ନୂଆଦିଲ୍ଲୀ: ଶୀତ ଛୁଟିପରେ ଆଜି ସୁପ୍ରିମକୋର୍ଟରେ କାର୍ଯ୍ୟ ଆରମ୍ଭ ହେବ। ସୁପ୍ରିମକୋର୍ଟରେ ଏକ ୫ ଜଣିଆ ଖଣ୍ଡପୀଠ ଆଜି ବିମୁଦ୍ରୀକରଣ ବିରୋଧରେ ଥିବା ବିଭିନ୍ନ ପିଟିସନ୍‌ ଉପରେ ରାୟ ଶୁଣାଇବେ। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ‌ରେ ମୋଟ୍‌ ୫୮ଟି ପିଟିସନ୍‌ ଦାଖଲ ହୋଇଛି। ଜଷ୍ଟିସ ଏସ ଅବଦୁଲ ନଜିର, ବିଆର୍‌ ଗଭାଇ, ଏଏସ୍‌ ବୋପନ୍ନା, ଭି ରାମସୁବ୍ରମନ୍ୟନ୍‌ ଏବଂ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ୫୮ଟି ପିଟିସନ୍‌ ଉପରେ ରାୟ ଶୁଣାଇବେ।

Advertisment

ଅଧିକାଂଶ ପିଟିସନ୍‌ରେ ବିମୁଦ୍ରୀକରଣର ବୈଧତାକୁ ଚାଲେଞ୍ଜ କରାଯାଇଛି। ଅନ୍ୟପକ୍ଷେ ନିଧାର୍ଯ୍ୟ ସମୟ ଭିତରେ ବଦଳ ହୋଇପାରିନଥିବା ଅଚଳ ନୋଟ୍‌କୁ ପୁଣିଥରେ ବଦଳାଇବାପାଇଁ ଏକ ପ‌ଦକ୍ଷେପ ଗ୍ରହଣ କରିବାକୁ କିଛି ଆବେଦନରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ୨୦୧୬ ମସିହାର ଏହି ନିଷ୍ପତ୍ତି ସଂକ୍ରାନ୍ତରେ ସରକାର ଏବଂ ଆର୍‌ବିଆଇ ତଥ୍ୟ ରଖିବାପାଇଁ ସୁପ୍ରିମକୋର୍ଟ ଗତ ଡିସେମ୍ବର ୭ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଏବଂ ରାୟ ସଂରକ୍ଷିତ ରଖିଥିଲେ।