ଆସନ୍ତାକାଲି ଆଧାର ଆଇନ୍‌ର ବୈଧତାକୁ ଚାଲେଞ୍ଜ୍‌ କରି ଆଗତ ଆବେଦନର ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଆଧାର ଆଇନ୍‌ର ବୈଧତାକୁ ଚାଲେଞ୍ଜ୍‌ କରି ଆଗତ ଏକ ଆବେଦନର ଶୁଣାଣି ଶୁକ୍ରବାର ଅର୍ଥାତ୍‌ ଆସନ୍ତାକାଲି କରିବାକୁ ଗୁରୁବାର ଦିନ ରାଜି ହୋଇଛି ସୁପ୍ରିମ୍‌ କୋର୍ଟ।

ଜଷ୍ଟିସ୍‌ ଜେ ଜେଲାମେଶ୍ୱରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ଆଗରେ ମାମଲା ଉଲ୍ଲେଖ କରାଯାଇଥିଲା ଏବଂ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ତାହା ଉପରେ ଜରୁରୀ ଭିତ୍ତିରେ ଶୁଣାଣି ପାଇଁ ନିବେଦନ କରିଥିଲେ। ସେ ଦର୍ଶାଇ ଥିଲେ ଯେ ଶୁକ୍ରବାର ଦିନ ଶୁଣାଣି ନିମନ୍ତେ ଶୀର୍ଷ ନ୍ୟାୟାଳୟରେ ଏହି ପ୍ରକାରର ମାମଲା ତାଲିକାଭୁକ୍ତ ହୋଇସାରିଛି।

କର୍ଣ୍ଣାଟକର ମାଥ୍ୟୁ ଟୋମାସ୍‌ ଆଧାର କାର୍ଡ ଆଇନ୍‌ର ସାମ୍ବିଧାନିକ ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଦାବି କରିଥିଲେ ଯେ ଏହା ଗୋପନୀୟତା ଅଧିକାର ଉଲ୍ଲଂଘନ କରୁଛି ଏବଂ ବାୟୋମେଟ୍ରିକ୍‌ ମେକାନିଜିମ୍‌ ସୁଚାରୁ ରୂପେ କାର୍ଯ୍ୟ କରୁନାହିଁ।

ଅକ୍ଟୋବର ୩୦ ତାରିଖ ଦିନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଥିଲେ ଯେ ନଭେମ୍ବର ଶେଷ ସପ୍ତାହରେ ଏକ ସାମ୍ବିଧାନିକ ଖଣ୍ଡପୀଠ ଗଠନ କାରାଯାଇ ସେଥିରେ ଆଧାର ସମ୍ପର୍କୀୟ ମାମଲାର ଶୁଣାଣି କରାଯିବ।

ସରକାରଙ୍କ ଦ୍ୱରା ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ଏବଂ ଜନମଙ୍ଗଳକାରୀ ଯୋଜନାର ସବୁଧା ପାଇବା ନିମନ୍ତେ କେନ୍ଦ୍ର ଦ୍ୱାରା ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯିବା ପଦକ୍ଷେପକୁ ଚାଲେଞ୍ଜ୍‌ କରି ସୁପ୍ରମ୍‌ କୋର୍ଟରେ ବହୁ ପିଟିସନ୍‌ ଦାଏର୍‌ କରାଯାଇଛି।

ସମ୍ବିଧାନ ଅନୁସାରେ ଗୋପନୀୟତା ଅଧିକାର ମୌଳିକ ଅଧିକାର ଅନ୍ତର୍ଭୁକ୍ତ ବୋଲି ନିକଟ ଅତୀତରେ ନଅ ବିଚାରପତି ବିଶିଷ୍ଟ ସୁପ୍ରିମ୍‌ କୋର୍ଟଙ୍କର ଏକ ଖଣ୍ଡପୀଠ ଘୋଷଣା କରିଥିଲେ। ଆଧାର ଗୋପନୀୟତା ଅଧିକାର ଉଲ୍ଲଂଘନ କରୁଥିବା ଦାବି କରି ବହୁ ଆବେଦନକାରୀ ତା’ର ବୈଧ୍ୟତାକୁ ଚାଲେଞ୍ଜ୍‌ କରିଛନ୍ତି।

ସମ୍ବନ୍ଧିତ ଖବର