ନୂଆଦିଲ୍ଲୀ: ଦିନେ ଦେଶର ମାନଚିତ୍ରରୁ ହଜିଯିବ ହିମାଚଳ ପ୍ରଦେଶ । ଏବେ ଠାରୁ ହିମାଚଳ ପ୍ରଦେଶକୁ ନେଇ ଚିନ୍ତା ନକଲେ ଭୟାବହ ହେବ ପରିସ୍ଥିତି । ଏଭଳି କହି ଚିନ୍ତା ପ୍ରକଟ କରିବା ସହ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ହିମାଚଳ ପ୍ରଦେଶରେ ବଢୁଥିବା ପ୍ରାକୃତିକ ବିପର୍ଯ୍ଯୟକୁ ଲକ୍ଷ୍ୟ ରଖି ଏମିତି କହିଛନ୍ତି ସୁପ୍ରିମକୋର୍ଟ ।

Advertisment

ବିକାଶ ଆଳରେ ହିମାଚଳ ପ୍ରଦେଶର ପରିବେଶ ବିଗୁଡୁଥିବା ବେଳେ ରାଜ୍ୟ ଉପରେ ଜଳବାୟୁ ପରିବର୍ତ୍ତନର ବିପଦଜନକ ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି । ନିରନ୍ତର ବିକାଶ ପ୍ରକ୍ରିୟା ସବୁଜ ବାତାବରଣ ଏବଂ ସବୁଜ ବନାନୀ ନଷ୍ଟ କରୁଛି । ୪ ଲେନର ରାସ୍ତା, ସୁଡଙ୍ଗ ଖୋଳା, ବଡ଼ ବଡ଼ ହାଇଡ୍ରୋ ପ୍ରକଳ୍ପ ନିର୍ମାଣ କାମ ପାଇଁ ରାଜ୍ୟରେ ସବୁବେଳେ ଭୂସ୍ଖଳନ, ପାହାଡ ଧସିବା, ଦୋକାନ ଏବଂ ଘର ଭୁଶୁଡ଼ି ପଡିବା, ରାସ୍ତା ଦବିଯିବା ପରି ଘଟଣା ଘଟୁଛି । ଯାହା ଆଗାମୀ ଦିନ ପାଇଁ ବଡ ବିପଦର ସଂକେତ ଦେଉଛି ।

ତେବେ ସୁପ୍ରିମକୋର୍ଟ କହିଛନ୍ତି- ରାଜସ୍ବ ଆଦାୟ ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହେବା ଅନୁଚିତ, ବରଂ ପରିବେଶର କଥା ବି ଭାବିବା ଦରକାର । କୋର୍ଟ ରାଜ୍ୟ ସରକାରଙ୍କୁ ଏକ ନୋଟିସ୍ ଜାରି କରି ବିଗିଡି ଯାଇଥିବା ପରିବେଶ ଏବଂ ପରିସ୍ଥିତିର ମୁକାବିଲା ପାଇଁ କଣ କଣ ସବୁ ପଦକ୍ଷେପର ନିଆଯାଇଛି ତାର ବିବରଣୀ ଚାରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି କ୍ଷୋଭ ପ୍ରକାଶ ସହ ରାଜ୍ୟକୁ ଚେତାବନୀ ଦେଇ ସୁପ୍ରିମକୋର୍ଟ କହିଛନ୍ତି-

ରାଜ୍ୟ ସରକାର ଏବଂ କେନ୍ଦ୍ରକୁ ବୁଝାଇବାକୁ ଚାହୁଁ ଯେ ଖାଲି ରାଜସ୍ୱ ଅର୍ଜନ ହିଁ ସବୁକିଛି ନୁହେଁ । ଯଦି ଏଭଳି ପରିସ୍ଥିତି ଜାରି ରୁହେ ତେବେ ସେହି ଦିନ ଆଉ ଦୂର ନୁହେଁ ଯେଉଁଦିନ ସମଗ୍ର ‘ହିମାଚଳ ପ୍ରଦେଶ’ ଦେଶର ମାନଚିତ୍ରରୁ ଉଭାନ ହୋଇଯାଇଥିବ । ହିମାଚଳ ପ୍ରଦେଶ ପାଇଁ ତତ୍ପରତା ଦେଖାଇବାର ସମୟ ଆସିଛି। ରାଜ୍ୟର ପରିବେଶ ଅସନ୍ତୁଳନ ଯେପରି ଅଧିକ ନହୁଏ, ପ୍ରାକୃତିକ ବିପର୍ଯ୍ୟୟ ଆଉ ଅଧିକ ନଘଟେ ସେଥିପ୍ରତି ଧ୍ୟାନ ଦେବାର ସମୟ ଆସିଛି । 

ସେପଟେ ବର୍ଷା, ବନ୍ୟା, ଭୂସ୍ଖଳନରେ ଭାଙ୍ଗି ପଡିଛି ହିମାଚଳ ପ୍ରଦେଶ । ପ୍ରକୃତି ସହ ଲଢି ଲଢି ହାରିଗଲାଣି ହିମାଚଳ । ଫି ବର୍ଷ ଲଢୁଛି, ଗଢୁଛି, ବଢୁଛି, ନିଜକୁ ପୁଣି ସଜାଡୁଛି । ହେଲେ ପୁଣି ତାଆର ବରଷକୁ ପ୍ରଳୟ ପୁଣି ଭାଙ୍ଗୁଛି, ପୁଣି ଉଜାଡୁଛି । ସବୁଥର ନିଜକୁ ବୁଝାଇ ସୁଝାଇ, ବିପତ୍ତିର ମୁକାବିଲା କରି ଆଗକୁ ବଢିଲେ ବି ପ୍ରଳୟ କିନ୍ତୁ ହିମାଚଳ ପ୍ରଦେଶର ପିଛା ଛାଡୁନି । କେବେ ପ୍ରବଳ ବର୍ଷା ତ କେତେ ପୁଣି ବନ୍ୟାର ବିତ୍ପାତ ଆଉ କେବେ ପୁଣି ଭୂସ୍ଖଳନରେ ଥରହର ହେଉଛି ହିମାଚଳର ଛାତି । ଗୋଟେ ବିପଦ ଗଲେ ଆଉ ଗୋଟେ ବିପଦ ତା ପଛକୁ ପଛ ଲାଗିକି ରହୁଛି । ଆଶା କମ୍ ଆଶଙ୍କା ଅଧିକରେ ରହୁଛନ୍ତି ହିମାଚଳବାସୀ ।