ନୂପୁରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ: ଜଣକ ବୟାନ ସାରାଦେଶରେ ନିଆଁ ଲଗାଇଲା

ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌, ଦିଲ୍ଲୀ ପୁଲିସକୁ ବି ଭର୍ତ୍ସନା

ନୂଆଦିଲ୍ଲୀ : ପ୍ରଫେଟ୍‌ ବିରୋଧୀ ଟିପ୍ପଣୀ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ନୂପୁର ଏବଂ ତାଙ୍କ ବୟାନ ସମଗ୍ର ଦେଶରେ ନିଆଁ ଲଗାଇଦେଇଛି। ନୂପୁର ଟିଭିରେ ଦେଇଥିବା ଦାୟିତ୍ବହୀନ ଟିପ୍ପଣୀ ପାଇଁ ସମଗ୍ର ଦେଶରେ ଉତ୍ତେଜନା ଲାଗିରହିଛି ଏବଂ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ଉପୁଜିଛି। ଦେଶରେ ଯେଉଁ ସ୍ଥିତି ଲାଗି ରହିଛି ସେଥିପାଇଁ କେବଳ ନୂପୁର ହିଁ ଦାୟୀ। ଯେଉଁଭଳି ଭା‌ବେ ସେ ଉତ୍ତେଜନା ସୃଷ୍ଟି କରିଛନ୍ତି, ସେଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଥିବା ସବୁ ଏତଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାପାଇଁ ସୁପ୍ରିମକୋର୍ଟରେ ନୂପୁର ଏକ ଆବେଦନ କରିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଏପରି ଆବେଦନ କରିଥିଲେ। ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜେବି ପରଦିୱାଲାଙ୍କ ଖଣ୍ଡପୀଠ ନୂପୁରଙ୍କ ଆବେଦନ ଖାରଜ କରିଦେଇଛନ୍ତି। ନୂପୁର ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବାରୁ କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବା ସମୟରେ ଏଭଳି ଟିପ୍ପଣୀ ଦେଇଛନ୍ତି।

ପ୍ରଫେଟ ବିରୋଧୀ ଟିପ୍ପଣୀ ପାଇଁ ନୂପୁରଙ୍କ କ୍ଷମା ପ୍ରାର୍ଥନା ଏବଂ ଟିପ୍ପଣୀ ପ୍ରତ୍ୟାହାର ସଂକ୍ରାନ୍ତରେ ସୁପ୍ରିମକୋର୍ଟ କହିଛନ୍ତି, ନୂପୁର ବହୁତ ବିଳମ୍ବ‌ରେ ତାଙ୍କ ଟିପ୍ପଣୀ ପ୍ରତ୍ୟାହାର କରିଥିଲେ । ବହୁତ ବିଳମ୍ବରେ ମଧ୍ୟ ସେ କ୍ଷମା‌ ମାଗିଥିଲେ ଏବଂ ତାହା ମଧ୍ୟ ସର୍ତ୍ତ ଆଧାରିତ ଥିଲା। ଯଦି ତାଙ୍କ ଧାର୍ମିକ ଟିପ୍ପଣୀ କାହାକୁ କଷ୍ଟ ଦେଇଥାଏ ‌ତେବେ ସେ କ୍ଷମା ମାଗୁଛନ୍ତି ବୋଲି କହିଥିଲେ। ଖଣ୍ଡପୀଠ କହିଛନ୍ତି, ନୂପୁର ଶର୍ମା ତୁରନ୍ତ ଟିଭିକୁ ଆସି ଦେଶବାସୀଙ୍କୁ କ୍ଷମା ମାଗନ୍ତୁ। ଅନ୍ୟପକ୍ଷେ ନୂପୁରଙ୍କ ଟିପ୍ପଣୀକୁ କଦର୍ଥ କରାଯାଇଛି ଏବଂ ଭୁଲ୍‌ ଅର୍ଥରେ ବ୍ୟବହାର କରାଯାଇଛି ବୋଲି ସେ ଦାବି କରିଥିବାରୁ କୋର୍ଟ କହିଛନ୍ତି, ଯଦି ତାଙ୍କ ବିତର୍କକୁ ଭୁଲ୍‌ ଭାବେ ବ୍ୟବହାର କରାଯାଇଛି ତେବେ ସେ ଆଙ୍କରଙ୍କ ବିରୋଧରେ ଏତଲା ରୁଜୁ କରିବା ଉଚିତ୍‌ ଥିଲା।

ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ଦେଶରେ ଏବେ ଯାହା ଘଟୁଛି ସେଥିପାଇଁ ଉକ୍ତ ମହିଳା ହିଁ ଏକମାତ୍ର ଦାୟୀ। ନୂପୁରଙ୍କ ଟିପ୍ପଣୀ ପାଇଁ ଉଦୟପୁର ହତ୍ୟା ହୋଇଛି ବୋଲି ଜଷ୍ଟିସ ପରଦିୱାଲା କହିଛନ୍ତି। କୋର୍ଟ କହିଛନ୍ତି, ନୂପୁର ଶସ୍ତା ପ୍ରଚାର, ରାଜନୈତିକ ଏଜେଣ୍ଡା ପାଇଁ ଏଭଳି ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟ ପଶ୍ଚିମ ଏସିଆ ଏବଂ ମୁସଲିମ ରାଷ୍ଟ୍ର ଗୁଡ଼ିକରେ ଉତ୍ତେଜନା ବଢ଼ାଇଛି। କୋର୍ଟ କହିଛନ୍ତି, ଏଭଳି ଲୋକ ଧାର୍ମିକ ନୁହନ୍ତି କି କୌଣସି ଧର୍ମ ପ୍ରତି ସେମାନଙ୍କର ସମ୍ମାନ ନାହିଁ। କେବଳ ଶସ୍ତା ପ୍ରଚାର ପାଇଁ ଏଭଳି ଟିପ୍ପଣୀ ଦିଆଯାଇଛି।

କୋର୍ଟ ମଧ୍ୟ ଦିଲ୍ଲୀ ପୁଲିସ ଉପରେ ବର୍ଷିଛନ୍ତି। ଉକ୍ତ ଘଟଣାରେ ତଦନ୍ତ କେତେ ବାଟ ଯାଇଛି ଏବଂ ଦିଲ୍ଲୀ ପୁଲିସ ଏଯାବତ୍‌ କ’ଣ କରୁଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, ତାଙ୍କ ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତି ଗିରଫ‌ ହେଲେ କିନ୍ତୁ ଏକାଧିକ ଏତଲା ସତ୍ତ୍ବେ ଦିଲ୍ଲୀ ପୁଲିସ ତାଙ୍କୁ କିଭଳି ଭାବେ ଏଯାବତ ଛୁଇଁନି।

ସମ୍ବନ୍ଧିତ ଖବର