ନୂଆଦିଲ୍ଲୀ: ସିନେମା ହଲ୍କୁ ଲୋକେ ଖାଦ୍ୟ ନେଇ ଯାଇପାରିବେ କି ନା’ ସେ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କହିଛନ୍ତି , ସିନେମା ହଲ୍ ଜିମ୍ ନୁହେଁ ଯେ ସେଠାରେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ହେବ। ଏହା ହେଉଛି ଏକ ମନୋରଂଜନ ସ୍ଥଳ। ସିନେମା ହଲ୍ ହେଉଛି ଏକ ଘରୋଇ ସମ୍ପତ୍ତି। ହଲ୍ ମଧ୍ୟକୁ ବାହାର ଖାଦ୍ୟ ନିଆଯିବ କି ନା’ ସେ ସଂକ୍ରାନ୍ତ ନିଷ୍ପତ୍ତି ସିନେମା ହଲ୍ ମାଲିକ ହିଁ ନେବେ। କୋର୍ଟ କହିଛନ୍ତି, ଚଳଚିତ୍ର ଦେଖିବେ କି ନଦେଖିବେ ତାହା ଦର୍ଶକଙ୍କର ଇଚ୍ଛା ଏବଂ ଥରେ ସିନେମା ହଲ୍ରେ ପ୍ରବେଶ କରିଯିବାପରେ ମ୍ୟାନେଜମେଣ୍ଟ୍ର ନିୟମ ମାନିବାକୁ ପଡ଼ିବ। ଗ୍ରାହକଙ୍କୁ ସିନେମା ହଲ୍ କର୍ତ୍ତୃପକ୍ଷଙ୍କ ନିୟମ ମାନିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।
ଉଲ୍ଳେଖଯୋଗ୍ୟ, ସିନେମା ହଲ୍ରେ ବାହାର ଖାଦ୍ୟ ନିଷିଦ୍ଧ କରିବାପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଆଜି ଶୁଣାଣି ଥିଲା। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍ ନରସିଂହଙ୍କ ଖଣ୍ଡପୀଠ ସିନେମା ହଲ୍ରେ ବାହାର ଖାଦ୍ୟକୁ ଅନୁମତି ଦେଇଥିବା ଜମ୍ମୁ କାଶ୍ମୀର ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି। ଜମ୍ମୁ କାଶ୍ମୀର ହାଇକୋର୍ଟ ସିନେମା ହଲ୍ରେ ବାହାର ଖାଦ୍ୟକୁ ଅନୁମତି ଦେଇଥିଲେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ଯଦି କେହି ସିନେମା ହଲ୍କୁ ଜଲେବି ଆଣିବେ ଏବଂ ଜଲେବି ଖାଇବାପରେ ସିଟ୍ରେ ଜଲେବି ସିରା ବୋଳିବେ ତେବେ ଏହା ସଫା କରିବ କିଏ। ଲୋକ ମଧ୍ୟ ହଲ୍କୁ ତନ୍ଦୁରି ଚିକେନ୍ ନେଇ ଆସିବେ ଏବଂ ଏହାପରେ ହଲ୍ରେ ହାଡ଼ ପଡ଼ିଥିବା ଅଭିଯୋଗ ହେବ। କୋର୍ଟ କହିଛନ୍ତି, କେହି ସେମାନଙ୍କୁ ପପ୍କର୍ନ କିଣିବାପାଇଁ ବାଧ୍ୟ କରୁନାହାନ୍ତି। ତେବେ ସିନେମା ହଲ୍ରେ ମାଗଣା ପାଣିର ବ୍ୟବସ୍ଥା ପାଇଁ ଖଣ୍ଡପୀଠ କହିଛନ୍ତି।