ନୂଆଦିଲ୍ଲୀ: ବୁଲା କୁକୁର ବିପଦ ଉପରେ ନିଷ୍କ୍ରିୟତା ପାଇଁ ସୁପ୍ରିମ୍କୋର୍ଟ ସୋମବାର ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ସମନ କରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ୍ ଏନ୍ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜଆଡ଼ୁ ମାମଲାର ଶୁଣାଣି କରି କହିଛନ୍ତି ଯେ ବୁଲା କୁକୁର ଆକ୍ରମଣ ଘଟଣା ବିଦେଶୀ ରାଷ୍ଟ୍ରମାନଙ୍କ ଆଗରେ ଦେଶର ଛବି ଖରାପ କରୁଛି।
ଖଣ୍ଡପୀଠ କହିଛନ୍ତି ଯେ, କେବଳ ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଦିଲ୍ଲୀ ପୌର ନିଗମ (ଏମ୍ସିଡି) ସେମାନଙ୍କ ସତ୍ୟପାଠ ଦାଖଲ କରିଛନ୍ତି। ଆସନ୍ତା ସୋମବାର (ନଭେମ୍ବର ୩) ସକାଳ ୧୦ଟା ୩୦ରେ ଖିଲାପକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇ କୋର୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି ଅନୁପାଳନ ନ ହୁଏ ତେବେ କଡ଼ା ପଦକ୍ଷେପ ନିଆଯିବ।
ଏଥିସହିତ ଏନ୍ସିଟି କାହିଁକି ସତ୍ୟପାଠ ଦାଖଲ କରିନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଏହାର ସ୍ପଷ୍ଟୀକରଣ ଦେବେ ନଚେତ୍ ମୂଲ୍ୟ ଲାଗୁ କରାଯାଇପାରେ ଏବଂ କଡ଼ା ପଦକ୍ଷେପ ନିଆଯିବ ବୋଲି ଅଦାଲତ କହିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନୋଟିସ୍ ଜାରି କରାଯାଇଥିଲା। ଆପଣଙ୍କ ଅଧିକାରୀମାନେ କ’ଣ ଖବରକାଗଜ କିମ୍ବା ସୋସିଆଲ ମିଡିଆ ଖବର ପଢ଼ନ୍ତି ନାହିଁ? ସମସ୍ତେ ଏହି ବିଷୟରେ ରିପୋର୍ଟ କରିଛନ୍ତି। ନଭେମ୍ବର ୩ ତାରିଖରେ ସମସ୍ତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ, ନଚେତ୍ ଆମେ ଅଡିଟୋରିୟମରେ କୋର୍ଟ ଆୟୋଜନ କରିବୁ ବୋଲି ଜଷ୍ଟିସ୍ ନାଥ ଅତିରିକ୍ତ ସଲିସିଟର ଜେନେରାଲ୍ ଅର୍ଚ୍ଚନା ପାଠକ ଡାଭେଙ୍କୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଗତବର୍ଷ ଅଗଷ୍ଟ ୧୧ରେ ବୁଲା କୁକୁରଙ୍କ ପ୍ରସଙ୍ଗରେ ଦେଇଥିବା ରାୟକୁ ସ୍ଥଗିତ ରଖି ଅଗଷ୍ଟ ୨୨ରେ ଏକ ନୂଆ ରାୟ ଦେଇଥିଲେ। ବୁଲା କୁକୁରମାନଙ୍କୁ କୃମିନାଶକ ଔଷଧ ଖୁଆଇବା ସହିତ ଟିକାକରଣ ଏବଂ ବନ୍ଧ୍ୟାକରଣ ପରେ ନିଜ ନିଜ ଅଞ୍ଚଳରେ ଛାଡ଼ି ଦିଆଯିବା ନେଇ ସେହି ରାୟରେ କହିଥିଲେ। ବନ୍ଧ୍ୟାକରଣ ନିୟମକୁ ସମାନଭାବେ କାର୍ଯ୍ୟକାରୀ କରିବାକୁ ସବୁ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ କହିଥିଲେ। ବନ୍ଧ୍ୟାକରଣ ନିୟମ ଅନୁଯାୟୀ, ପରିପାଳନ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ଅଧିକାଂଶ ରାଜ୍ୟ କେବଳ ରିପୋର୍ଟ ଦାଖଲ କରିବାରେ ବିଫଳ ହୋଇ ନଥିଲେ ବରଂ ସେମାନଙ୍କ ପକ୍ଷରୁ ଅଦାଲତରେ କୌଣସି ପ୍ରତିନିଧିତ୍ବ ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/fhfhhfssfh-2025-10-28-01-30-22.jpg)