ନୂଆଦିଲ୍ଲୀ: ଏକ ଐତିହାସିକ ରାୟରେ ଜେଲ୍‌ଗୁଡ଼ିକରେ ଜାତିଭିତ୍ତିକ ଭେଦଭାବକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏଭଳି ପ୍ରଥା ସମ୍ବିଧାନର ଧାରା ୧୫ର ଉଲ୍ଲଂଘନ କରୁଛି, ଯାହା ଧର୍ମ, ଜାତି, ବର୍ଣ୍ଣ, ଲିଙ୍ଗ କିମ୍ବା ଜନ୍ମସ୍ଥାନ ଆଧାରରେ ଭେଦଭାବକୁ ନିଷେଧ କରିଥାଏ। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ସମାଜରେ ଜାତିଭିତ୍ତିକ ଭେଦଭାବ ରହୁଥିବାରୁ ଅଦାଲତ ଏହାକୁ ଦୁଃଖଦାୟକ ବୋଲି କହିଛନ୍ତି। କୋର୍ଟ କହିଛନ୍ତି ସମସ୍ତେ ସମାନ ଭାବରେ ଜନ୍ମ ନେଇଛନ୍ତି; ଜାତିକୁ ନେଇ କୌଣସି ବାଛବିଚାର କରାଯାଇପାରିବ ନାହିଁ। ତିନି ମାସ ମଧ୍ୟରେ ଜେଲ ମାନୁଆଲରେ ସଂଶୋଧନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 
ଖଣ୍ଡପୀଠ କହିଛନ୍ତି ଯେ, ଉଚ୍ଚ ଜାତି ପାଇଁ ରୋଷେଇ କାମକୁ ସଂରକ୍ଷଣ କରିବା ସମୟରେ ଅବହେଳିତ ଜାତିକୁ ସଫେଇ ଓ ଝାଡୁ ମାରିବା ଭଳି ଶ୍ରମମୂଳକ କାର୍ଯ୍ୟ ପ୍ରଦାନ କରିବା ସମ୍ବିଧାନର ଉଲ୍ଲଂଘନ। ଜେଲ୍‌ରେ ସବୁ ଜାତିର କଏଦୀଙ୍କୁ ନିରପେକ୍ଷ ଭାବେ କାମ ବଣ୍ଟନ କରାଯିବା ଉଚିତ।

Advertisment

ଜେଲ୍‌ରେ ଜାତିଭିତ୍ତିକ ଭେଦଭାବ ନିୟମ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ

ଏଥିସହିତ ଦୋଷୀ ଓ ବିଚାରାଧୀନ ରେଜିଷ୍ଟରରେ ଥିବା ଜାତିଗତ ସ୍ତମ୍ଭକୁ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜେଲ୍ ମାନୁଆଲରେ ଅପରାଧୀଙ୍କର ଜାତି ଉଲ୍ଲେଖ ନ କରି ଆଇନଗତ ସଂଜ୍ଞା ରହିବା ଉଚିତ ବୋଲି କୋର୍ଟ କହିଛନ୍ତି। କଏଦୀମାନଙ୍କୁ ସମ୍ମାନ ନ ଦେବା ଔପନିବେଶିକ ବ୍ୟବସ୍ଥାର ଏକ ଅଂଶ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଅଦାଲତ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଅବର୍ଗୀକୃତ ଜନଜାତିର ସଦସ୍ୟମାନଙ୍କୁ ଅଭ୍ୟାସଗତ ଅପରାଧୀ ଗୋଷ୍ଠୀର ସଦସ୍ୟ ଭାବରେ ବିବେଚନା କରାଯାଇପାରିବ ନାହିଁ। ଜାତିଭିତ୍ତିକ ବିଭାଜନକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଜେଲ୍ ନିୟମରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜେଲ୍‌ଗୁଡ଼ିକରେ ଜାତିଭିତ୍ତିକ ଭେଦଭାବକୁ ନେଇ ସାମ୍ବାଦିକ ସୁକନ୍ୟା ଶାନ୍ତଙ୍କ ଆବେଦନର ଶୁଣାଣି ପରେ ଏହି ରାୟ ଆସିଛି।