ନୂଆଦିଲ୍ଲୀ : ‘ଆତ୍ମସମ୍ମାନ ସହ ମରିବାର ଅଧିକାର’କୁ ଯଦି ସ୍ବୀକୃତି ରହିଛି ତେବେ ଚିକିତ୍ସା ବା ଲାଇଫ୍ ସପୋର୍ଟ ହଟାଇବା ନେଇ ଏକ ‘ଆଡଭାନ୍ସ ମେଡିକାଲ ଡାଇରେକ୍ଟିଭ୍’ ଜାରି କରିବା ନେଇ ରୋଗୀମାନଙ୍କର ଅଧିକାର କାହିଁକି ନ ରହିବ? ଏ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟର ସମ୍ବିଧାନ ବେଞ୍ଚ ବିଚାର କରୁଛନ୍ତି।

Advertisment

ବୁଧବାର ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ସେମାନେ ପାସିଭ୍ ୟୁଥାନାସିଆ (ଇଚ୍ଛାମୃତ୍ୟୁ) ଉପରେ ୨୦୧୮ ରାୟର ସମୀକ୍ଷା କରିବେ ନାହିଁ, ସେମାନେ କେବଳ ଏହା ଉପରେ ସଂଶୋଧିତ ମାର୍ଗଦର୍ଶିକା ଜାରି କରିବେ।

ଯେଉଁ ରୋଗୀମାନେ ଜୀବନର ଶେଷ ସୋପାନରେ ପହଞ୍ଚିଛନ୍ତି, କେବଳ କଷ୍ଟ ଭୋଗିବା ଛଡ଼ା ଆଉ ଭଲ ହେବାର ସମ୍ଭାବନା ନାହିଁ ଏବଂ ଯେଉଁମାନେ କୋମାରେ ଅଛନ୍ତି, ସେମାନଙ୍କ ଚିକିତ୍ସା ବନ୍ଦ କରିବା ବା ଲାଇଫ୍‌ ସପୋର୍ଟ ହଟାଇବା ଲାଗି ‘ଆଡଭାନ୍ସ ଡାଇରେକ୍ଟିଭ୍‌ସ’ (ଅଗ୍ରିମ ନିର୍ଦ୍ଦେଶାବଳି) ପ୍ରକ୍ରିୟାକୁ ସହଜ କରିବା ନିମନ୍ତେ କୋର୍ଟ ବିଚାର କରୁଛନ୍ତି।

୨୦୧୮ ମାର୍ଚ୍ଚ ୯ ତାରିଖରେ ବହୁ ପ୍ରତୀକ୍ଷିତ ଇଚ୍ଛା ମୃତ୍ୟୁ ପ୍ରସଙ୍ଗରେ  ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରଦାନ କରିଥିଲେ। ଜଣଙ୍କର ସମ୍ମାନର ସହ ମରିବାର ଅଧିକାର ରହିଛି ବୋଲି ଟିପ୍ପଣୀ କରି ସର୍ବୋଚ୍ଚ ଅଦାଲତ ଇଚ୍ଛାମୃତ୍ୟୁକୁ ଅନୁମତି ପ୍ରଦାନ କରିଥିଲେ। ଏଥି ସହିତ ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ନିସ୍ତେଜ ଅବସ୍ଥାରେ ପଡ଼ି ରହିଥିବା ଏବଂ କୃତ୍ରିମ ଜୀବନ ସହାୟକ ପ୍ରଣାଳୀ ଲୋଡୁଥିବା ରୋଗୀର ବଞ୍ଚିବାର ଇଚ୍ଛା(ଲିଭିଂ ଓ୍ଵିଲ୍‌) ପାଇଁ ମଧ୍ୟ ନୀତିନିୟମ ନିର୍ଦ୍ଧାରଣ କରିଥିଲେ । ତେବେ ଏଭଳି ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଅନୁମତି କେଉଁ ପରିସ୍ଥିତିରେ ପ୍ରଦାନ କରାଯିବ ସେ ସମ୍ପର୍କରେ ଅଦାଲତ ସ୍ପଷ୍ଟ କରିବା ସହ ଏ ସଂକ୍ରାନ୍ତରେ ନିୟମାବଳୀ ସଂସଦରେ ପାରିତ ହେବା ପର୍ଯ୍ୟନ୍ତ  ଅଦାଲତଙ୍କ ଦ୍ୱାରା ନିର୍ଦ୍ଧାରିତ ନୀତିନିୟମ ସକ୍ରିୟ ରହିବ ବୋଲି କହିଥିଲେ।