‘ଚୌକିଦାର ଚୋର୍‌ ହୈ’ ବୟାନ ଲାଗି ରାହୁଲଙ୍କୁ ଚେତାବନୀ, କ୍ଷମା ପ୍ରାର୍ଥନା ମଂଜୁର

ନୂଆଦିଲ୍ଲୀ: ରାଫେଲ ଚୁକ୍ତିର ତଦନ୍ତ ଦାବି କରି ହୋଇଥିବା ସମସ୍ତ ରିଭ୍ୟୁ ପିଟିସନ ଖାରଜ କରିବା ସହିତ ସୁପ୍ରିମ୍‌ କୋର୍ଟ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଚୌକିଦାର ଚୋର ହୈ’ ବୟାନକୁ ନେଇ ଚେତାବନୀ ଦେଇଛନ୍ତି। ରାହୁଲ ତାଙ୍କର ଏହି ସ୍ଲୋଗାନକୁ ସୁପ୍ରିମ୍‌ କୋର୍ଟଙ୍କ ରାଫେଲ ରାୟ ସହିତ ଯୋଡ଼ିଥିବାରୁ କୋର୍ଟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଭବିଷ୍ୟତରେ ଏଭଳି ବୟାନ ଦେବାରୁ ଦୂରେଇ ରହିବା ଉଚିତ। ରାଜନୈତିକ ବିବାଦକୁ ଅଦାଲତ ସହିତ ଯୋଡ଼ି ବିଭ୍ରାନ୍ତି ସୃଷ୍ଟି କରିବା କଦାପି ଗ୍ରହଣୀୟ ନୁହେଁ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗଇ, ଜଷ୍ଟିସ ସଂଜୟ କିଶନ କାଉଲ୍‌ ଏବଂ ଜଷ୍ଟିସ କେ.ଏମ୍‌. ଯୋଶେଫ୍‌ଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନାକୁ କୋର୍ଟ ଗ୍ରହଣ କରିଛନ୍ତି ଏବଂ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାକୁ ବନ୍ଦ କରିଛନ୍ତି।

ରାଫେଲ ମାମଲାରେ ପ୍ରଥମ ରାୟ ଆସିବା ପରେ ରାହୁଲ ଗାନ୍ଧୀ ତାଙ୍କର ‘ଚୌକିଦାର ଚୋର ହୈ’ ବୟାନକୁ ସୁପ୍ରିମ୍‌ କୋର୍ଟ ସହିତ ଯୋଡ଼ି କହିଥିଲେ ଯେ ଏବେ ସୁପ୍ରିମ୍‌ କୋର୍ଟ ମଧ୍ୟ ‘ଚୌକିଦାର ଚୋର ହୈ’ ବୋଲି ଗ୍ରହଣ କରିଛନ୍ତି। ରାହୁଲଙ୍କ ଏହି ବୟାନକୁ ବିଜେପି ଜୋର୍‌ଦାର ବିରୋଧ କରିଥିଲା। ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ରାହୁଲ ପ୍ରୟାସ କରିଥିବା ଅଭିଯୋଗ ଆଣି ବିଜେପି ସାଂସଦ ମୀନାକ୍ଷୀ ଲେଖି ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଏହାପରେ ରାହୁଲ ତାଙ୍କର ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର