ଏମ୍‌ସିଏଲ୍‌ ବିସ୍ଥାପିତ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ: ୪ଟି ଗାଁରେ ୨୦୧୩ ଜମି ଅଧିଗ୍ରହଣ ନୀତି ଲାଗୁହେବ

୩ ବର୍ଷ ମଧ୍ୟରେ ପୁନର୍ବାସ ସୁବିଧା, ୧୮ ବର୍ଷର ଅବିବାହିତ ଝିଅକୁ ଚାକିରି

ସୁନ୍ଦରଗଡ଼/ନୂଆଦିଲ୍ଲୀ : ହେମଗିରସ୍ଥ ମହାନଦୀ ଖୋଲାମୁହଁ କୋଇଲା ‌ଖଣି(ଏମ୍‌ସିଏଲ୍‌) ବିସ୍ଥାପିତ ୪ଟି ଗାଁ କିରିପସିରା, ତୁମଲିଆ, ରତନସରା, ଝୁପୁରଙ୍ଗାରେ ୨୦୧୩ ଜମି ଅଧିଗ୍ରହଣ ନୀତି ଲାଗୁହେବ। ଏହି ନୀତି ଅନୁସାରେ, ବିସ୍ଥାପିତଙ୍କୁ କ୍ଷତିପୂରଣ, ଥଇଥାନ, ପୁନର୍ବାସ, ନିଯୁକ୍ତି ସୁବିଧା ମିଳିବ। ଏହାସହ ୩ ବର୍ଷ ମଧ୍ୟରେ ପୁନର୍ବାସ ସୁବିଧା ଓ ବିସ୍ଥାପିତ ପରିବାର ବାପା-ପୁଅ କିମ୍ବା ବାପା-ନାତି ଓ ୧୮ ବର୍ଷରୁ ଅଧିକ ଅବିବାହିତା ଝିଅଙ୍କୁ ନିଯୁକ୍ତି ଯୋଗାଇ ଦିଆଯିବ। ଗୁରୁବାର ଦିନ ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି। ଏମ୍‌ସିଏଲ୍‌ ବିସ୍ଥାପିତଙ୍କ କ୍ଷତିପୂରଣ ସହ ଥଇଥାନ ଓ ପୁନର୍ବାସକୁ ନେଇ ମନମାନି କରୁଥିବା ଅଭିଯୋଗ ଆଧାରରେ ରୁଜୁ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ପ୍ରକାଶ କରିଛନ୍ତି।

ଏମ୍‌ସିଏଲ୍‌ ୧୫ ଖଣ୍ଡ ଗ୍ରାମକୁ ୧୯୮୭ ମସିହାରେ କୋଲ୍‌ବିଅରିଂ ଆଇନ ଅନୁଯାୟୀ, କିଣାବିକାରେ ରହିତାଦେଶ ଜାରିକରି ବହୁବର୍ଷ ଧରି କ୍ଷତିପୂରଣ ନ ଦେବାରୁ ଗୋପାଳପୁର ଗ୍ରାମର ମାଥିଆସ ଓରାମ ୨୦୦୩ ମସିହାରେ ଉଚ୍ଚ ନ୍ୟାୟାଳୟଙ୍କ ଆଶ୍ରୟ ନେଇଥିଲେ। ନ୍ୟାୟାଳୟ ୨୦୦୭ ମସିହାରେ ବିସ୍ଥାପିତଙ୍କ ସପକ୍ଷରେ ଆଦେଶକରି ନିଯୁକ୍ତି, କ୍ଷତିପୂରଣ ଆଦି ପ୍ରଦାନ ପାଇଁ ଏମ୍‌ସିଏଲ୍‌କୁ ଆଦେଶ ଦେଇଥିଲେ। ଏହା ବିରୋଧରେ ଏମ୍‌ସିଏଲ୍‌ ୨୦୦୭ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା। ‌୨୦୧୦ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ଏମ୍‌ସିଏଲ୍‌ ବିସ୍ଥାପିତଙ୍କ ସପକ୍ଷରେ ରାୟ ଦେଇ ୨୦୦୬ ନୀତି ଓ ୧୮୯୪ ଜମି ଅଧିଗ୍ରହଣ ଆଇନରେ ଗୋପାଳପୁର ଗ୍ରାମକୁ ମଡେଲ ଭାବେ ନେଇ ୬ ମାସ ମଧ୍ୟରେ ସର୍ଭେ ଓ ଦୁଇମାସ ମଧ୍ୟରେ ନିଯୁକ୍ତି କ୍ଷତିପୂରଣ ଓ ଥଇଥାନ, ପୁନର୍ବାସ ପାଇଁ କହିଥିଲେ। ସେହିଭଳି, ଅନ୍ୟ ୧୫ ଖଣ୍ଡ ଗ୍ରାମକୁ କ୍ଷତିପୂରଣ ସହ ଥଇଥାନ ଓ ପୁନର୍ବାସ ସୁବିଧା ଦେବାକୁ ଆଦେଶ କରିଥିଲେ। କିନ୍ତୁ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅବମାନନା କରି ଏମ୍‌ସିଏଲ୍‌ ବାଙ୍ଗୁରକେଲା ଗ୍ରାମର କିଛି ପରିବାରର ଜମି ଅନ୍ୟ କମ୍ପାନିରେ ଯିବ କହି ଯୋଗ୍ୟଲୋକଙ୍କୁ ନିଯୁକ୍ତି ନଦେବା, କ୍ଲେମ୍‌ସ କମିସନଙ୍କ ଆଦେଶ ଓ ଓଡ଼ିଶା ଥଇଥାନ ପୁନର୍ବାସ ନୀତି ୨୦୦୬ ସଂଶୋଧନକୁ ଏମ୍‌ସିଏଲ୍‌ ମାନି ନ ଥିଲା। ବିସ୍ଥାପିତ ପରିବାର ୧୮ ବର୍ଷରୁ ଅଧିକ ପୁଅଝିଅ ଓ ନାତିମାନଙ୍କୁ ନିଯୁକ୍ତି ନ ଦେଇ ବାରମ୍ବାର ପୁନର୍ବିଚାର ପାଇଁ କୋର୍ଟରେ ଆବେଦନ କରିବା, ଥଇଥାନ ଓ ପୁନର୍ବାସ ଠିକ୍‌ ଭାବେ କରାଯାଉ ନଥିବା, ୧୯୯୫ ମସିହାରେ ଟିକିଲିପଡ଼ା ଓ ସରଡେଗା ଗ୍ରାମକୁ ବିସ୍ଥାପିତ କରିଥିବା ସତ୍ତ୍ବେ ସ୍ଥାୟୀ ଜମିପଟ୍ଟା ଓ ବିସ୍ଥାପିତ ସାର୍ଟିଫିକେଟ ପ୍ରଦାନ କରି ନ ଥିବା, ତୁମୁଲିଆ, କିରିପସିରା, ରତନସରା ଓ ଝୁପୁରୁଙ୍ଗାକୁ ୨୦୧୩ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବା ପାଇଁ ମାମଲା ଦାଏର କରିଥିଲେ। ଶେଷରେ, ସୁପ୍ରିମକୋର୍ଟ ବିସ୍ଥାପିତଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ନଭେମ୍ବର ୧୭ ତାରିଖରେ ନ୍ୟାୟାଳୟ ମାମଲାର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ମାମଲା ଲଢ଼ୁଥିଲେ।

ସମ୍ବନ୍ଧିତ ଖବର