ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ୨୦୧୬ ନଭେମ୍ବର ୮ରେ ଘୋଷଣା କରାଯାଇଥିବା ବହୁଚର୍ଚ୍ଚିତ ବିମୁଦ୍ରୀକରଣ ମାମଲାର ସମୀକ୍ଷା କରିବାକୁ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ନେଇଛନ୍ତି। କେଉଁ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିଲା ତାହାର ସମୀକ୍ଷା କରିବେ। ଏ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବା ଲାଗି କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୁପ୍ରିମ୍‌କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ କୋର୍ଟ କହିଛନ୍ତି ଯେ ସରକାରଙ୍କ ନୀତି ନିୟମ ସମ୍ପର୍କିତ ନିଷ୍ପତ୍ତିର ସମୀକ୍ଷା କରିବା ବେଳେ ଆମେ ଆମର ‘ଲକ୍ଷ୍ମଣ ରେଖା’ ବିଷୟରେ ସଚେତନ ଅଛୁ। ମାତ୍ର ବିମୁଦ୍ରୀକରଣ କେବଳ ଏକ ‘ଏକାଡେମିକ’ ବା ବୌଦ୍ଧିକ କାର୍ଯ୍ୟକଳାପ ଥିଲା ନା ଆଉ କିଛି ତାହା ଜାଣିବା ଲାଗି ଆମକୁ ଏହାର ସମୀକ୍ଷା କରିବାକୁ ପଡ଼ିବ।

Advertisment

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ରେ ବିମୁଦ୍ରୀକରଣ ବିଷୟରେ ରାତି ୮ଟାରେ ଟିଭିରେ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ସବୁଦିନ ପାଇଁ ଅଚଳ କରିଦେଇଥିଲେ।‌ ସେହି ନୋଟ୍‌ଗୁଡ଼ିକୁ ବଦଳାଇବା ଓ ନୂଆ ନୋଟ୍ ପ୍ରଚଳନ ହେବା ପର୍ଯ୍ୟନ୍ତ ଲୋକମାନଙ୍କୁ ବହୁ ଅସୁବିଧା ସାମ୍ନା କରିବାକୁ ପଡ଼ିଥିଲା। ତାହାକୁ ବିରୋଧ କରି ରୁଜୁ କରାଯାଇଥିବା ଏକାଧିକ ମାମଲାର ବିଚାର ସମ୍ବିଧାନ ଖଣ୍ଡପୀଠରେ କରିବାକୁ ୨୦୧୬ ଡିସେମ୍ବର ୧୬ରେ ସୁପ୍ରିମ୍‌କୋର୍ଟର ତତ୍କାଳନୀନ ପ୍ରଧାନ ବିଚାରପତି ଟିଏସ୍‌ ଠାକୁରଙ୍କ ନେତୃତ୍ବାଧୀନ ତିନି ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ନେଇଥି‌ଲେ। ଦୀର୍ଘ ୬ ବର୍ଷ ପରେ ଏହି ମାମଲାର ଶୁଣାଣି ପୁଣି ଥରେ ସୁପ୍ରିମ୍‌କୋର୍ଟରେ ଆରମ୍ଭ ହୋଇଛି।

ଜଷ୍ଟିସ୍‌ ଏସ୍‌ଏ ନାଜିରଙ୍କ ନେତୃତ୍ବରେ ଜଷ୍ଟିସ୍ ବିଆର୍‌ ଗଭାଇ, ଏଏସ୍‌ ବୋପନ୍ନା, ଭି ରାମସୁବ୍ରମଣ୍ୟନ ଓ ବିଭି ନାଗରତ୍ନଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ବିଚାରପତିଙ୍କ ସମ୍ବିଧାନ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେଉଛି। ବିମୁଦ୍ରୀକରଣକୁ ବିରୋଧ କରି ଦାଖଲ ବିଭିନ୍ନ ମାମଲାଗୁଡ଼ିକର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ସମ୍ବିଧାନ ଖଣ୍ଡପୀଠ ପାଖକୁ ଏକ ସମସ୍ୟା ଆସିଛି। ତାହାର ଉତ୍ତର ଦେବା ହେଉଛି ଆମର ଦାୟିତ୍ବ।

ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ୍ ଆର୍‌ ଭେଙ୍କଟରମଣୀ କହିଛନ୍ତି ଯେ ସଠିକ୍ ଉପା‌ୟରେ ହାଇ ଡିନୋମିନେସନ ବ୍ୟାଙ୍କ ନୋଟ୍‌ସ (ଡିମନେଟାଇଜେସନ) ନିୟମ, ୧୯୭୮କୁ କୋର୍ଟରେ ଚ୍ୟାଲେଞ୍ଜ୍‌ ନକରାଯିବା ପର୍ଯ୍ୟନ୍ତ ଏହି ମାମଲାକୁ ବୌଦ୍ଧିକ ପ୍ରସଙ୍ଗ ବୋଲି ବିଚାର କରାଯିବ। ‌ଖଣ୍ଡପୀଠ କହିଛନ୍ତି ଯେ ଏହା ଜରୁରୀ ଥିଲା ନା ନାହିଁ, ତାହା ଜାଣିବା ଲାଗି ସମ୍ପୂର୍ଣ୍ଣ ପ୍ରସଙ୍ଗର ସମୀକ୍ଷା କରିବାକୁ ପଡ଼ିବ। ସେଥିପାଇଁ ଆମକୁ ଉଭୟ ପକ୍ଷର ଆଇନଜୀବୀଙ୍କ ଯୁକ୍ତି ଶୁଣିବାକୁ ପଡ଼ିବ। ଗୋଟିଏ ପକ୍ଷ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପି ଚିଦମ୍ବରମ୍ କହିଛନ୍ତି ଯେ ଏହା ଆଦୌଁ ବୌଦ୍ଧିକ ପ୍ରସଙ୍ଗ ନୁହେଁ। କୋର୍ଟ ଏହା ବିଚାର କରିବା ଦରକାର। ବିମୁଦ୍ରୀକରଣ ପାଇଁ ସଂସଦରେ ସ୍ବତନ୍ତ୍ର ଆଇନର ଆବଶ୍ୟକତା ଥିଲା ବୋଲି ସେ ଯୁକ୍ତି କରିଛନ୍ତି।