ତବରେ ‘ସର୍ଚ-କମ୍-ସିଲେକ୍ସନ୍‌ କମିଟି’ ଦ୍ବାରା ସୁପାରିସ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ନ ଦେଇ ସରକାର ‘ପ୍ରତୀକ୍ଷା ତାଲିକା’ରୁ ସଦସ୍ୟ ନେଉଛନ୍ତି।

ଅଦାଲତରୁ ଏକାଧିକ ବାର ଆଦେଶ ଯିବା ସତ୍ତ୍ବେ ଦେଶବ୍ୟାପୀ ଟ୍ରିବ୍ୟୁନାଲ୍‌ଗୁଡ଼ିକରେ ଫାଙ୍କା ଥିବା ସଦସ୍ୟ ନିଯୁକ୍ତି କରିବାରେ ସରକାର ବିଫଳ ହୋଇଥିବାରୁ ସୋମବାର ଦିନ ସୁପ୍ରିମ୍ କୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ସଦସ୍ୟ ନିଯୁକ୍ତି ପାଇଁ ସୁପ୍ରିମ୍‌ କୋର୍ଟ ସରକାରଙ୍କୁ ଏକ ସପ୍ତାହ ସମୟ ଦେଇ କହିଥିଲେ, ନିଯୁକ୍ତି ନ କରିପାରିଲେ ସେ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ କରାଯାଉ।

ଏହା ପରେ ବିଳମ୍ବିତ ମଙ୍ଗଳବାରେ ସତ୍ୟପାଠ ଦାଖଲ କରି ୨୦୨୦ରୁ ବିଭିନ୍ନ ଟ୍ରିବ୍ୟୁନାଲ୍‌ରେ ୮୪ଜଣ ସଦସ୍ୟଙ୍କୁ ନିଯୁକ୍ତ କରାଯାଇଥିବା କଥା କେନ୍ଦ୍ର ସରକାର କହିଥିଲେ। ଏବେ ଆଉ କୌଣସି ସୁପାରିସ ସରକାରଙ୍କ ପାଖରେ ନ ଥିବା କଥା ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଥିଲା।

Image Courtesy of India Today

ଆଜି ଏହି ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି କହିଲେ, ମୁଁ ‘ନ୍ୟାସ୍‌ନାଲ୍‌ କମ୍ପାନି ଲ’ ଟ୍ରିବ୍ୟୁନାଲ୍‌’ (ଏନ୍‌ସିଏଲ୍‌ଟି) ନିଯୁକ୍ତି କଥା ଜାଣେ। ଅଧିକ ନାମ ସୁପାରିସ କରାଯାଇଥିଲା। କିନ୍ତୁ, ନିଯୁକ୍ତିରେ ‘ଫାଇଦା ଉଠାଯାଇଛି’। ଏଇଟା କି ପ୍ରକାରର ଚୟନ? ‘ଇନ୍‌କମ୍‌ ଟ୍ୟାକ୍ସ୍‌ ଆପିଲେଟ୍‌ ଟ୍ରିବ୍ୟୁନାଲ୍‌’ (ଆଇଟିଏଟି) ସଦସ୍ୟଙ୍କ କ୍ଷେତ୍ରରେ ମଧ୍ୟ ସେହି ଭଳି କରାଗଲା।

ଏହାର ଜବାବ ଦେବାକୁ ଯାଇ ଆଟର୍ଣ୍ଣି ଜେନେରାଲ୍‌ କେ.କେ. ବେଣୁଗୋପାଳ କହିଲେ, ନିର୍ଦ୍ଦିଷ୍ଟ କେତେକ ସୁପାରିସ ମାନିବା ପାଇଁ ସରକାର ସ୍ବୀକୃତି ପାଇଛନ୍ତି।

ବିଚାରପତି ଏଲ୍‌. ନାଗେଶ୍ବର ରାଓ ପଚାରିଲେ, ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିବା ବେଳେ ସୁପ୍ରିମ୍‌ କୋର୍ଟର ବିଚାରପତିଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଗଠିତ ମନୋନୟନ କମିଟିର ମହତ୍ତ୍ବ ରହିଲା?

ପ୍ରଧାନ ବିଚାରପତି ରମନା କହିଲେ, ଯେଭଳି ଭାବେ ନିଷ୍ପତ୍ତି ଗ୍ରହଣ କରାଯାଉଛି, ସେଥିରେ ଆମେ ଅସନ୍ତୁଷ୍ଟ। ‘ଏନ୍‌ସିଏଲ୍‌ଟି’ ଚୟନ କମିଟିରେ ମୁଁ ମଧ୍ୟ ସଦସ୍ୟ ଥିଲି। ୫୪୪ଜଣ ବ୍ୟକ୍ତିଙ୍କ ସାକ୍ଷାତ୍‌କାର ନେଇ ଆମେ ୧୧ଜଣ ନ୍ୟାୟିକ ସଦସ୍ୟ ଏବଂ ୧୦ଜଣ ବୈଷୟିକ ସଦସ୍ୟ ଦେଇଥିଲୁ। ଏ ସମସ୍ତ ସୁପାରିସରୁ ସରକାର ମାତ୍ର ଅଳ୍ପ କେତେଜଣଙ୍କୁ ନିଯୁକ୍ତ କଲେ। ବାକି ସମସ୍ତେ ପ୍ରତୀକ୍ଷା ତାଲିକାରେ ରହିଲେ।

କେନ୍ଦ୍ରର ଆଭିମୁଖ୍ୟ ବଡ଼ ଦୁଃଖଦାୟକ କହି ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଲେ, ସାକ୍ଷାତ୍‌କାର ନେବା ପାଇଁ ଆମ‌େ ସମଗ୍ର ଦେଶ ଭ୍ରମଣ କଲୁ। ଆମ ସମୟ ନଷ୍ଟ କଲୁ? ସାକ୍ଷାତ୍‌କାର ନେବା ପାଇଁ ସରକାର ଅନୁରୋଧ କରିବାରୁ ଆମେ କୋଭିଡ୍‌ ପରିସ୍ଥିତିରେ ବି ଭ୍ରମଣ କଲୁ।

ସମ୍ବନ୍ଧିତ ଖବର