ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ସକାଳେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ଆସନ୍ତାକାଲି ହିଁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା କାର୍ଯ୍ୟ ଶେଷ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଦେବେନ୍ଦ୍ର ଫଡନାବିସ ସରକାର ବୁଧବାର ହିଁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଉଚିତ୍‌ ବୋଲି କୋର୍ଟ ରାୟ ଦେବାପରେ ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଖେଳ ହଠାତ ବଦଳି ଯାଇଥିଲା। ଜଷ୍ଟିସ୍‌ ଏନ୍‌ଭି ରମନ୍ନା, ଅଶୋକ ଭୁଷଣ ଏବଂ ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ ଆଜି ମହାରାଷ୍ଟ୍ର ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଆସିବାର ସାଢ଼େ ୩ ଘଣ୍ଟା ପରେ ଏନ୍‌ସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହାର ପ୍ରାୟ ୧ ଘଣ୍ଟା ପରେ ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସୁପ୍ରିମ୍‌ କୋର୍ଟ ରାୟ ଆଜି ବିଜେପି ପାଇଁ ବିରାଟ୍‌ ଝଟ୍‌କା ସାବ୍ୟସ୍ତ ହୋଇଥିବା ବେଳେ ଏନ୍‌ସିପି-ଶିବସେନା-କଂଗ୍ରେସ ମେଣ୍ଟ ପାଇଁ ବଡ଼ ଆଶ୍ବସ୍ତି ଆଣିଥିଲା।
ସୁପ୍ରିମକୋର୍ଟଙ୍କ ରାୟର ମୁଖ୍ୟାଂଶ-
8 ନଭେମ୍ବର ୨୭ ସନ୍ଧ୍ୟା ୫ଟା ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା କାର୍ଯ୍ୟ ଶେଷ ହେବ। କିନ୍ତୁ ଗୁପ୍ତ ବାଲଟ୍‌ ବଦଳରେ ଖୋଲା ବାଲଟ୍‌ ଦ୍ବାରା ଭୋଟ୍‌ ଗ୍ରହଣ ହେବ।
8 ସମଗ୍ର କାର୍ଯ୍ୟକ୍ରମର ଟିଭିରେ ସିଧା ପ୍ରସାରଣ ହେବ।
8 ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିବା ସମସ୍ତ ବିଧାୟକ ଆସନ୍ତାକାଲି ଶପଥ ନେବେ
8 ରାଜ୍ୟପାଳଙ୍କ ଦ୍ବାରା ପ୍ରୋଟେମ୍‌ ସ୍ପିକର୍‌ ନିଯୁକ୍ତ ହେବେ। ଏହି ଅସ୍ଥାୟୀ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇବେ ଏବଂ ଏହାପରେ ଗୃହକାର୍ଯ୍ୟ ପରିଚାଳନା କରିବେ।
8 ନିର୍ବାଚନ ଫଳାଫଳ ଆସିବାର ମାସେ ବିତିଯାଇଥିଲେ ମଧ୍ୟ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଇନାହାନ୍ତି। ତେଣୁ ଫଡ଼ନାବିସଙ୍କ ନେତୃତ୍ବାଧୀନ ସରକାରକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ।
8 ସଂଖ୍ୟାଗରିଷ୍ଠତାର ପ୍ରମ‌ାଣ କାର୍ଯ୍ୟ ବିଳମ୍ବ ହେଲେ ଘୋଡ଼ା ବେପାରର ସମ୍ଭାବନା ରହିଛି।
8 ଫଡ଼ନାବିସ ମୁଖ୍ୟମନ୍ତ୍ରୀ ଭ‌ାବେ ଶପଥ ନେବା ସଂକ୍ରାନ୍ତରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି ଶିବସେନା-ଏନ୍‌ସିସି- କଂଗ୍ରେସ ପକ୍ଷରୁ ହୋଇଥିବା ଆବେଦନ ସଂକ୍ରାନ୍ତରେ ଜବାବ ରଖିବାପାଇଁ କେନ୍ଦ୍ର ଏବଂ ଅନ୍ୟମାନଙ୍କୁ ୮ ସପ୍ତାହ ସମୟ ଦିଆଯାଇଛି।

Advertisment