ନୂଆଦିଲ୍ଲୀ: ମାର୍ଚ ୨୦ ତାରିଖରେ ଅନୁସୂଚୀତ ଜାତି/ଜନଜାତି ସମ୍ବନ୍ଧରେ ସୁପ୍ରିମ୍ କୋର୍ଟ ଦେଇ ଥିବା ନିଜ ରାୟର ସମୀକ୍ଷା କରିବାକୁ ଶୁକ୍ରବାର ଦିନ ରାଜି ହୋଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଆବେଦନ କରିଥିଲେ। ସୁପ୍ରିମ୍ କୋର୍ଟଙ୍କ ମାର୍ଚ ୨୦ ରାୟ ଅନୁସୂଚୀତ ଜାତି/ଜନଜାତି ଆଇନ୍ରେ ଥିବା ବାଧ୍ୟତାମୂଳକ ଗିରଫଦାରି ବ୍ୟବସ୍ଥାରେ ସଂଶୋଧନ କରିବାକୁ ଚାହିଁଥିଲେ।
ଏହି ରାୟ ଯୋଗୁଁ ଦେଶବ୍ୟାପୀ ଦଳିତ ଏବଂ ଜନଜାତି ସମ୍ପ୍ରଦାୟମାନେ ଆନ୍ଦୋଳନ କରିବାରୁ କେତେକ ଜୀବନ ହାନି ଘଟିଥିଲା। ସମୀକ୍ଷା ପାଇଁ କରାଯାଇଥିବା ଆବେଦନରେ କେନ୍ଦ୍ର ସରକାର କହିଛନ୍ତି ଯେ ଜଷ୍ଟିସ୍ ଏକେ ଗୋଏଲ୍ ଏବଂ ୟୁ ୟୁ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଇନ୍ର ଦୁରୁପଯୋଗ ହେଉଥିବା ଦର୍ଶାଇ ଏହାର ସଂଶୋଧନ ଚାହିଁଛନ୍ତି। ଏହା କେତେକାଂଶରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି।
ଜଷ୍ଟିସ୍ ଗୋଏଲ୍ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମ୍ମୁଖରେ ହାଜର ହୋଇ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କହିଲେ ଏହି ମାମଲରେ କେନ୍ଦ୍ର ସରକାର ଲିଖିତ ଆକାରରେ ଆବେଦନ ଦାଖଲ କରିଛି ଏବଂ ଏବେ ଏହା ବିଚାର ପାଇଁ ଉପଯୁକ୍ତ। ଜରୁରୀ ଭିତ୍ତିରେ ଏହାର ଶୁଣାଣି ପାଇଁ ଖଣ୍ଡପୀଠ ରାଜି ହେବା ସହ ମେ ୩ ତାରିଖକୁ ଏଥିପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଆଟର୍ଣ୍ଣି ଜେନେରାଲ୍ ଅଦାଲତଙ୍କୁ ସୂଚାଇ ଦେଇଛନ୍ତି କି, ମାର୍ଚ ୨୦ ରାୟର ସମୀକ୍ଷା କରିବା ପାଇଁ ଚାରିଟି ରାଜ୍ୟ ପୃଥକ୍ ଭାବେ ଆବେଦନ କରିଛନ୍ତି।