ଏନ୍‌ଇଇଟି ଓବିସି କୋଟାକୁ ନେଇ ସୁପ୍ରିମ୍‌ କୋର୍ଟଙ୍କ ରାୟ: ସଂରକ୍ଷଣ ଯୋଗ୍ୟତା ବିରୋଧୀ ନୁହେଁ, ଓବିସିଙ୍କ ୨୭% କୋଟା କାଏମ

ନୂଆଦିଲ୍ଲୀ: ଏନ୍‌ଇଇଟି କାଉନ୍‌ସେଲିଂରେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ଓ ଇଡବ୍ଲୁଏସ୍ (ଆର୍ଥିକ ଦୁର୍ବଳ ବର୍ଗ)ଙ୍କୁ ସଂରକ୍ଷଣ ଦେବା ନେଇ ସୁପ୍ରିମ୍‌କୋର୍ଟ ତାଙ୍କର ରାୟ ପ୍ରକାଶ କରିଛନ୍ତି। ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ସବୁବେଳେ ଖୋଲା ପ୍ରତିଯୋଗିତାମୂଳକ ପରୀକ୍ଷାରୁ ମେଧା ନିର୍ଣ୍ଣୟ କରାଯାଇପାରେ ନାହିଁ। ଏହା ସାମାଜିକ ଭାବରେ ପ୍ରାସଙ୍ଗିକ ହେବା ଦରକାର। ଖୋଲା ପ୍ରତିଯୋଗିତାମୂଳକ ପରୀକ୍ଷା ସମସ୍ତଙ୍କୁ ସମାନ ସୁଯୋଗ ଦେଇଥାଏ। ଏନ୍‌ଇଇଟି କାଉନ୍‌ସେଲିଂରେ ୨୭ ପ୍ରତିଶତ ଓବିସି ଏବଂ ୧୦ ପ୍ରତିଶତ ଇଡବ୍ଲୁଏସ୍ କୋଟା ବାବଦରେ ଆଗତ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏହା ପ୍ରକାଶ କରିଛନ୍ତି।

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଓବିସିଙ୍କ ୨୭ ପ୍ରତିଶତ କୋଟାକୁ କାଏମ ରଖିବା ସହ କହିଛନ୍ତି ଯେ, ପରୀକ୍ଷାରୁ ମେଧାର ପରିମାପ କରିହୁଏ ନାହିଁ। ମେଧାକୁ ସମାଜିକ ଭାବେ ସନ୍ଦର୍ଭୀକୃତ କରାଯିବ ଉଚିତ। ସଂରକ୍ଷଣ ମେଧାର ଶତ୍ରୁ ନୁହେଁ, ବରଂ ଏହାର ବିତରଣକାରୀ ପ୍ରଭାବକୁ ଆଗକୁ ନେଇଥାଏ। ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଅଲ୍‌ ଇଣ୍ଡିଆ କୋଟା (ଏକ୍ୟୁଆଇ)ରେ ସଂରକ୍ଷଣ ନିମନ୍ତେ କେନ୍ଦ୍ର ସରକାରଙ୍କର କୋର୍ଟ ଅନୁମତି ଦରକାର ନାହିଁ। ଗତ ୭ ତାରିଖରେ ସୁପ୍ରିମ୍‌କୋର୍ଟ ପ୍ରଚଳିତ ନିୟମାନୁସାରେ ଏନ୍‌ଇଇଟି-ପିଜି କାଉନ୍‌ସେଲିଂ ୨୦୨୧-୨୨ ନିମନ୍ତେ ଅନୁମତି ପ୍ରଦାନ କରିଥିଲେ। ପ୍ରଚଳିତ ମାନଦଣ୍ଡ ଅନୁଯାୟୀ ଏକ୍ୟୁଆଇ ସିଟ୍‌ରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ଇଡବ୍ଲୁଏସ୍‌ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିମନ୍ତେ କୋର୍ଟ ସବୁଜସଂକେତ ପ୍ରଦାନ କରିଥିଲେ। ତେବେ ଇଡବ୍ଲୁଏସ୍ ବର୍ଗଙ୍କ ପାଇଁ କୋର୍ଟ କହିଥିଲେ ଯେ, ଚଳିତବର୍ଷ ପାଇଁ ପୂର୍ବରୁ ନୋଟିସ୍ ହୋଇଥିବା ୧୦ ପ୍ରତିଶତ ମାନଦଣ୍ଡ ବଳବତ୍ତର ରହିବ, ଯାହାଦ୍ବାରା ଚଳିତ ଶିକ୍ଷାବର୍ଷ ଲାଗି ଆଡ୍‌ମିସନ ପ୍ରକ୍ରିୟା ବିଳମ୍ବିତ ହେବ ନାହିଁ। କିନ୍ତୁ ଏହି କୋଟା ପ୍ରସଙ୍ଗରେ ମାର୍ଚ୍ଚ ତୃତୀୟ ସପ୍ତାହରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର