ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ କରିବାକୁ ୟୁଜିସି ଜାରିକରିଥିବା ନିର୍ଦ୍ଦେଶ ସଂପର୍କରେ ନିଜର ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଗତ ଜୁଲାଇ ମାସରେ ୟୁଜିସି ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ମାମଲା ରୁଜ୍ଜୁ କରାଯାଇଥିଲା । ଏହି ମାମଲାରେ ଶୁଣାଣି ପୂର୍ବରୁ ହିଁ ଶେଷ ହୋଇଯାଇଥିଲା ।

Advertisment

ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରିବା ସହ ନିଜର ରାୟ ସଂରକ୍ଷିତ ରଖିଥିଲେ । ଏହି ଶୁଣାଣି ବେଳେ ୟୁଜିସି ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ତୁଷାର ମେହେଟ୍ଟା କହିଥିଲେ ଯେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଶେଷବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିପାରିବେ, କିନ୍ତୁ ବିନା ପରୀକ୍ଷାରେ ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ ।

ଗତ ଜୁଲାଇ ୬ରେ ୟୁଜିସି ଏକ ଗାଇଡଲାଇନ ଜାରି କରି କହିଥିଲା ଯେ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଟର୍ମିନାଲ ସେମିଷ୍ଟାର ତଥା ଶେଷବର୍ଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କରାଯାଇ ପାରିବ। ଅଫଲାଇନ(ପେନ୍ ଆଣ୍ଡ ପେପର), ଅନଲାଇନ, ଉଭୟ ଅନଲାଇନ ଓ ଅଫଲାଇନ ମୋଡ୍ରେ ପରୀକ୍ଷା କରିପାରିବେ। ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅସମ୍ପୂର୍ଣ୍ଣ ଥିବ ସେମାନେ ପରୀକ୍ଷା ଦେବା ବାଧ୍ୟତାମୂଳକ। ଯଦି କୌଣସି କାରଣବଶତଃ ଛାତ୍ରଛାତ୍ରୀ ଶେଷ ସେମିଷ୍ଟାର ପରୀକ୍ଷା ଦେଇ ନ ପାରନ୍ତି ସେଭଳି ସ୍ଥିତିରେ ପରବର୍ତୀ ସମୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ।