ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ରାୟ: ସେନାରେ ମହିଳାଙ୍କୁ ସ୍ଥାୟୀ କମିସନ ନିଯୁକ୍ତି ମିଳିବ, ୩ ମାସ ଭିତରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସେନାରେ କାର୍ଯ୍ୟ କରୁଥିବା ମହିଳା ଅଧିକାରୀଙ୍କ ସପ‌କ୍ଷରେ ସୁପ୍ରିମ୍ କୋର୍ଟ ଆଜି ଐତିହାସିକ ରାୟ ଦେଇଛନ୍ତି। ସର୍ଟ ସର୍ଭିସ କମିସନ୍‌ ପଦରେ ଯୋଗଦେଇଥିବା ମହିଳା ଅଧକାରୀମାନଙ୍କୁ ସ୍ଥାୟୀ କମିସନ୍ ସୁବିଧା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଏହା ଫଳରେ ସେନାରେ ପୁରୁଷଙ୍କ ଭଳି ମହଳାଙ୍କୁ ସମାନ ସୁଯୋଗ ମିଳିବ। ସେମାନଙ୍କ ପାଇଁ କୌଣସି ଭେଦଭାବ ରହିବ ନାହିଁ। ସେନାରେ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିସନ୍ ଏବଂ କମାଣ୍ଡ ପୋଷ୍ଟିଂ ଦେବାରେ କୌଣସି କଟକଣା ରିହବା ଉଚିତ ନୁହେଁ ବୋଲି ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି। ୨୦୧୦ ମସିହାରେ ଦିଲ୍ଲୀ ‌ହାଇକୋର୍ଟ ମହିଳା ସେନା ଅଧିକାରୀମାନଙ୍କୁ ସ୍ଥାୟୀ କମିସନ୍ ଏବଂ କମାଣ୍ଡିଂ ପୋଷ୍ଟ ଦେବା ସପକ୍ଷରେ ରାୟ ଦେଇଥିଲେ। ୨୦୧୧ ସେପ୍ଟେମ୍ବର ୨ ତାରିଖରେ ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି କରିଥି‌ଲେ। କିନ୍ତୁ ସୁପ୍ରିମ କୋର୍ଟ ଏହା ଉପରେ କୌଣସି ରହିତାଦେଶ ଦେଇ ନଥିଲେ। ସୁପ୍ରିମ କୋର୍ଟ ରହିତାଦେଶ ଦେଇ ନଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରି ନଥିବାରୁ ଖଣ୍ଡପୀଠ ଭୀଷଣ ବିରକ୍ତ ହୋଇଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉଚିତ ଥିଲା। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ ନକରିବାର କୌଣସି କାରଣ ଓ ଯଥାର୍ଥତା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଶାରୀରିକ ଦୃଷ୍ଟିରୁ ପୁରୁଷଙ୍କ ତୁଳନାରେ ମହିଳାମାନେ ଦୁର୍ବଳ ଦର୍ଶାଇ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରୁ ନଥିଲେ। ତେବେ କେନ୍ଦ୍ର ସରକାରଙ୍କ ଏହି ଯୁକ୍ତିକୁ ସୁପ୍ରିମ କୋର୍ଟ ଗ୍ରହଣ କରିନାହାନ୍ତି। ମହିଳାମାନେ ମଧ୍ୟ ସେନାରେ କାର୍ଯ୍ୟ କରି ଦେଶ ପାଇଁ ବହୁ ଗର୍ବ ଆଣିଛନ୍ତି ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।

ସେନାରେ ମହିଳା ଅଧିକାରୀମାନେ ଯେତିକି ବର୍ଷ ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ସେମାନଙ୍କ ପାଇଁ ସ୍ଥାୟୀ କମିସସ ସୁବିଧା ଉପଲବ୍ଧ ହେବ। ପୁରୁଷ ସେନା ଅଧିକାରୀଙ୍କ ଭଳି ମହିଳା ସେନା ଅଧିକାରୀଙ୍କ ପାଇଁ ମଧ୍ୟ ନିଯୁକ୍ତି ସଂକ୍ରାନ୍ତ ସମସ୍ତ ସର୍ତ୍ତ ସମାନ ରହିବ ବୋଲି ଖଣ୍ଡପୀଠ କହିଛନ୍ତି। ଶାରୀରିକ କ୍ଷମତାର ସୀମିତତା ଏବଂ ସାମାଜିକ ପ୍ରଥାକୁ ବିଚାରକୁ ନେଇ ମହିଳା ଅଧିକାରୀମାନଙ୍କୁ ଏହି ସୁବିଧା ଦିଆଯାଉ ନାହିଁ ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ। ତେବେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ଏହି ମାନସିକତାକୁ ଘୋର ନିନ୍ଦା କରିଥିଲେ। ଏଭଳି ଯୁକ୍ତି ଏବଂ ମାନସିକତା ଗ୍ରହଣଯୋଗ୍ୟ ନୁହେଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ରାୟକୁ ସେନାର ମହିଳା ଅଧିକାରୀମାନେ ସ୍ବାଗତ କରିଛନ୍ତି। ଖଣ୍ଡପୀଠରେ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ସହିତ ବିଚାରପତି ଅଜୟ ରାସ୍ତୋଗି ରହିଥିଲେ।

ସମ୍ବନ୍ଧିତ ଖବର