ବିବାଦୀୟ ପୋଲାଭରମ ମାମଲାରେ ସୁପ୍ରିମକୋର୍ଟଙ୍କ ପରାମର୍ଶ: ୪ ରାଜ୍ୟକୁ ନେଇ ଉଚ୍ଚସ୍ତରୀୟ ବୈଠକ ହେଉ

ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ଚିନ୍ତା ଓ ଆଶଙ୍କାକୁ ଦୂର କରିବା ପାଇଁ ଆପୋସ ଆଲୋଚନା ଉପରେ ଗୁରୁତ୍ବ ଦେଇଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାକୁ ନେଇ ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ସଞ୍ଜୟ କିଶନ କୌଲ, ବିଚାରପତି ଅଭୟ ଏସ୍‌ ଓକା ଓ ବିଚାରପତି ବିକ୍ରମ ନାଥଙ୍କୁ ନେଇ ଗଠିତ ନୂଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିବା ଅବସରରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ୩୦ ମାସର ବ୍ୟବଧାନ ପରେ ବିବାଦୀୟ ପୋଲାଭରାମ ପ୍ରକଳ୍ପର ଶୁଣାଣି ଆଜି ସୁପ୍ରିମକୋର୍ଟଙ୍କ ନୂଆ ଖଣ୍ଡପୀଠରେ ହୋଇଥିଲା।

ଖଣ୍ଡପୀଠ କହିଛନ୍ତି, ଏକ ମାସ ମଧ୍ୟରେ ପ୍ରଥମ ବୈଠକ ପରେ ନିୟମିତ ବ୍ୟବଧାନରେ ବୈଠକ ବସୁ। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏହି ବିବାଦର ସମାଧାନ ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିବେ। ବୈଠକ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭କୁ ଧାର୍ଯ୍ୟ ହୋଇଛି। ଆଜିର ଶୁଣାଣି ବେଳେ ପ୍ରକଳ୍ପର ଢାଞ୍ଚାଗତ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେବାକୁ ଥିବା ବୁଡ଼ି ଅଞ୍ଚଳ ସମସ୍ୟା ଓ ବିନା ମଞ୍ଜୁରିରେ ପ୍ରକଳ୍ପ ନିର୍ମାଣ ଚାଲିଥିବା ସମ୍ପର୍କରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପ୍ରକଳ୍ପଙ୍କୁ ନେଇ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ସେମାନଙ୍କ ଚିନ୍ତା ସମ୍ପର୍କରେ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ କହିଥି‌ଲେ ଯେ ଜଷ୍ଟିସ୍‌ ବଛାୱତ କମିସନଙ୍କ ସୁପାରିସକୁ ଉଲ୍ଲଂଘନ କରି ଆନ୍ଧ୍ରପ୍ରଦେଶ ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଛି। ଏହାଦ୍ବାରା ଓଡ଼ିଶା ପ୍ରଭାବିତ ହେବ। ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୦୭ରେ ମୂଳ ମାମଲା (ଅରିଜିନାଲ୍‌ ସୁଟ୍‌) ଦାଖଲ କରାଯାଇଥିଲା। ବିନା ପରିବେ‌ଶ ମଞ୍ଜୁରିରେ ପ୍ରକଳ୍ପର କ୍ରିୟାନ୍ବୟନ କରାଯାଉଛି। ଏହାକୁ ବିରୋଧ କରି ଓଡ଼ିଶା ପକ୍ଷରୁ ମଧ୍ୟବର୍ତ୍ତିକାଳୀନ ଆବେଦନ ମଧ୍ୟ ଦାଖଲ କରାଯାଇଛି। ଯାହାର ଶୁଣାଣିର ଆବଶ୍ୟକତା ରହିଛି।

ଢାଞ୍ଚାଗତ ପରିବର୍ତ୍ତନ ପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ୨୦୧୧ ଫେବ୍ରୁଆରି ୮ରେ ପ୍ରକଳ୍ପ କାମ ଉପରେ ରୋକ୍‌ ଲଗାଇଥିଲେ। ପୁନର୍ବିଚାର ନ ହେବା ଯାଏ ପ୍ରକଳ୍ପର ନିର୍ମାଣ ବନ୍ଦ ରଖିବାକୁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ମନ୍ତ୍ରାଳୟ ନି‌ର୍ଦ୍ଦେଶ ଦେଇଥିଲେ। ତେବେ ଆନ୍ଧ୍ର ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ୨୦୧୩ରେ ପ୍ରକଳ୍ପ ନିର୍ମାଣ ଉପରେ ଲାଗିଥିବା ରୋକ ନିର୍ଦ୍ଦେଶକୁ ହଟାଇ ନେଇଥିଲେ। କେନ୍ଦ୍ର ସରକାର ବାରମ୍ବାର ଏହି ପ୍ରକଳ୍ପ ନିର୍ମାଣ ଅବଧିକୁ ବଢ଼ାଇ ଚାଲିଛନ୍ତି। ଏହାକୁ ବିରୋଧ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟବର୍ତ୍ତିକାଳୀନ ଆବେଦନ ଦାଖଲ କରାଯାଇଛି। ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ଆଇନଜୀବୀ ଭେଙ୍କେଟ ରମଣୀ କହିଲେ, ପୋଲାଭରମ ପ୍ରସଙ୍ଗରେ ରାଜ୍ୟମାନଙ୍କ ମଧ୍ୟରେ ସହମତି ହୋଇପାରିନାହିଁ। ଏହା କେନ୍ଦ୍ରୀୟ ପାଣ୍ଠି ପ୍ରାୟୋଜିତ ପ୍ରକଳ୍ପ। ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ମାଣ କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଆଉ ୩୦ କୋଟି ଟଙ୍କା ଆଗକୁ ଖର୍ଚ୍ଚ ହେବ। ପ୍ରକଳ୍ପକୁ ନେଇ ରାଜ୍ୟମାନଙ୍କର ଯେଉଁ ସବୁ ଚିନ୍ତା ଓ ଆଶଙ୍କା ରହିଛି ତାହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଡକାଇ ବୈଠକ କରାଯିବାକୁ ସେ ପରାମର୍ଶ ଦେଇଥିଲେ। ତେଲେଙ୍ଗାନା ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଏସ୍‌ ବୈଦନାଥନ ପୋଲାଭରମ ପ୍ରକଳ୍ପର ଢାଞ୍ଚାଗତ ପରିବର୍ତ୍ତନ ପରେ ଏହା ବହୁ ଆଗକୁ ଚାଲିଯାଇଥିବାରୁ ତାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।
ଖଣ୍ଡପୀଠ କହିଥିଲେ ଯେ ଏହା କେବେ ଶେଷ ନ ହେବା ଭଳି ବ୍ୟାୟାମ। ପ୍ରକଳ୍ପ କ୍ରିୟାନ୍ବୟନ ହେଉ କି ନ ହେଉ, ଖର୍ଚ୍ଚ ବଢ଼ିଚାଲିବ। ଆଲୋଚନା ପାଇଁ ପ୍ରଥମେ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହ ବୈଠକ କରାଯାଉ। ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ବୈଠକ କରିପାରିବେ ବୋଲି ଖଣ୍ଡପୀଠ କହିଥିଲେ।

ସମ୍ବନ୍ଧିତ ଖବର