ନୂଆଦିଲ୍ଲୀ: ହିଜାବ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ଯେଉଁ ଆବେଦନ କରାଯାଇଥିଲା ତାହାର ଶୁଣାଣି ଆଜି କରାଯିବ। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ନିଷେଧାଦେଶକୁ ପ୍ରତ୍ୟାଖ୍ୟାନ କରିବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ୍‌ କରି ଆଜି ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିବେ।

Advertisment

ମୁସ୍‌ଲିମ୍ ଛାତ୍ରୀମାନେ ହିଜାବ ପିନ୍ଧି ସ୍କୁଲ ଯିବା ପ୍ରସଂଗରେ ବହୁ ବାବବିବାଦ ଉପୁଜିବା ପରେ ନିକଟ ଅତୀତରେ ଏହାକୁ ନେଇ ଅନେକ ମାମଲା ରୁଜୁ ହୋଇଛି।

କର୍ଣ୍ଣାଟକ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ୨୦୨୧ ପର୍ଯ୍ୟନ୍ତ କୌଣସି ଝିଅପିଲା ହିଜାବ ପିନ୍ଧି ସ୍କୁଲ ଆସୁ ନ ଥିଲେ। ବିଦ୍ୟାଳୟଗୁଡ଼ିକର ୟୁନିଫର୍ମ ପିନ୍ଧିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା। ଏହାପରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ତରଫରୁ ସୋସିଆଲ ମିଡ଼ିଆରେ ଗୋଟାଏ ଆନ୍ଦୋଳନ ଚାଲିଲା, ଯାହା ଉତ୍ତେଜନା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହି ସଂଗଠନ ଝିଅପିଲାଙ୍କୁ ହିଜାବ ପିନ୍ଧିବା ପାଇଁ ମତେଇଲା। ତେଣୁ ହିଜାବ ପିନ୍ଧିବା ଏକ ସ୍ବତଃସ୍ଫୂର୍ତ୍ତ କାର୍ଯ୍ୟ ନ ଥିଲା, ଏହା ଥିଲା ଏକ ବିରାଟ ଷଡ଼୍‌ଯନ୍ତ୍ରର ଅଂଶ, ପିଲାମ‌ାନେ ଯାହାର ଶିକାର ହୋଇଛନ୍ତି। ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ହାଇକୋର୍ଟଙ୍କ ରାୟରେ ପିଏଫ୍‌ଆଇ ଷଡ଼୍‌ଯନ୍ତ୍ର ପ୍ରସଙ୍ଗ ନାହିଁ, ଏଥିରେ କୁହାଯାଇଛି ଯେ ହିଜାବ ପିନ୍ଧିବା ପରି ଧାର୍ମିକ ଅଭ୍ୟାସ ପାଳନ କରିବା ଦ୍ବାରା ଏକତା ଓ ସମାନତା ବ୍ୟାହତ ହୋଇଥାଏ।