ଏସ୍‌ସି/ଏସ୍‌ଟି ଆଇନରେ ସଂଶୋଧନ କାଏମ୍‌ ରହିଲା

ପ୍ରାଥମିକ ବିଶ୍ବାସଯୋଗ୍ୟ ଅବଧାରଣା ନ ଥିଲେ ଆଗୁଆ ଜାମିନ ଦେଇପାରିବେ କୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ ଏସ୍‌ସି, ଏସ୍‌ଟି (ନିର୍ଯାତନା ନିରୋଧ) ସଂଶୋଧନ ଆଇନ ୨୦୧୮କୁ ସୁପ୍ରିମ୍ କୋର୍ଟ ଆଜି କାଏମ୍ ରଖିଛନ୍ତି। ସୁପ୍ରିମ କୋର୍ଟ ୨୦୧୮ ମାର୍ଚ୍ଚ ୨୦ ତାରିଖରେ ଦେଇଥିବା ରାୟକୁ ଅକାମୀ କରିବା ପାଇଁ ସଂସଦ ଯେଉଁ ଆଇନ ପ୍ରଣୟନ କରିଥିଲେ ତାହା ବଳବତ୍ତର ରହିବ ବୋଲି ସର୍ବୋଚ୍ଚ ଅଦାଲତ ଆଜି ସ୍ପଷ୍ଟ କରିଦେଇଛନ୍ତି। ସଂଶୋଧିତ ଆଇନର ବୈଧତାକୁ ଚାଲେଞ୍ଜ କରି ଆଗତ ଅନେକ ଜନସ୍ବାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି। ତେବେ କୋର୍ଟ କହିଛନ୍ତି ଯେ ଅଭିଯୋଗରେ ପ୍ରାଥମିକ ବିଶ୍ବାସଯୋଗ୍ୟ ଅବଧାରଣା (ପ୍ରାଇମା ଫେସି) ନ ଥିଲେ କୋର୍ଟ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ଦେଇପାରିବେ। ଏସ୍‌ସି/ଏସ୍‌ଟି ଆଇନ ଅଧୀନରେ କାହାରି ବିରୋଧରେ ଏଫଆଇଆର୍ ଦାଖଲ କରିବା ପୂର୍ବରୁ ‘ପ୍ରାରମ୍ଭିକ ତଦନ୍ତ’ର ଆବଶ୍ୟକତା ନାହିଁ। କିନ୍ତୁ ପ୍ରମାଣଯୋଗ୍ୟ ତଥ୍ୟ ନଥିଲେ କୋର୍ଟ ଏହି ଏଫଆଇଆରକୁ ରଦ୍ଦ ମଧ୍ୟ କରିପାରିବେ।

ସୂଚନାଯୋଗ୍ୟ ଯେ ସୁପ୍ରିମ କୋର୍ଟ ୨୦୧୮ ମସିହାରେ ଦେଇଥିବା ରାୟରେ ଦଳିତମାନଙ୍କ ସୁରକ୍ଷା ଲାଗି ରହିଥିବା ଆଇନକୁ କୋହଳ କରାଯାଇଥିବା ଅଭିଯୋଗ ହୋଇଥିଲା। ଏସ୍‌ସି/ଏସ୍‌ଟି ଆଇନ ଅଧୀନରେ କାହାରି ବିରୋଧରେ ଏଫଆଇଆର୍ ଦାଖଲ କରିବା ପୂର୍ବରୁ ‘ପ୍ରାରମ୍ଭିକ ତଦନ୍ତ’ର ଆବଶ୍ୟକତା ରହିଛି ବୋଲି କୋର୍ଟ ତାଙ୍କ ରାୟରେ ପୂର୍ବରୁ ଦର୍ଶାଇଥିଲେ। ପ୍ରାରମ୍ଭିକ ତଦନ୍ତ କରା ନଯାଇ ଗିରଫ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। ଏସ୍‌ସି ଏବଂ ଏସ୍‌ଟି (ନିର୍ଯାତନା ନିରୋଧ) ଆଇନ ୧୯୮୯ର ଦୁରୁପଯୋଗ ହେଉଥିବା କାରଣରୁ ସୁପ୍ରିମ କୋର୍ଟ ୨୦୧୮ ମାର୍ଚ୍ଚ ୨୦ରେ ଏପରି ରାୟ ଦେଇଥିଲେ।

କିନ୍ତୁ ସୁପ୍ରିମ୍ କୋର୍ଟଙ୍କ ଏହି ରାୟ ବିରୋଧରେ ଏସ୍‌ସି/ଏସଟି ବର୍ଗର ଲୋକ ଦେଶବ୍ୟାପୀ ଆନ୍ଦୋଳନ କରିଥିଲେ। ଏଥିଯୋଗୁଁ ଦେଶବ୍ୟାପୀ ଧର୍ମଘଟ ଏବଂ ହିଂସା ଦେଖିବାକୁ ମିଳିଥିଲା।

ଆନ୍ଦୋଳନ ଏବଂ ହିଂସା ପରେ ମୋଦୀ ସରକାର ଏହି ଆଇନରେ ସଂଶୋଧନ ଆଣିଥିଲେ। ମୂଳ ଆଇନରେ ରହିଥିବା ବ୍ୟବସ୍ଥା ବଳବତ୍ତର ରହିବ ବୋଲି ସଂଶୋଧିତ ଆଇନରେ ବ୍ୟବସ୍ଥା କରାଯାଇଥିଲା। ୨୦୧୮ ମସିହାରେ ସଂଶୋଧିତ ହୋଇଥିବା ଏହି ଆଇନର ସାମ୍ବିଧାନିକ ବୈଧତାକୁ ସୁପ୍ରିମ୍‌ କୋର୍ଟ ବଳବତ୍ତର ରଖିଛନ୍ତି। ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବେଞ୍ଚ ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି। ଏହି ବେଞ୍ଚରେ ବିଚାରପତି ବୀନିତ ସରଣ ଏବଂ ବିଚାରପତି ରବୀନ୍ଦ୍ର ଭଟ୍ଟ ଅନ୍ୟତମ ସଭ୍ୟ ଅଚନ୍ତି। ସରକାରଙ୍କ ଏହି ଆଇନ ସଂଶୋଧନକୁ ବିରୋଧ କରି ହୋଇଥିବା ଆବେଦନକୁ ବେଞ୍ଚ ଖାରଜ କରିଦେଇଛନ୍ତି। ଫଳରେ ଏସ୍‌ସି/ଏସ୍‌ଟି ବର୍ଗର ଲୋକଙ୍କ ବିରୋଧରେ କେହି ଅତ୍ୟାଚାର କରିବା ଅଭିଯୋଗ ମିଳିବା ମାତ୍ରେ ସଂପୃକ୍ତ ବ୍ୟକ୍ତି ବିରୋଧରେ ତୁରନ୍ତ ଏଫଆଇଆର ରୁଜୁ ସହିତ ଗିରଫଦାରୀ ହୋଇପାରିବ ବୋଲି ସ୍ପଷ୍ଟ ହୋଇଯାଇଛି। ବିଚାରପତି ଶ୍ରୀ ମିଶ୍ର ଏହି ମାମଲାର ଶୁଣାଣି ବେଳେ ଟିପ୍ପଣୀ ଦେଇଥିଲେ ଯେ ଏଫଆଇଆର ରୁଜୁ ହେବା ପୂର୍ବରୁ ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ। ସେହିଭଳି ଏଫଆଇଆର ରୁଜୁ ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହମତି ମଧ୍ୟ ଜରୁରୀ ନୁହେଁ ମଧ୍ୟ କୁହାଯାଇଛି।

ସୁପ୍ରିମ୍ କୋର୍ଟଙ୍କ ପୂର୍ବ ରାୟରେ କ’ଣ ଥିଲା?
ଏସସି/ଏସଟି ବର୍ଗର ଲୋକଙ୍କ ବିରୋଧରେ ଯେଉଁମାନେ ଆକ୍ରମଣ କରିବା ନେଇ ମାମଲା ହେଉଛି ସେମାନଙ୍କୁ ଆଗୁଆ ଜାମିନ ମିଳିବ ବୋଲି ସୁପ୍ରିମ୍ କୋର୍ଟ ୨୦୧୮ ମସିହା ମାର୍ଚ୍ଚ ୨୦ ତାରିଖରେ ଦେଇଥିବା ରାୟରେ କହିଥିଲେ। କିନ୍ତୁ ୧୯୮୯ ମସିହାରେ ପ୍ରସ୍ତୁତ ଏସଂକ୍ରାନ୍ତ ମୂଳ ଆଇନରେ ଆଗୁଆ ଜାମିନ ବ୍ୟବସ୍ଥା ନଥିଲା। ସୁପ୍ରିମ କୋର୍ଟଙ୍କ ଏହି ରାୟ ଆସିବା ପରେ ଦେଶରେ ଏସସି/ଏସଟି ବର୍ଗର ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ପ୍ରବଳ ଜଳାପୋଡ଼ା ସହିତ ହିଂସା ହୋଇଥିଲା। ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ଏହାପରେ ସରକାର ସୁପ୍ରିମ କୋର୍ଟଙ୍କ ଏହି ରାୟ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ କରିବା ସହିତ ଆଇନରେ ସଂଶୋଧନ ଆଣିଥିଲେ। ୨୦୧୮ ମସିହାର ଆଇନ ସଂଶୋଧନକୁ ବିରୋଧ କରି ଏକାଧିକ ଆବେଦନ ସୁପ୍ରିମ କୋର୍ଟରେ କରାଯାଇଥିଲା। ଆଇନଜୀବୀ ପୃ୍ଥ୍ବୀରାଜ ଚୌହାନ ମୁଖ୍ୟ ଆବେଦନ କରିଥିଲେ। ସେ ଆଇନରେ କରାଯାଇଥିବା ସଂଶୋଧନକୁ ଭୟଙ୍କର ତ୍ରୁଟି ବୋଲି ଯୁକ୍ତି ବାଢ଼ିବା ସହିତ ଏହା ସମାନତା ଏବଂ ବ୍ୟକ୍ତିଗତ ସ୍ବାଧୀନତା ‌ଭଳି ଲୋକଙ୍କର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି କହିଥିଲେ। ଏହା ସତ୍ତ୍ବେ ସୁପ୍ରିମ କୋର୍ଟ ଏହି ଆଇନ ସଂଶୋଧନ ଉପରେ ରହିତାଦେଶ ଦେଇ ନାହାନ୍ତି। ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଯୁକ୍ତି ଦର୍ଶାଯାଇଥିଲା ଯେ, ଏସସି/ଏସଟି ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଆଇନ ରହିଥିଲେ ମଧ୍ୟ ସେମାନଙ୍କ ବିରୋଧରେ ଆକ୍ରମଣ ହ୍ରାସ ପାଇନାହିଁ। ଏସବୁକୁ ବିଚାରକୁ ନେଇ ସୁପ୍ରିମ କୋର୍ଟ ଆଜି ଏଭଳି ରାୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର