ନୂଆଦିଲ୍ଲୀ : ଦମ୍ପତିମାନେ ପରସ୍ପର ମଧ୍ୟରେ କଳିଝଗଡ଼ା କରି ନିଜ ପିଲାମାନଙ୍କର ଶୈଶବ ତଥା ସେମାନଙ୍କ ଭିତରେ ଥିବା ସମ୍ପର୍କକୁ ନଷ୍ଟ ନକରିବା ଲାଗି ସୁପ୍ରିମକୋର୍ଟ ସତର୍କ କରାଇ ଦେଇଛନ୍ତି।
ଜଣେ ମହିଳା ଏବଂ ତାଙ୍କଠାରୁ ଦୂରେଇ ଯାଇଥିବା ତାଙ୍କ ସ୍ବାମୀଙ୍କ ସଂକ୍ରାନ୍ତ ଏକ ମାମଲାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଶୁଣାଣି କରିବା ଅବସରରେ ଜଷ୍ଟିସ ସଞ୍ଜୟ କୁମାର କାଉଲଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ପରାମର୍ଶ ଦେଇଛନ୍ତି। ଏଭଳି ଦମ୍ପତିମାନେ ପରସ୍ପରକୁ ନଷ୍ଟ କରିବା ସହ ନିଜ ସନ୍ତାନର ଶୈଶବକୁ ମଧ୍ୟ ନଷ୍ଟ କରିଦେଉଛନ୍ତି। ମାତାପିତାଙ୍କ ବିବାଦର ଶିକାର ହୋଇ ଶିଶୁମାନେ ଦ୍ବନ୍ଦ୍ବରେ ପଡୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ରହିଥିବା ସଂପର୍କ ବିପନ୍ନ ହୋଇପଡୁଛି। କୌଣସି ଅଦାଲତ କେବେ ପତି-ପତ୍ନୀଙ୍କ ଭିତରର ଏଭଳି ମାମଲା ସମାଧାନ କରିପାରିବ ନାହିଁ। ଥରେ ଏପରି ଝଗଡ଼ା ପଦାକୁ ଆସିଛି ମାନେ ସବୁ ସରିଯାଇଛି ବୋଲି ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି। ତେବେ ଏଭଳି ଅଧିକାଂଶ ମାମଲାରେ ପିତାମାତାଙ୍କ ଅହଂକାର ପାଇଁ କେବଳ ସେମାନଙ୍କ ଶିଶୁମାନେ ହିଁ ଭୀଷଣ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ମାନ୍ୟବର ଅଦାଲତ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଦୀର୍ଘ ଦୁଇ ଦଶନ୍ଧି ତଳେ ପ୍ରେମବିବାହ କରିଥିବା ଏହି ଉଚ୍ଚ ଶିକ୍ଷିତ ଦମ୍ପତି ଏବେ ନିଜ ପିଲାମାନଙ୍କର ମଙ୍ଗଳ ଓ ଭବିଷ୍ୟତକୁ ବାଜି ଲଗାଇ ପରସ୍ପରକୁ ନଷ୍ଟ କରିଦେବାକୁ ବଦ୍ଧପରିକର ହୋଇଥିବାରୁ ଖଣ୍ଡପୀଠ ଦୁଃଖ ପ୍ରକାଶ କରିଛନ୍ତି। ତେଣୁ ନିଜ ପିଲାଙ୍କ କଥା ଚିନ୍ତା କରିବାକୁ ଅଦାଲତ ସେମାନଙ୍କୁ ପରାମର୍ଶ କରିଛନ୍ତି। ଏପରିକି ପିଲାଙ୍କ କଥା ନହେଲେ ନାହିଁ, ନିଜ କଥା ଭାବିବାକୁ ଖଣ୍ଡପୀଠ ଦିଗଦର୍ଶନ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ମାମଲା ସଂଖ୍ୟା ବଢ଼ିବା ସହ ସୁପ୍ରିମ୍ କୋର୍ଟରେ ମଧ୍ୟ ଏ ସଂକ୍ରାନ୍ତ ମାମଲାର ବୋଝ ବଢ଼ି ଚାଲିଛି। ତେଣୁ ଦମ୍ପତିମାନେ ପରସ୍ପରର ଝଗଡ଼ାକୁ ବୁଝାମଣା ଏବଂ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟି ସମାଧାନ କଲେ ସବୁ ଦିଗରୁ ମଂଗଳ ହେବ ବୋଲି ଖଣ୍ଡପୀଠ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/supremecourt.jpg)