ନୂଆଦିଲ୍ଲୀ: ୱାକଫ (ସଂଶୋଧନ) ଆଇନକୁ ନେଇ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ। ୱାକଫ (ସଂଶୋଧନ) ଆଇନ ୨୦୨୫ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ରାୟ ଦେବା ସମୟରେ ଆଇନର କିଛି ପ୍ରାବଧାନ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ। ୱାକଫ କରିବା ପାଇଁ ଅତି କମରେ ୫ବର୍ଷ ପାଇଁ ଇସଲାମ ଧର୍ମ ପାଳନ କରିବାର ପ୍ରାବଧାନ ଉପରେ କୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ପ୍ରାବଧାନ ଉପଯୁକ୍ତ ନିୟମ ପ୍ରଣୟନ ନହେବା ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ ନାହିଁ।
ଏହା ବ୍ୟତୀତ, ଧାରା ୩(୭୪) ସହିତ ଜଡିତ ରାଜସ୍ୱ ରେକର୍ଡର ପ୍ରାବଧାନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ବ୍ୟକ୍ତିଙ୍କ ଅଧିକାର ସ୍ଥିର କରିପାରିବେ ନାହିଁ। ଯେପର୍ଯ୍ୟନ୍ତ ନିଯୁକ୍ତ ଅଧିକାରୀଙ୍କ ତଦନ୍ତ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ଯେପର୍ଯ୍ୟନ୍ତ ୱାକଫ ଟ୍ରିବ୍ୟୁନାଲ ଓ ହାଇକୋର୍ଟ ଦ୍ୱାରା ୱାକଫ ସମ୍ପତ୍ତିର ମାଲିକାନା ଉପରେ ନିଷ୍ପତ୍ତି ନିଆଯାଇ ନାହିଁ, ସେପର୍ଯ୍ୟନ୍ତ ୱାକଫକୁ ଏହାର ସମ୍ପତ୍ତିରୁ ବେଦଖଲ କରାଯାଇପାରିବ ନାହିଁ।
ଅନ୍ୟପକ୍ଷରେ କୋର୍ଟ ୱାକଫ ବୋର୍ଡରେ ଅଣ-ମୁସଲିମ ସଦସ୍ୟଙ୍କ ସଂଖ୍ୟାକୁ ମଧ୍ୟ ସୀମିତ କରିଛନ୍ତି। ଏହା ସହ କୋର୍ଟ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଆଇନ ଉପରେ ରୋକ୍ ଲଗାଇବାର କୌଣସି ଆବଶ୍ୟକତା ନାହିଁ। ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି ଯେ, ୱାକଫ ଆଇନର କିଛି ଧାରା ଉପରେ ଅଧିକ ବିବାଦ ହେଉଛି। ଆମେ ପୁରୁଣା ଆଇନ ମଧ୍ୟ ଦେଖିଛୁ। ସମ୍ପୂର୍ଣ୍ଣ ଆଇନ ଉପରେ ସ୍ଥଗିତାଦେଶ ଲଗାଇବାର କୌଣସି ଆବଶ୍ୟକତା ନାହିଁ। କଲେକ୍ଟର ୱାକଫ ଜମି ବିବାଦର ସମାଧାନ କରିପାରିବେ ନାହିଁ। ଏପରି ମାମଲା ଟ୍ରିବ୍ୟୁନାଲକୁ ଯିବା ଉଚିତ। ୱାକଫ ବୋର୍ଡରେ ଅଣ-ମୁସଲିମ ସଦସ୍ୟଙ୍କ ସଂଖ୍ୟା ସୀମିତ କରାଯିବା ଜରୁରୀ। ରାଜ୍ୟ ୱାକଫ ବୋର୍ଡ ଏବଂ କେନ୍ଦ୍ରୀୟ ୱାକଫ ପରିଷଦରେ ଅଣ-ମୁସଲମାନଙ୍କ ସଂଖ୍ୟା ୩ଜଣରୁ ଅଧିକ ହୋଇପାରିବ ନାହିଁ।
ୱାକଫ୍ ମାନେ କ’ଣ?
ୱାକଫ ହେଉଛି ସେହି ସମ୍ପତ୍ତି ଯାହା ଇସଲାମିକ ଆଇନ ଅନୁଯାୟୀ ଧାର୍ମିକ କିମ୍ବା ସାମାଜିକ କାମ ପାଇଁ ଦାନ କରାଯାଏ। ଥରେ କୌଣସି ସମ୍ପତ୍ତି ୱାକଫ ହୋଇଗଲେ, ଏହାକୁ ବିକ୍ରି କରାଯାଇପାରିବ ନାହିଁ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। କୌଣସି ସମ୍ପତ୍ତି ୱାକଫ ହେବା ପରେ ଆଲ୍ଲା ଏହାର ମାଲିକ ହୋଇଯାଆନ୍ତି। ଯେଉଁ ବ୍ୟକ୍ତି ସମ୍ପତ୍ତି ଦାନ କରନ୍ତି ତାଙ୍କୁ 'ୱାକିଫ' କୁହାଯାଏ। ଯେହେତୁ ଆଲ୍ଲା ଆସି ସମ୍ପତ୍ତିର ଦେଖାଶୁଣା କରିପାରିବେ ନାହିଁ, ତେଣୁ 'ମୁତାୱଲ୍ଲୀ' ନାମକ ଜଣେ ପରିଚାଳକଙ୍କୁ ୱାକଫ ସମ୍ପତ୍ତିର ଯତ୍ନ ନେବା ପାଇଁ ନିଯୁକ୍ତ କରାଯାଏ।