ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ପ୍ରକୋପ ଯୋଗୁଁ ମାର୍ଚ୍ଚ ୨୫ରୁ ଲକ୍ଡାଉନ୍ ଘୋଷଣା ଓ ତାହାର ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ୍ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁପ୍ରିମ କୋର୍ଟ ୭୧୮୦ରୁ ଅଧିକ ମାମଲାର ଶୁଣାଣି କରିଥିଲେ। ଏହି ସମୟ ଅବଧି ମଧ୍ୟରେ ସୁପ୍ରିମ କୋର୍ଟ ୬୭୨ଟି ଗୁରୁତ୍ବପୂର୍ଣ୍ଣ ରାୟ ମଧ୍ୟ ଶୁଣାଇଥିଲେ। ତଥ୍ୟ ଅନୁସାରେ ଏହି ସମୟ ଅବଧିରେ ଶୁଣାଣି କରାଯାଇଥିବା ୭୧୮୦ ମାମଲା ଭାରତୀୟ ସୁପ୍ରିମ କୋର୍ଟ ବିଶ୍ବରେ ଏକନମ୍ବର ସ୍ଥାନ ହାସଲ କରିଛି। ବିଶ୍ବରେ କୌଣସି କୋର୍ଟରେ ଏହି ସମୟ ଅବଧିରେ ଏତେ ସଂଖ୍ୟକ ମାମଲାର ଶୁଣାଣି ହୋଇନଥିଲା। ମାର୍ଚ୍ଚ ୨୫ ରୁ ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ଅମେରିକା ସୁପ୍ରିମ କୋର୍ଟରେ ୧୫୦ଟି ମାମଲାର ଶୁଣାଣି ହୋଇଥିବାବେଳେ ୩୦ଟି ମାମଲାର ରାୟ ପ୍ରଦାନ କରିଥିଲେ। ଅଷ୍ଟ୍ରେଲିଆରେ ୯୪ଟି ମାମଲାର ଶୁଣାଣି ସହ ୧୨ଟି ରାୟ ପ୍ରଦାନ, ଇଂଲଣ୍ଡରେ ୨୫ଟି ମାମଲାର ଶୁଣାଣି ସହ ୧୫ଟି ରାୟ ପ୍ରଦାନ, କାନାଡ଼ାରେ ୧୭୩ ମାମଲାରୁ ୫ଟି ରାୟ, ଦକ୍ଷିଣ ଆଫ୍ରିକାରେ ୫୧ଟି ମାମଲାରୁ ୫୮ଟିରେ ରାୟ ପ୍ରଦାନ ତଥା ସ୍ପେନ୍ରେ ସର୍ବାଧିକ ୮୦୦ଟି ମାମଲାର ଶୁଣାଣି ହୋଇଥିଲା।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଉଛି, ଏହି ସମୟ ଅବଧିରେ ସୁପ୍ରିମ କୋର୍ଟରେ ୬୨୩ ବେଞ୍ଚ ବସିଥିଲା। ଯାହା ମଧ୍ୟ ଏକ ରେକର୍ଡ। ମାର୍ଚ୍ଚ ୨୫ ଲକ୍ଡାଉନ୍ ପରେ ସୁପ୍ରିମକୋର୍ଟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମାମଲା ଗୁଡ଼ିକର ଶୁଣାଣି ଆରମ୍ଭ ହୋଇଥିଲା। ଏହି ସମୟ ଅବଧିରେ ଓକିଲମାନେ ମଧ୍ୟ ବହୁ ସଂଖ୍ୟାରେ ଶୁଣାଣି ସମୟରେ ଉପସ୍ଥିତ ରହୁଥିଲେ, ଯାହାକି ସ୍ବାଭାବିକ ରୂପେ କୋର୍ଟ କାର୍ଯ୍ୟ ଜାରି ରହିଥିବା ସମୟରେ ଉପସ୍ଥିତ ଓକିଲମାନଙ୍କ ସଂଖ୍ୟାଠାରୁ ଅଧିକ ଥିଲା।
ମାର୍ଚ୍ଚ ୨୫ରୁ ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ସୁପ୍ରିମ କୋର୍ଟରେ ଶୁଣାଣି କରାଯାଇଥିବା ୭୧୮୦ ମାମଲାରୁ ଓଡ଼ିଶାର ୧୦୦ରୁ ଅଧିକ ମାମଲାର ଶୁଣାଣି ହୋଇଥିଲା। ୨୫ରୁ ଅଧିକ ମାମଲାର ରାୟ, ଆଦେଶ ଓ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହି ସମୟ ଅବଧିରେ ସୁପ୍ରିମ କୋର୍ଟ ଏସ୍ସି ଓ ଏସ୍ଟି ପଦୋନ୍ନତି ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଖାରଜ ରାୟ ପ୍ରଦାନ କରିଥିଲେ। କୋଭିଡ ୧୯ ପରୀକ୍ଷାରେ ନେଗେଟିଭ ରିପୋର୍ଟ ଜଣାପଡ଼ିବା ପରେ ପ୍ରବାସୀଙ୍କୁ ଓଡ଼ିଶା ଆସିବାକୁ ଅନୁମତି ଦେବାକୁ ଓଡ଼ିଶା ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ। ଏକ ହତ୍ୟା ମାମଲାର ଶୁଣାଣି କରି ଓଡ଼ିଶାର ଗଜପତି ଜିଲ୍ଲାର ଆଦିବାସୀ ମହିଳାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଏହି ସମୟ ଅବଧିରେ ଭିଡିଓ କନ୍ଫରେନ୍ସିଂରେ ସବୁଠାରୁ ଚର୍ଚ୍ଚିତ ପୁରୀ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ହେଲେ ୨୨ ତାରିଖରେ ଅବକାଶ ବେଞ୍ଚରେ ମୋଡ଼ିଫିକେସନ ଆବେଦନର ଶୁଣାଣି କରି ପୁରୀରେ ଅନେକ ସର୍ତ୍ତ ସହିତ ରଥଯାତ୍ରାର ଅନୁମତି ଦେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣାର ଥିଲା ଯାହା ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁଣାଣି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/supremecourt.jpg)