ସମ୍ବିଧାନର ଧାରା ୩୫ (ଏ)ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଆଗତ ମାମାଲାର ଶୁଣାଣି ୨୬ରୁ ୨୮ ପର୍ଯ୍ୟନ୍ତ ହେବ

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୩୫ (ଏ)ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଆଗତ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ବିଚାର ଆସନ୍ତା ୨୬ରୁ ୨୮ ପର୍ଯ୍ୟନ୍ତ ହେବ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ।

ଗତ ଫେବ୍ରୁଆରି ୧୪ ତାରିଖରେ ପୁଲ୍‌ଓ୍ଵାମା ଆତଙ୍କବାଦୀ ହାମ୍‌ଲାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହେବାପରେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୫ (ଏ)କୁ ପ୍ରତ୍ୟାହାର କରିନେବେ ବୋଲି ସବୁ ମହଲରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଛି ଏହି ମାମଲା।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଜମ୍ମୁ- କଶ୍ମୀରକୁ ଭାରତୀୟ ସମ୍ବିଧାନର କେତେକ ଧାରା ବଳରେ କିଛି ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। ତେବେ, ଭାରତୀୟ ସମ୍ବିଧାନ ଆଧାରରେ ପ୍ରଦତ୍ତ ଏହି ସମସ୍ତ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇବାକୁ ସେଇମାନେ ହକ୍‌ଦାର ହେବେ ଯେଉଁମାନେ କି ଜମ୍ମୁ- କଶ୍ମୀରର ସ୍ଥାୟୀ ବାସିନ୍ଦା ହୋଇଥିବେ।

ଏହି ପରିପ୍ରେକ୍ଷୀରେ ସମ୍ବିଧାନର ଧାରା ୩୫ (ଏ)ରେ ଜମ୍ମୁ- କଶ୍ମୀର ବିଧାନସଭାର ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି ଯେ ସେମାନେ ଯାହକୁ ଜମ୍ମୁ- କଶ୍ମୀରର ସ୍ଥାୟୀ ବାସିନ୍ଦା ବୋଲି ଚିହ୍ନଟ କରି ‘ସ୍ଥାୟୀ ବାସିନ୍ଦା’ ପ୍ରମାଣପତ୍ର ପ୍ରଦାନ କରିଥିବେ ସେଇମାନେ ହିଁ କେବଳ ଜମ୍ମୁ- କଶ୍ମୀରର ସ୍ଥାୟୀ ବାସିନ୍ଦା ବୋଲି ବିବେଚିତ ହେବା ସହ ଭାରତୀୟ ସମ୍ବିଧାନ ଆଧାରରେ ପ୍ରଦତ୍ତ ସମସ୍ତ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇବାକୁ ହକ୍‌ଦାର ହେବେ। ସମ୍ବିଧାନରେ ଏହି ୩୫(ଏ) ଧାରାକୁ ବିଗତ ୧୯୫୪ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଏକ ସ୍ୱତନ୍ତ୍ର ଆଦେଶ ବଳରେ ଯୋଡ଼ା ଯାଇଥିଲା।

ତେବେ, ସାଂପ୍ରତିକ ପରିସ୍ଥିତିରେ ସମ୍ବିଧାନର ଏହି ୩୫(ଏ) ଧାରାର ଅପବ୍ୟବହାର କରାଯାଉଛି ବୋଳି ସମ୍ବିଧାନରୁ ଏହି ଧାରାକୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର