ଅଧସ୍ତନ ଅଦାଲତ‌ ଭିତ୍ତିଭୂମି ପାଣ୍ଠି: ଓଡ଼ିଶା ସରକାରଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ : ଅଧସ୍ତନ ନ୍ୟାୟାଳୟର ଭିତ୍ତିଭୂମି ବିକାଶ ପାଣ୍ଠି ଓଡ଼ିଶା ହାଇକୋର୍ଟକୁ ରାଜ୍ୟ ସରକାର ବିତରଣ କରିନଥିବାରୁ ଆଜି ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଅଧସ୍ତନ ଅଦାଲତଗୁଡ଼ିକରେ ଖାଲି ପଡ଼ିଥିବା ପଦବି ପୂରଣ ଓ ଭିତ୍ତିଭୂମି ନିର୍ମାଣ ସଂପର୍କିତ ଏକ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ହୋଇଥିଲା।

ଶୁଣାଣି ସମୟରେ ଆମିକସ କ୍ୟୁରି ବିଜୟ ହଂସାରିଆ କହିଲେ ଯେ ଓଡ଼ିଶା ପାଇଁ ତିନିଟି ନିର୍ଦ୍ଦେଶର ଆବଶ୍ୟକତା ରହିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ପ୍ରୟୋଜିତ ଯୋଜନାରେ ଆବଣ୍ଟନ ୬୦.୪ କୋଟି ଟଙ୍କା ପଡ଼ିରହିଛି। ତାହାର ବିତରଣ କରାଯାଉ ଓ ସିଙ୍ଗଲ ନୋଡାଲ୍‌ ଏଜେନ୍‌ସି ଆକାଉଣ୍ଟରେ ଏହାକୁ ରଖାଯାଇପାରିବ। ଦ୍ବିତୀୟରେ, ଭବିଷ୍ୟତ (୨୦୨୩-୨୪) ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ରାଜ୍ୟ କ୍ଷେତ୍ର ଯୋଜନା ଅନ୍ତର୍ଗତ ୭୨୨ କୋଟି ଟଙ୍କା ଅର୍ଥରାଶି ଉପରେ ଦୁଇମାସ ଭିତରେ ଏହାର ଜବାବ ରଖିବେ ଏବଂ ଉକ୍ତ ଅର୍ଥରାଶି ଏସ୍‌ଏନ୍‌ଏ ଆକାଉଣ୍ଟରେ ଯିବ। ତୃତୀୟରେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଜମି ଆବଣ୍ଟନର ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ ବୈଠକ କରିବେ।

ଶୁଣାଣି ସମୟରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ଆମିକସ କ୍ୟୁରିଙ୍କ ରିପୋର୍ଟ ଉପରେ ସହମତ ପ୍ରକାଶ କରିଥିଲେ। ଅନ୍ୟ ପ‌କ୍ଷରେ ରାଜ୍ୟ ସରକାରଙ୍କ ଓକିଲ କହିଲେ ଯେ ୭୨୨ କୋଟି ଟଙ୍କା ସମ୍ବନ୍ଧରେ ତାଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ନେବାକୁ ପଡ଼ିବ। କାରଣ ଏକା ଥରକେ ରାଜ୍ୟ ସରକାର ସମୁଦାୟ ଅର୍ଥରାଶିକୁ ବଣ୍ଟନ କରିପାରିବେ ନାହିଁ। ପ୍ରଧାନ ବିଚାରପତି ଏହା ଉପରେ ଟିପ୍ପଣୀ ଦେଇ କହିଲେ ଯେ ଏହି ଅର୍ଥରାଶିକୁ ଆପଣ କାହିଁକି ଆବଣ୍ଟନ କରିପାରିବେ ନାହିଁ। ଏହା ସେହି ପାଣ୍ଠି ଯାହା ନ୍ୟାୟପାଳିକା ପାଇଁ ଆବଶ୍ୟକତା ରହିଛି। ଏଥିରେ ନିର୍ଦ୍ଦେଶ ନେବାର କ’ଣ ଆବଶ୍ୟକତା ଅଛି। ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮, ୨୦୨୦-୨୧, ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ହାଇକୋର୍ଟଙ୍କୁ ପାଣ୍ଠି ଦିଆଯାଇ ନାହିଁ। ଆପଣମାନଙ୍କୁ ଏହାମଧ୍ୟ ବୁଝିବାକୁ ପଡ଼ିବ ହାଇକୋର୍ଟ ଆପଣଙ୍କ ରାଜ୍ୟର ନାଗରିକଙ୍କ ସେବା କରୁଛି। ହାଇକୋର୍ଟ ଏହି ଅର୍ଥରାଶି ପକେଟରେ ପକାଉ ନାହିଁ। ଭିତ୍ତିଭୂମିର ଲାଭ ଭାରତର ନାଗରିକ ଓ ଓଡିଶାର ନାଗରିକଙ୍କୁ ମିଳିବ। ଏହା ପରେ ପ୍ରଧାନ ବିଚାରପତି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟ୍ଟିଙ୍କୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ସ୍ଥିତି ସଂପର୍କରେ ପ୍ରଶ୍ନ କରିଥିଲେ। ଏଏସ୍‌ଜିଙ୍କ ଦ୍ବାରା ଉପଲବ୍‌ଧ କରାଯାଇଥିବା ତଥ୍ୟ ଅନୁସାରେ ୨୦୧୯-୨୦ ରେ ୩୯.୬୫ କୋଟି ଟଙ୍କାର ରାଶି ଓଡ଼ିଶା ସରକାରଙ୍କୁ ଉପଲବ୍ଧ କରାଯାଇଥିଲା। ୨୦୨୦-୨୧, ୨୦୨୧-୨୨ ଏବଂ ୨୦୨୨-୨୩ରେ କୌଣସି ରାଶି ଉପଲବ୍‌ଧ କରାଯାଇନାହିଁ। ନ୍ୟାୟ ବିଭାଗ ଦ୍ବାରା ପ୍ରସ୍ତୁତ ନୋଟ୍ ଅନୁସାରେ ୨୦୧୯-୨୦ ପାଇଁ ଖର୍ଚ୍ଚ ନ ହୋଇ ବଳକାଥିବା ୨୨.୪୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନାହିଁ।

ଅନ୍ୟ ପକ୍ଷରେ ଆମିକସ କ୍ୟୁରି ରାଜ୍ୟ ସରକାରଙ୍କ ସଚିବ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟର ସଚିବଙ୍କୁ ମଧ୍ୟରେ ହୋଇଥିବା ଯୋଗାଯୋଗକୁ ଉଲ୍ଲେଖ କରି କହିଲେ ଯେ ୨୦୧୮-୧୯ ଏବଂ ୨୦୧୯-୨୦ରେ ପ୍ରଦାନ କେନ୍ଦ୍ରୀୟ ସହାୟତାରୁ ଓଡ଼ିଶା ସରକାର ୭୫ ପ୍ରତିଶତ ଖର୍ଚ୍ଚ କରିଛନ୍ତି ଏବଂ ବିନିଯୋଗ ପ୍ରମାଣପତ୍ର ମଧ୍ୟ ଦାଖଲ କରାଯାଇଛି। ଏ ନେଇ ଖଣ୍ଡପୀଠ ଟିପ୍ପଣୀ କରି କହିଥିଲେ ଯେ ନ୍ୟାୟ ବିଭାଗର ତଥ୍ୟ ଓ ଓଡ଼ିଶା ସରକାରଙ୍କ ଯୋଗାଯୋଗରେ ଅସଙ୍ଗତି ଜଣାପଡ଼ୁଛି। ଏହାର ସମାଧନ ପାଇଁ ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର ନ୍ୟାୟ ବିଭାଗ, ରାଜ୍ୟ ସରକାର ଆଇନ ସଚିବ , ସ୍ବରାଷ୍ଟ୍ର ବ୍ୟାପାର ସଚିବ, ରାଜ୍ୟ ସରକାର ଓ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ମଧ୍ୟରେ ବୈଠକ କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର