ପଞ୍ଜାବର ପଠାନ୍‌କୋଟ୍‌କୁ ସ୍ଥାନାନ୍ତର ହେଲା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି, ସିବିଆଇ ତଦନ୍ତକୁ ମନାକଲେ ସୁପ୍ରିମ୍‌ କୋର୍ଟ

ପଠାନ୍‌କୋଟ୍‌ ଜିଲ୍ଲା ଦୌରା ଜଜ୍‌ଙ୍କ ଅଦାଲତରେ ଜୁଲାଇ ୯ରୁ ଦୈନନ୍ଦିନ ଭିତ୍ତିରେ ହେବ ଏହି ମାମଲାର ରୁଦ୍ଧଦ୍ୱାର ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣିକୁ ସୁପ୍ରିମ୍‌ କୋର୍ଟ ଆଜି (ସୋମବାର) ପଞ୍ଜାବର ପଠାନ୍‌କୋଟ୍‌କୁ ସ୍ଥାନାନ୍ତର କରିଛନ୍ତି। ଏଥିସହିତ ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରାଯିବା ପାଇଁ ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି।

ଏଥିସହ ପଠାନ୍‌କୋଟ୍‌ ଜିଲ୍ଲା ଦୌରା ଜଜ୍‌ଙ୍କ ଅଦାଲତରେ ଏହି ମାମଲାର ରୁଦ୍ଧଦ୍ୱାର ଶୁଣାଣି ଆସନ୍ତା ଜୁଲାଇ ୯ ତାରିଖ ଠାରୁ ଦୈନନ୍ଦିନ ଭିତ୍ତିରେ କରିବାକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଠାନ୍‌କୋଟ୍‌ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ଏହି ମାମଲାରେ ଶୁଣାଣି ପାଇଁ ସରକାରୀ ଓକିଲ (ପବ୍ଲିକ୍‌ ପ୍ରସିିକୁ୍ୟୁଟର) ନିଯୁକ୍ତ କରିବାକୁ ମଧ୍ୟ ଜମ୍ମୁ- କଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ମାମଲାରେ ପୀଡ଼ିତାଙ୍କ ପରିବାର, ପୀଡ଼ିତାଙ୍କ ଓକିଲ ଓ ଘଟଣାର ସମସ୍ତ ସାକ୍ଷୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଳାର ଶୁଣାଣିକୁ ପଠାନ୍‌କୋଟ୍‌କୁ ସ୍ଥାନାନ୍ତର କରିବା ପୂର୍ବରୁ ସୁପ୍ରିମ୍‌ କୋର୍ଟ ଉଧାମ୍‌ପୁର, ଜମ୍ମୁ, ରମ୍ବାନା ଓ ଶାମ୍ବା ପ୍ରଭୃତି ଜିଲ୍ଲାର ଜିଲ୍ଲା ଦୌରାଜଜ୍‌ଙ୍କ ନିକଟକୁ ଏହି ମାମଲାକୁ ସ୍ଥନାନ୍ତର କରିବାକୁ ବିଚାର କରୁଥିଲେ। ହେଲେ, ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ରମ୍ବାନା ବ୍ୟତୀତ ଅନ୍ୟ କେଉଁ ଜିଲ୍ଲାକୁ ଏହି ମାମଲାର ସ୍ଥାନାନ୍ତର ମଞ୍ଜୁର ନଥିଲା। କିନ୍ତୁ, ଏହି ମାମଲାର ରମ୍ବାନାରେ ଶୁଣାଣିକୁ ଅଭିଯୁକ୍ତମାନେ ବିରୋଧ କରିଥିଲେ। ଶେଷରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମ୍‌ କୋର୍ଟ ଏହି ମାମଲାର ଶୁଣାଣିକୁ ପଞ୍ଜାବର ପଠାନ୍‌କୋଟ୍‌କୁ ସ୍ଥାନାନ୍ତର କରିଥିଲେ।


ଏଥିସହ ସୁପ୍ରିମ୍‌ କୋର୍ଟ ପଠାନକୋଟର ଜିଲ୍ଲା ଦୌରା ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଇ ନିଜେ ଉପସ୍ଥିତ ରହି ଏହି ମାମଲାର ଶୁଣାଣି କରିବାକୁ ଏବଂ ଏହି ମାମଲାର ଶୁଣାଣିକୁ କୌଣସି ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ହାତରେ ନ ଦେବାକୁ ସ୍ପଷ୍ଟ ଭାବେ କହିଛନ୍ତି। ଏଥିସହ ସୁପ୍ରିମ୍‌ କୋର୍ଟ ନିୟମିତ ବ୍ୟବଧାନରେ ମଧ୍ୟ ଏହି ମାମଲା ଶୁଣାଣିର ତଦାରଖ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର