ଗୁଜୁରାଟ ଦଙ୍ଗା ମାମଲାରେ ଏସ୍‌ଆଇଟି କିପରି ମୋଦିଙ୍କୁ ‘କ୍ଲିନ୍‌ଚିଟ୍‌’ ଦେଲା, ତାହାର ଅନୁଧ୍ୟାନ କରିବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୨ ଗୁଜୁରାଟ ଗୋଧ୍ରା ଦଙ୍ଗା ମାମଲାର ନଥି ପୁଣିଥରେ ସୁପ୍ରିମ୍‌ କୋର୍ଟରେ ଖୋଲିବା ପାଇଁ ଯାଉଛି। ଏହି ଘଟଣାର ତଦନ୍ତ କରୁଥିବା ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ମାମଲାରେ ଯେପରି ‘କ୍ଲିନ୍‌ଚିଟ୍‌’ ଦେଲେ ତାକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକ ମାମଲାର ଶୁଣାଣି ଆସନ୍ତା ୧୯ ତାରଖ ସୋମବାର ଦିନ ହେବ ବୋଲି ଜାଣିବାକୁ ମିଳିଛି। ଏହି ଦଙ୍ଗାରେ ପ୍ରାଣ ହରାଇଥିବା ପୂର୍ବତନ ସାଂସଦ ଏହେସାନ୍‌ ଜାଫ୍ରିଙ୍କ ବିଧବା ପତ୍ନୀ ଜାକିଆ ଜାଫ୍ରିଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଏହି ମାମଲା ଆଗତ କରାଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୦୨ରେ ଗୁଜୁରାଟରେ ସଂଘଟିତ ହୋଇଥିବା ସାଂପ୍ରଦାୟିକ ଦଙ୍ଗାରେ ଶତାଧିକ ବ୍ୟକ୍ତି ହତ୍ୟାର ଶିକାର ହେବା ସହ ଏହି ଘଟଣା ଦେଶରେ ସୃଷ୍ଟି କରିଥିଲା ଏକ କଳା ଅଧ୍ୟାୟ। ଏହି ଘଟଣା ପାଇଁ ବିଶ୍ୱ ଦରବାରରେ ଭାରତର ଛବି ମଳିନ ପଡ଼ିବା ସହ ଏଥିପାଇଁ ଭାରତକୁ ବହୁ ଭାବରେ ନିନ୍ଦିତ ହେବାକୁ ସୁଦ୍ଧା ପଡ଼ିଥିଲା। ଏହି ଘଟଣା ପାଇଁ ସେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କୁ ସମସ୍ତେ ଦାୟୀ କରିଥିଲେ। ତେବେ, ଏହି ଘଟଣାର ତଦନ୍ତ କରୁଥିବା ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଏହି ମାମଲାରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘କ୍ଲିନ୍‌ଚିଟ୍‌’ ଦେଇଥିଲେ। ମୋଦିଙ୍କୁ ଏସ୍‌ଆଇଟି ‘କ୍ଲିନ୍‌ଚିଟ୍‌’ ଦେବା ଘଟଣାର ବିରୋଧ କରି ଦଙ୍ଗାରେ ପ୍ରାଣ ହରାଇଥିବା ପୂର୍ବତନ ସାଂସଦ ଏହେସାନ୍‌ ଜାଫ୍ରିଙ୍କ ବିଧବା ପତ୍ନୀ ଜାକିଆ ଜାଫ୍ରି ଗୁଜୁରାଟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଗୁଜୁରାଟ ହାଇକୋର୍ଟ ୨୦୧୭ରେ ଏହି ମାମଲାର ଶୁଣାଣି କରି ଏସ୍‌ଆଇଟି ମୋଦିଙ୍କୁ ଦେଇଥିବା ‘କ୍ଲିନ୍‌ଚିଟ୍‌’କୁ କାଏମ୍‌ ରଖିଥିଲେ। ଆବଶ୍ୟ ନରେନ୍ଦ୍ର ମୋଦି ସେତେବେଳକୁ ଦେଶର ପ୍ରଧାନମନ୍ତ୍ରୀ ହୋଇ ସାରିଥିଲେ।

ହେଲେ, ଗୁଜୁରାଟ ହାଇକୋର୍ଟ ଏସ୍‌ଆଇଟି ମୋଦିଙ୍କୁ ଦେଇଥିବା ‘କ୍ଲିନ୍‌ଚିଟ୍‌’କୁ କାଏମ୍‌ ରଖିବା ପରେ ଏହାର ବିରୋଧ କରି ଜାକିଆ ଜାଫ୍ରି ସୁପ୍ରିମ୍‌ କୋର୍ଟରେ ଆଉ ଏକ ମାମଲା ଆଗତ କରିଥିଲେ। ସୁପ୍ରିମ୍‌ କୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏଏମ୍‌ ଖାନ୍‌ଓ୍ଵିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହି ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି କିପରି, କାହା ଆଧାରରରେ ଓ କେଉଁ ପରିସ୍ଥିତିରେ ତାଙ୍କ କ୍ଲୋଜର ରିପୋର୍ଟରେ ମାମଲାରୁ ନରେନ୍ଦ୍ର ମୋଦିଙ୍କ ନାମକୁ ସଂପୂର୍ଣ୍ଣ ରୂପେ ବାଦ ଦେବା ସହ ତାଙ୍କୁ ‘କ୍ଲିନ୍‌ଚିଟ୍‌’ ଦେଲେ ତାହାର ଅନୁଧ୍ୟାନ କରି ଦେଖିବେ ବୋଲି କହିଛନ୍ତି। ଏବଂ ଏହି ମମାଲାର ଶୁଣାଣିକୁ ଆସନ୍ତା ୧୯ ତାରିଖ ସୋମବାରକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର