ଜମ୍ମୁ: ଜମ୍ମୁରେ ଥିବା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବାକୁ ପାଦଚଲା ଏବଂ ବ୍ୟାଟେରି ଚାଳିତ କାର୍ ପାଇଁ ନଭେମ୍ବର ୨୪ ତାରିଖ ସୁଦ୍ଧା ଏକ ନୂତନ ରାସ୍ତା ନିର୍ମାଣ ପାଇଁ ମନ୍ଦିର ପ୍ରସାଶନକୁ ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି) ଯେଉଁ ନିର୍ଦ୍ଦେଶ ଦେଇଥିଲେ ତା’ ଉପରେ ସୁପ୍ରିମ୍କୋର୍ଟ ସୋମବାର ରହିତାଦେଶ ଜାରି କରିଛନ୍ତି।
ନଭେମ୍ବର ୨୪ ତାରିଖ ସୁଦ୍ଧା ନୂଆ ରାସ୍ତା ଅସମ୍ଭବ ବୋଲି ଜଣାଇ ମାତା ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡ ପକ୍ଷରୁ ସର୍ବୋଚ୍ଚ ଅଦାଲତକୁ କୁହାଯିବା ପରେ ବିଚାରପତି ଏମ୍ କେ ଲୌକର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଏହି ନିଷ୍ପତ୍ତି ନେଇଛନ୍ତି।
ବୋର୍ଡ ପକ୍ଷରୁ ମକଦ୍ଦମା ଲଢୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତାଗି ଖଣ୍ଡପୀଠଙ୍କୁ କହିଥିଲେ ଯେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଫେବ୍ରୁଆରି ମାସ ଶେଷ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ।
ସେ କୋର୍ଟଙ୍କୁ କହିଥିଲେ ଯେ ମନ୍ଦିରକୁ ଯିବା ପାଇଁ ପୂର୍ବରୁ ମଧ୍ୟ ୨ଟି ଅଧିକ ରାସ୍ତା ରହିଛି। ବୋର୍ଡ ଦ୍ୱାରା ନିର୍ମାଣାଧୀନ ଏହି ରାସ୍ତାଟି ତୃତୀୟ ରାସ୍ତା ହେବ।
ତେବେ, ଏନ୍ଜିଟି ପକ୍ଷରୁ ଏହି ରାସ୍ତା ନିର୍ମାଣ ନିର୍ଦ୍ଦେଶ ବ୍ୟତୀତ ନିକଟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରାଯାଇଥିଲା। ବୈଷ୍ଣୋ ଦେବୀ ମନ୍ଦିରକୁ ଦିନକୁ ସର୍ବାଧିକ ୫୦,୦୦୦ ଭକ୍ତଙ୍କୁ ଦର୍ଶନ ମିଳିବ ବୋଲି ନିକଟରେ କୁହାଯାଇଥିଲା।
ନିର୍ମାଣାଧୀନ ଏହି ତୃତୀୟ ରାସ୍ତା ତିଆରି ହୋଇ ସାରିବା ପରେ ସେହି ରାସ୍ତାରେ ଘୋଡା, ଖଚର ଓ ଗଧ ଆଦିଙ୍କୁ ଯିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି।
ଉଲ୍ଳେଖଯୋଗ୍ୟ, ବୈଷ୍ଣୋ ଦେବୀ ମନ୍ଦିର ଯିବା ବାଟରେ ଘୋଡ଼ା, ଗଧ, ଖଚର ଆଦି ଯିବା ଦ୍ୱାରା ପ୍ରଦୂଷଣ ହେବା ଫଳରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଂକଟ ରହିଛି। ଏହି ସମସ୍ୟାକୁ ଲକ୍ଷ୍ୟ କରି ଅଭିଯୋଗକାରୀ ପାଦଚଲା ଯାତ୍ରୀ ଏବଂ ବ୍ୟାଟେରି ଚାଳିତ କାର୍ ପାଇଁ ଭିନ୍ନ ରାସ୍ତା କରିବାକୁ ଆବେଦନ କରିଥିଲେ।