ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

ସୁପ୍ରିମକୋର୍ଟରେ ପୋଲାଭରମ ପ୍ରକଳ୍ପ ମାମଲା, ପରବର୍ତ୍ତୀ ଶୁଣାଣି ମେ’ ୨ରେ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଆଜି ପୋଲାଭରମ୍‌ ପ୍ରକଳ୍ପର ଶୁଣାଣି ହୋଇଛି। ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ୩ ଦିନ ମଧ୍ୟରେ ସ୍ୱତନ୍ତ୍ର ସତ୍ୟପାଠ ଦାଖଲ କରିବା ପାଇଁ କେନ୍ଦ୍ର ଜଳସମ୍ପଦ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମେ ୨ ତାରିଖ ଦିନ ଏହାର ପରବର୍ତ୍ତୀ ଶୁଣାଣି ହେବ। ସୁପ୍ରିମକୋର୍ଟରେ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମୂଳ ମାମଲାର ଆଜି ଶୁଣାଣି କରିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ ଖଣ୍ଡପୀଠଙ୍କକୁ କହିଥିଲେ ଯେ, ଖଣ୍ଡପୀଠଙ୍କର ଫେବ୍ରୁଆରି ୧୫ର ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ତେଲେଙ୍ଗାନା ଓ କର୍ଣ୍ଣାଟକର ମୁଖ୍ୟ ଶାସନ ସଚିବମାନେ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ୧୯୮୦ର ସର୍ତ୍ତପାଳନ ସମ୍ପର୍କରେ ସ୍ୱତନ୍ତ୍ର ସତ୍ୟପାଠ ଦାଖଲ କରିଥିବାବେଳେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇନାହିଁ। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟର ସଚିବଙ୍କ ବଦଳରେ କେନ୍ଦ୍ର ଜଳ ଆୟୋଗର ମୁଖ୍ୟଯନ୍ତ୍ରୀ ସତ୍ୟପାଠ ଦାଖଲ କରିଛନ୍ତି। ତେବେ ଏହା ଆଦୌ ସମୀଚୀନ ନୁହେଁ ବୋଲି ଗୋପାଳ ସୁବ୍ରମଣ୍ୟମ୍‌ ଆପତ୍ତି ଉଠାଇଥିଲେ। ଏହାପରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଓକିଲ ଓ୍ଵାସିମ୍‌ କାଦ୍ରିଙ୍କୁ ଏଭଳି ବ୍ୟତିକ୍ରମ କାହିଁକି ହୋଇଛି ବୋଲି ପ୍ରଶ୍ନ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଓ୍ଵାସିମ୍‌ କାଦ୍ରି କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଅନ୍ୟପକ୍ଷେ ଖଣ୍ଡପୀଠ ଆଜି ସତ୍ୟପାଠ ଦାଖଲ କରିବାପାଇଁ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ କହିଥିବାବେଳେ ସେ ସପ୍ତାହେ ସମୟ ମାଗିଥିଲେ। କିନ୍ତୁ ଖଣ୍ଡପୀଠ ୩ ଦିନ ଭିତରେ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେବା ସହ ଆସନ୍ତା ମେ’ ୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

ଆଜି ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ପୋଲାଭରମ୍‌ ପ୍ରକଳ୍ପକୁ ନେଇ ଦୁଇଟି ଆପତ୍ତି ସମ୍ପର୍କରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗୋପାଳ ସୁବ୍ରମଣ୍ୟମ୍‌ ଖଣ୍ଡପୀଠଙ୍କୁ କହିଥିଲେ ଯେ, ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ୧୯୮୦ ସର୍ତ୍ତ ଅନୁସାରେ ପୋଲାଭରମ୍‌ ପ୍ରକଳ୍ପର ବନ୍ୟାଜଳ ଛାଡ଼ିବା କ୍ଷମତା ୩୬ ଲକ୍ଷ କ୍ୟୁବିଟ୍‌ ମିଟର ନିର୍ଦ୍ଧାରିତ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୫୦ ଲକ୍ଷ କ୍ୟୁବିକ୍‌ ମିଟରକୁ ବୃଦ୍ଧି କରାଯାଇଛି। ଯେଉଁଥିପାଇଁ ପୋଲାଭରମ୍‌ ପ୍ରକଳ୍ପକୁ ନୂତନ ଭାବେ ଜଙ୍ଗଲ ମଞ୍ଜୁରି ଓ ପରିବେଶ ମଞ୍ଜୁରି ନେବାକୁ ପଡ଼ିବ। ଅପରପକ୍ଷେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଓକିଲ ଗୁନ୍‌ଟୁର ପ୍ରଭାକର ପୋଲାଭରମ ପ୍ରକଳ୍ପ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ୧୯୮୦ର ସର୍ତ୍ତ ଅନୁସାରେ ହିଁ କାର୍ଯ୍ୟକାରୀ କରାଯାଉଛି ବୋଲି ଯୁକ୍ତିରେ ଦର୍ଶାଇଥିଲେ। ଆସନ୍ତାମାସ ୨ ତାରିଖରେ ଏହି ଦୁଇଟି ଆପତ୍ତିକୁ ନେଇ ଖଣ୍ଡପୀଠ ବିସ୍ତତ ଭାବେ ଶୁଣାଣି କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର