୧୮ ଅଯୋଗ୍ୟ ଘୋଷିତ ଏଆଇଏଡିଏମ୍‌କେ ବିଧାୟକଙ୍କ ପିଟିସନ୍‌ ଉପରେ ନିଷ୍ପତ୍ତି ନେବାକୁ ଜଷ୍ଟିସ୍‌ ସତ୍ୟନାରାୟଣନ୍‌ଙ୍କୁ ଦାୟିତ୍ୱ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ‘ଏଆଇଏଡିଏମ୍‌କେ’ର ୧୮ ଜଣ ଅଯୋଗ୍ୟ ଘୋଷିତ ଆବେଦନର ଶୁଣାଣି କରି ନିଷ୍ପତ୍ତି ନେବାକୁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ମାଡ୍ରାସ୍‌ ହାଇକୋର୍ଟର ବିଚାରପତି ଏମ୍‌ ସତ୍ୟନାରାୟଣନ୍‌ଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।

ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ଏସ୍‌କେ କୌଲ୍‌ଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ ଅଯୋଗ୍ୟ ଘୋଷିତ କେତେକ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି କରି ଏ ଭଳି ଆଦେଶ ଦେଇଛନ୍ତି। ତାମିଲନାଡୁ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେବା ଘଟଣାକୁ ମାଡ୍ରାସ୍‌ ହାଇକୋର୍ଟରେ ଚାଲେଞ୍ଜ୍‌ କରିଥିବା ବିଧାୟକମାନେ ସେମାନଙ୍କ ପିଟିସନ୍‌ ସୁପ୍ରିମ୍‌ କୋର୍ଟକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଥିଲେ।

ଜୁନ୍‌ ୧୪ ତାରିଖ ଦିନ ମାଡ୍ରାସ୍‌ ହାଇକୋର୍ଟର ଏକ ଉପଖଣ୍ଡପୀଠ ଏହି ପିଟିସନ୍‌ ଉପରେ ବିଭାଜିତ ରାୟ ଶୁଣାଇ ଥିଲେ। ଏହି ରାୟ ତାମିଲିନାଡୁ କ୍ଷମତା କରିଡର୍‌ରେ ସ୍ଥିତାବସ୍ଥା ବଜାୟ ରଖିଥିଲା।

ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ମତପାର୍ଥକ୍ୟ କାରଣରୁ ଆମେ ଜଷ୍ଟିସ୍‌ ଏମ୍‌ ସତ୍ୟନାରାୟଣନ୍‌ଙ୍କୁ ଏହି ମାମଲା ଦେବା ପାଇଁ ଉଚିତ ମଣିଛୁ। ସେ ଏହି ମାମଲାର ଶୁଣାଣି କରିବେ ଓ ନିଷ୍ପତ୍ତି ଗ୍ରହଣ କରିବେ।

ସମ୍ବନ୍ଧିତ ଖବର