ନୂଆଦିଲ୍ଲୀ: ତାମିଲନାଡ଼ୁ ସରକାର ଏବଂ ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କ ମଧ୍ୟରେ ବହୁଦିନରୁ ଚାଲିଥିବା ବିବାଦର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ଆଜି ଏହି ମାମଲାରେ ଐତିହାସିକ ରାୟ ଦେଇଛନ୍ତି। ତାମିଲନାଡୁ ବିଧାନସଭା ଦ୍ବାରା ପାରିତ ବିଲ୍‌ଗୁଡ଼ିକୁ ଅଟକାଇ ରଖିବା ପ୍ରସଙ୍ଗରେ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟପାଳ ଆର୍‌ଏନ୍ ରବିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟପାଳଙ୍କ ବିଲ୍‌କୁ ପକାଇ ରଖିବା ନିଷ୍ପତ୍ତିକୁ ‘ବେଆଇନ’ ବୋଲି ଘୋଷଣା କରିଛନ୍ତି। ଏଥି ସହ କୌଣସି ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ କୋର୍ଟ ୩ ମାସର ସ୍ପଷ୍ଟ ସାମ୍ବିଧାନିକ ସମୟସୀମା ଧାର୍ଯ୍ୟ କରିଛନ୍ତି। ଏହି ସମୟସୀମା ଭିତରେ ରାଜ୍ୟପାଳମାନେ ରାଜ୍ୟ ବିଧାନସଭାରେ ପାରିତ ବିଲ୍ ଉପରେ ନିଷ୍ପତ୍ତି ନେବା ଆବଶ୍ୟକ। ତା’ ନ ହେଲେ ୩ ମାସ ପରେ ବିଲ୍‌ଗୁଡ଼ିକ ଅନୁମୋଦନ ଲାଭ କରିଥିବା ଧରି ନିଆଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ତାମିଲନାଡ଼ୁ ମାମଲାରେ ଯେଉଁଠାରେ ୧୦ଟି ବିଲ୍ ବିଚାରାଧୀନ ଥିଲା, ଅସାମ୍ବିଧାନିକ ବିଳମ୍ବକୁ ଦୃଷ୍ଟିରେ ରଖି ଏହାକୁ ଅନୁମୋଦନ ମିଳିଛି ବୋଲି ବିବେଚନା କରାଯାଇପାରେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଆଜିର ରାୟ ତାମିଲନାଡ଼ୁ ସରକାରଙ୍କ ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି।

Advertisment

ଅନିର୍ଦ୍ଦିଷ୍ଟ କାଳ ବିଲ୍‌ ପକାଇ ରଖିବା କ୍ଷମତା ରାଜ୍ୟପାଳଙ୍କର ନାହିଁ
ନିଷ୍ପତ୍ତି ପାଇଁ ୩ ମାସ ସମୟସୀମା ଧାର୍ଯ୍ୟ କଲେ
ସବୁ ରାଜ୍ୟ ପାଇଁ ବଡ଼ ବିଜୟ: ଷ୍ଟାଲିନ୍‌

ସର୍ବୋଚ୍ଚ ନ୍ୟାୟାଳୟ ତାମିଲନାଡୁ ରାଜ୍ୟପାଳଙ୍କୁ ସମାଲୋଚନା କରି ତାଙ୍କ ଦୀର୍ଘକାଳର ନିଷ୍କ୍ରିୟତାକୁ ସମ୍ବିଧାନ ଅନୁଯାୟୀ ଅନୁଚିତ ଓ ବେଆଇନ ବୋଲି ଘୋଷଣା କରିଛନ୍ତି। ସୁପ୍ରିମ୍‌କୋର୍ଟ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ରାଜ୍ୟପାଳଙ୍କର ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲ୍ ପକେଇ ରଖିବାର ଅଧିକାର ନାହିଁ ଏବଂ ସେ ସମ୍ବିଧାନର ଧାରା ୨୦୦ରେ ନିର୍ଦ୍ଧାରିତ ଢାଞ୍ଚା ମଧ୍ୟରେ କାର୍ଯ୍ୟ କରିବା ଆବଶ୍ୟକ। ରାଜ୍ୟପାଳ ତିନି ମାସ ମଧ୍ୟରେ କୌଣସି ବିଲ୍‌କୁ ଅନୁମୋଦନ ଦେବା, ଗୃହକୁ ପୁନର୍ବିଚାର ପାଇଁ ଫେରାଇ ଦେବା କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପାଇଁ ନିଷ୍ପତ୍ତି ନେବା ଉଚିତ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। 

ଏପରି ବିରଳ ଘଟଣା ଅଛି ଯେଉଁଠାରେ ରାଜ୍ୟପାଳ ବିବେକ ପ୍ରୟୋଗ କରିପାରିବେ। ଯେପରିକି ଯେତେବେଳେ କୌଣସି ବିଲ୍ ଜନସାଧାରଣଙ୍କୁ କ୍ଷତି ପହଞ୍ଚାଇପାରେ କିମ୍ବା ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ କରିପାରେ। ତେବେ ଧାରା ୨୦୦ ଏପରି ବିବେକକୁ ସୀମିତ କରେ ବୋଲି ଅଦାଲତ କହିଛନ୍ତି। କଠୋର ଭାଷାରେ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ରାଜ୍ୟପାଳମାନେ ଗୃହରେ ପାରିତ ବିଲ୍ ପକାଇ ରଖିପାରିବେ ନାହିଁ। ଯଦି କୌଣସି ବିଲ୍‌କୁ ବିଧାନସଭାକୁ ଫେରାଇ ଦିଆଯାଏ ଏବଂ ବିଧାନସଭାରେ ତାହା ପୁନର୍ବାର ପାରିତ ହୁଏ, ତେବେ ରାଜ୍ୟପାଳଙ୍କୁ ଏହାକୁ ଅନୁମୋଦନ କରିବାକୁ ପଡ଼ିବ। ଥରେ ବିଲ୍ ଫେରାଇ ଦେବା ପରେ ପୁଣି ଥରେ ପାସ୍ ହୋଇ ଆସିଲେ ରାଜ୍ୟପାଳଙ୍କ ପାଖରେ ଆଉ କିଛି ଭିଟୋ କ୍ଷମତା ନାହିଁ। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଏହି ରାୟକୁ ସ୍ୱାଗତ କରିବା ସହ ଏହା କେବଳ ତାମିଲନାଡୁ ପାଇଁ ନୁହେଁ, ବରଂ ସମସ୍ତ ରାଜ୍ୟ ପାଇଁ ଏକ ବଡ଼ ବିଜୟ ବୋଲି କହିଛନ୍ତି।