କଠୋର ହେଲେ ସୁପ୍ରିମ କୋର୍ଟ, ଦୁଇମାସ ଭିତରେ ଲୋକାୟୁକ୍ତ ନିଯୁକ୍ତ କର

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସରକାର ଆଜି ସୁପ୍ରିମ କୋର୍ଟରେ ଏହା ଜଣାଇଦେଇଛନ୍ତି। ତଥାପି ସୁପ୍ରିମ କୋର୍ଟ ଏଥିରେ ସନ୍ତୁଷ୍ଟ ନୁହନ୍ତି। ଅନ୍ୟପକ୍ଷରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନିର୍ଦେଶ ଦେଇଛନ୍ତି ଯେ ଦୁଇ ମାସ ମଧ୍ୟେରେ ଏହି ପ୍ରକ୍ରିୟା ସଂପନ୍ନ କର। ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦେଶ ରାଜ୍ୟ ସରକାରଙ୍କୁ ଅକଳରେ ପକାଇଦେଇଛି। କାରଣ ଲୋକାୟୁକ୍ତ ନିଯୁକ୍ତି ନିୟମ ସଂକ୍ରାନ୍ତ ଗେଜେଟ୍‌ ପ୍ରକାଶ ପାଇଥିଲେ ମଧ୍ୟ ଏହି ପ୍ରକ୍ରିୟା ଯେ ଦୁଇ ମାସ ମଧ୍ୟରେ ଶେଷ ହୋଇଯିବ, ତାହା କହିବା ଏବେଠାରୁ ମୁସ୍କିଲ। ଏପରିସ୍ଥଳେ କୋର୍ଟଙ୍କ ନିର୍ଦେଶ ସରକାରଙ୍କ ଚିନ୍ତା ବଢାଇ ଦେଇଛି।
ଗତ ଏପ୍ରିଲ ୧୯ ତାରିଖରେ କୋର୍ଟ ଦେଇଥିବା ନିର୍ଦେଶ ଅନୁସାରେ ଲୋକାୟୁକ୍ତ ଗଠନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓକିିଲ ଶିବାଶିଷ ମିଶ୍ର ଆଜି ତିନି ପୃଷ୍ଠାର ସତ୍ୟପାଠ କୋର୍ଟଙ୍କୁ ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସତ୍ୟପାଠ କରି ଏ ସଂପର୍କରେ ସରକାରଙ୍କ ଆଭିମୁଖ୍ୟ କୋର୍ଟଙ୍କୁ ଜଣାଇଛନ୍ତି। ସତ୍ୟପାଠରେ କୁହାଯାଇଛି, କୋର୍ଟଙ୍କ ନିର୍ଦେଶକୁ ରାଜ୍ୟ ସରକାର ସର୍ବୋଚ୍ଚ ସମ୍ମାନ ଦେଉଛନ୍ତି। ଏହି କ୍ରମରେ ଲୋକାୟୁକ୍ତ ଆଇନ, ୨୦୧୪କୁ କାର୍ଯ୍ୟକାରୀ କରିବାକୁ ଯାଇ ଗତ ଜୁନ୍‌ ୨୩ରେ ବିଜ୍ଞପ୍ତି ଜାରି କରାଯାଇଛି। ଆଉ ପାଦେ ଆଗକୁ ଯାଇ ଜୁଲାଇ ୭ ତାରିଖ ଦିନ ଆଇନକୁ କାର୍ଯ୍ୟକାରୀ କରାଯାଇଛି। ଏ ସଂକ୍ରାନ୍ତ ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକାୟୁକ୍ତ ନିୟମ, ୨୦୧୮କୁ ଅନୁମୋଦନ ଦିଆଯାଇଛି। ଯେଉଁଥିରେ ସର୍ଚ୍ଚ କମିଟିର କାର୍ଯ୍ୟକାଳ, ସଦସ୍ୟମାନଙ୍କ ନିଯୁକ୍ତିର ସର୍ତ ତଥା ସଦସ୍ୟଙ୍କ ଫି, ଭତ୍ତା ଆଦି ଧାର୍ଯ୍ୟ ହୋଇଛି। ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଆହୁରି କହିଛନ୍ତି, ଏହି ପ୍ରକ୍ରିୟାରେ ସରକାର ଚୁପ୍‌ ବସି ନାହାନ୍ତି। ଇତିମଧ୍ୟରେ ଓ଼ଡ଼ିଶା ଲୋକାୟୁକ୍ତ ନିୟମ( ସରକାରୀ କର୍ମଚାରୀଙ୍କ ବାର୍ଷିକ ସଂପତ୍ତି ସଂପର୍କିତ ତଥ୍ୟର ବିରରଣୀ) ପ୍ରସ୍ତୁତ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଖୁବ୍‌ଶୀଘ୍ର ରାଜ୍ୟ ସରକାର ଚୟନ କମିଟି ଓ ସର୍ଚ୍ଚ କମିଟି ଗଠନ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବେ ଓ ଲୋକାୟୁକ୍ତଙ୍କୁ ନିଯୁକ୍ତି ଦିଆଯିବ। ସତ୍ୟପାଠ ଦାଖଲ ସମୟରେ ରାଜ୍ୟ ସରକାର କୋର୍ଟଙ୍କ ଏପ୍ରିଲ ୨୦୧୯ ଆଦେଶନାମାରେ (ତ୍ରୁଟି ଥିବା ଅଂଶ) ସଂଶୋଧନ କରିବା ଲାଗି ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ମାମଲାର ଶୁଣାଣି ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଲୋକାୟୁକ୍ତ ନିୟମ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏଥିରେ ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ରହିବେ। ଏହି ତିନିଜଣ ମିଶି ଜଣେ ଚତୁର୍ଥ ସଭ୍ୟଙ୍କ ନାମ ବାଛି ସୁପାରିସ କରିବେ, ଯାହାଙ୍କୁ ରାଜ୍ୟପାଳ ନିଯୁକ୍ତି ଦେବେ। ଏମାନଙ୍କୁ ନେଇ ଚୟନ କମିଟି ଗଠନ ହେବ। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହି କମିଟିର ସଚିବ ଭାବେ କାର୍ଯ୍ୟ କରିବେ। ଏହି କମିଟି ହିଁ ଲୋକାୟୋଗ ଅଧ୍ୟକ୍ଷ ଓ ସଦସ୍ୟ ଚୟନ କରିବେ। ଏହି ପ୍ରକ୍ରିୟାର ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ଚୟନ କମିଟି ଏକ ପାଞ୍ଚଜଣିଆ ସର୍ଚ୍ଚ କମିଟି ବାଛିବେ। ଏହି ସର୍ଚ୍ଚ କମିଟିର କାର୍ଯ୍ୟକାଳ ଦୁଇବର୍ଷ ରହିବ ଓ ସଚିବ ପାହ୍ୟାର ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ଦିଆଯିବ। ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟ ବାଛି ଚୟନ କମିଟି ବିଚାର ପାଇଁ ନାମ ସୁପାରିସ କରିବେ। ଲୋକାୟୁକ୍ତ ଅଧ୍ୟକ୍ଷ ପଦ ପାଇଁ ସର୍ଚ୍ଚ କମିଟି ପାଞ୍ଚ ଜଣଙ୍କ ନାମ ଦେବେ ଓ ୫ଜଣ ସଦସ୍ୟଙ୍କ ପାଇଁ ୩ଟି ଲେଖାଏଁ ନାମ ଦେବେ। ଏହିପରି ୨୦ଟି ନାମ ଉପରେ ହିଁ ଚୟନ କମିଟି ୬ଜଣିଆ ଲୋକାୟୁକ୍ତ ମଣ୍ଡଳୀ ବାଛିବେ। ସୁପାରିସ ହୋଇ ଆସିଥିବା ପାଞ୍ଚଜଣଙ୍କ ନାମ ମଧ୍ୟରୁ ଚୟନ କମିଟି ଜଣଙ୍କୁ ଲୋକାୟୋଗ ଅଧ୍ୟକ୍ଷ ଓ ସଦସ୍ୟ ଭାବେ ଚୟନ କରିବେ। ସେହିପରି ଅନ୍ୟ ୧୫ଜଣଙ୍କ ନାମ ମଧ୍ୟରୁ ୫ଜଣ ସଦସ୍ୟ ବଛାଯିବେ। ଏହି ପ୍ୟାନେଲ୍‌ ଏକ ବର୍ଷ ପାଇଁ ବଳବତ୍ତର ରହିବ। ଯଦି ମଝିରେ କୌଣସି ପଦବି ଖାଲି ପଡିଲା, ତେବେ ଏହି ପ୍ୟାନେଲରୁ ହିଁ ସଦସ୍ୟ ବା ଅଧ୍ୟକ୍ଷଙ୍କୁ ମନୋନୟନ କରାଯିବ।

ସମ୍ବନ୍ଧିତ ଖବର