‘ଆଖିଠରା ଗୀତ’ ପାଇଁ ପ୍ରିୟାଙ୍କ ବିରୋଧରେ ଆଗତ ମାମଲା ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ‘ଆଖିଠରା ଗୀତ’ ପାଇଁ କିଶୋରୀ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିୟର୍‌ଙ୍କ ବିରୋଧରେ ଆଗତ ସମସ୍ତ ଅପରାଧିକ ମାମଲା ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି। ମାଣିକ୍ୟ ମାଲାରାୟ ପୂଓ୍ଵି ଗୀତରେ ପ୍ରିୟାଙ୍କ ଆଖିଠାର ଧର୍ମୀୟ ଭାବନାକୁ ଆଘାତ ଦେଉଛି ବୋଲି କିଛି ମୁସଲମାନ ସଙ୍ଗଠନ ଦାବି କରିଥିଲେ।

ତାଙ୍କ ଏବଂ ତାଙ୍କ ସିନେମା ନିର୍ମାତାଙ୍କ ବିରୋଧରେ ଦାଏର ହୋଇ ଥିବା ସବୁ ମାମଲାକୁ ଖାରଜ କରିବାକୁ ଆବେଦନ କରିଥିବା କିଶୋରୀ ମାଲୟାଲୀୟ ଅଭିନେତ୍ରୀଙ୍କ ଶୁଣାଣି ଜରୁରୀ ଭିତ୍ତିରେ ହେବ ବୋଲି ଗତକାଲି ସୁପ୍ରିମ୍‌ କୋର୍ଟ ରାଜି ହୋଇଥିଲେ।

ନିର୍ମାଣାଧୀନ ମାଲୟାଲୀ ଚଳଚ୍ଚିତ୍ର ‘ଓରୁ ଅଦାର ଲଭ୍‌’ର ‘ମାଣିକ୍ୟ ମାଲାରାୟ ପୂଓ୍ଵି’ ଗୀତରେ ତାଙ୍କର ଭାବପ୍ରକାଶ ଯୋଗୁଁ ଦୁଇ ନିୟୁତ ବ୍ୟକ୍ତିଙ୍କ ମନ ଜିଣିଥିବା ଅଭିନେତ୍ରୀ ସୋମବାର ଦିନ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।


୧୦ ଦିନ ହେବ ସାମାଜିକ ଗଣମାଧ୍ୟମରେ ମୁକ୍ତିଲାଭ କରିଥିବା ‘ଆଖିଠରା’ ଗୀତ ୩୪ ନିୟୁତ ଭିୟୁ ହାସଲ କରିସାରିଲାଣି। କିନ୍ତୁ, ହାଇଦ୍ରାବାଦର ଫଲକନାମା ଥାନାରେ ସେ ଓ ତାଙ୍କ ସିନେମା ନିର୍ମାତାଙ୍କ ବିରୋଧରେ ଏତଲା ଦିଆଯିବା ପରେ ଏହା ଏବେ ୧୮ ବର୍ଷୀୟ ବାଣିଜ୍ୟ ସ୍ନାତକ ଛତ୍ରୀଙ୍କ ପାଇଁ ଦୁଃସ୍ୱପ୍ନ ପାଲଟି ଯାଇଛି। ଏତଲାରେ ଉଲ୍ଲେଖ କରାଯାଇଛି ଯେ ଗୀତଟି ମୁସଲମାନମାନଙ୍କ ଧାର୍ମିକ ଭାବନାକୁ କଷ୍ଟ ଦେଉଛି।

ସେତିକି ନୁହେଁ, ରାଜା ଏକାଡେମିର ସଚିବ ମୁମ୍ବାଇ ଥାନାରେ ଏବଂ ଜନଜାଗରଣ ସମିତି ମହାରାଷ୍ଟ୍ର ଅନ୍ତର୍ଗତ ଔରଙ୍ଗାବାଦର ଜିନ୍‌ସି ଥାନାରେ ଏତଲା ଦିଆଯିବାରୁ ବାଧ୍ୟ ହୋଇ ପ୍ରିୟା ପ୍ରକାଶ ଓ୍ଵାରିଅର୍‌, ନିର୍ଦେଶକ ଓମାର୍‌ ଅବ୍‌ଦୁଲ୍‌ ଏବଂ ପ୍ରଯୋଜକ ଜୋସେଫ୍‌ ଓ୍ଵାଲାକୁଝୀ ଇଆପେନ୍‌ ଓକିଲ ବୀରନ୍‌ଙ୍କ ଜରିଆରେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର