କୋଲକାତା: କୋଲକାତାର ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ସୋମବାର କହିଛନ୍ତି ଯେ ଏଭଳି ବର୍ବରତାକୁ ରୋକିବା ନିମନ୍ତେ କୌଣସି ପରିବର୍ତ୍ତନ ପାଇଁ ଦେଶ ଆଉ ଏକ ଦୁଷ୍କର୍ମକୁ ଅପେକ୍ଷା କରିପାରିବ ନାହିଁ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହ ତଦନ୍ତରେ ତ୍ରୁଟି ଏବଂ ଏହି ମାମଲାରେ ଏଫ୍ଆଇଆର ଦାଖଲରେ ବିଳମ୍ବ ନେଇ ବ୍ୟବସ୍ଥାର ବିଫଳତା ଉପରେ ପ୍ରଶ୍ନ ଉଠାଇଛନ୍ତି।
କ’ଣ କହିଲେ ସୁପ୍ରିମ୍କୋର୍ଟ
ଯଦି ମହିଳାମାନେ ନିଜ କର୍ମକ୍ଷେତ୍ରରେ ସୁରକ୍ଷିତ ରହିପାରିବେ ନାହିଁ ଏବଂ ମୌଳିକ ସମାନତାରୁ ବଞ୍ଚିତ ହେବେ ତେବେ ସମ୍ବିଧାନ ଅନୁଯାୟୀ ସମାନତା କ’ଣ ଏବଂ ଏହାର ପ୍ରତିକାର କିଭଳି ହେବ?
ଏଭଳି ଘଟଣା ବାରମ୍ବାର ଘଟୁଛି। ଏଭଳି ଦୁଷ୍କର୍ମ ଓ ହତ୍ୟା ରୋକିବା ପାଇଁ କେବେ ବିବେକ ଜାଗ୍ରତ ହେବ?
ଜଣେ ଯୁବତୀ ପ୍ରାଣ ହରାଇଛନ୍ତି ଏବଂ ତାଙ୍କୁ ଜଣେ ଯୌନ ବିକୃତ ବ୍ୟକ୍ତି ଦୁଷ୍କର୍ମ କରି ହତ୍ୟା କରିଛି। ଏହା ଅପରାଧ ଘଟାଇଥିବା ବ୍ୟକ୍ତି ଜଣେ ପଶୁ ପ୍ରବୃତ୍ତିର ଏବଂ ସେ ଜଣେ ସାଧାରଣ ଅପରାଧୀ ନୁହେଁ।
ଡାକ୍ତର, ଓକିଲ, ମହିଳା ଓ ଅନ୍ୟମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏବଂ ଏହି ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ରାଜ୍ୟର କ୍ଷମତା ପ୍ରୟୋଗ ନ ହେଉ। ଲୋକଙ୍କ ଅଧିକାର ଓ ଜନଭାବନାକୁ ସମ୍ମାନ ଦେଇ ସରକାରକୁ କାର୍ଯ୍ୟ କରିବାକୁ ହେବ।
ପୀଡ଼ିତାଙ୍କ ମର୍ଯ୍ୟାଦା ଓ ଗୋପନୀୟତାକୁ ଉଲ୍ଲଂଘନ କରି ତାଙ୍କ ନାମ ଓ ଫଟୋ ପ୍ରସାରିତ କରାଯାଇଛି ଏବଂ ପୀଡ଼ିତାଙ୍କ ପରିଚୟ ପ୍ରକାଶ ନ କରିବା ନେଇ ରାୟ ରହିଥିଲେ ମଧ୍ୟ ଏହା ହୋଇଛି।
‘ଯୌନ ହିଂସାର ଉତ୍ପତ୍ତି ଅନୁଷ୍ଠାନ ମଧ୍ୟରୁ ବି ହେଉଛି, ଯେଉଁଥିରେ ‘ଅରୁଣା ଶାନବାଗ ମାମଲା’ ସାମ୍ନାକୁ ଆସିଛି।
ଉତ୍ତ୍ୟକ୍ତ ଭିଡ଼ ପଶି ଡାକ୍ତରଖାନା ଭଙ୍ଗାରୁଜା କରିବା ବେଳେ ପୁଲିସ କ’ଣ କରୁଥିଲା? ଏଭଳି ଅବହେଳା ଓ ଅପରାଧ ସ୍ଥଳରେ ଚଢ଼ଉ ନିଶ୍ଚିତ ଭାବେ ଅପରାଧ।
ଆର୍ଜି କର ହସ୍ପିଟାଲରେ ୭୦୦ ରେସିଡେଣ୍ଟ ଡାକ୍ତର ଥିବା ବେଳେ ଏବେ ମାତ୍ର ୩୦ରୁ ୪୦ ଜଣ ମହିଳା ଡାକ୍ତର ଓ ୬୦ ଜଣ ପୁରୁଷ ଡାକ୍ତର ରହିଛନ୍ତି। ସାଂପ୍ରତିକ ପରିସ୍ଥିତି ଯେଭଳି ସ୍ଥିତି ସୃଷ୍ଟି କରିଛି ତାହା ପୁଲିସର ଅପାରଗତା ଉପରେ ଅନେକ ପ୍ରଶ୍ନ ଉଠାଉଛି। ହସ୍ପିଟାଲର ସୁରକ୍ଷା ଦାୟିତ୍ବ ସିଆଇଏସ୍ଏଫ୍ ନେବ।
ନର୍ସ ଓ ମହିଳା ଡାକ୍ତରମାନେ ଅସହାୟ ଭାବେ ବିଶୃଙ୍ଖଳିତ ଲୋକଙ୍କ ଚିକିତ୍ସା କରିବା ପାଇଁ ବାଧ୍ୟ ହେଉଛନ୍ତି। ଶୌଚାଳୟ ସୁବିଧା ନାହିଁ, ଲମ୍ବା ସିଫ୍ଟ ପରେ ଘରକୁ ଫେରିବା ପାଇଁ ପରିବହନ ବ୍ୟବସ୍ଥା ନାହିଁ ଏବଂ ସୁରକ୍ଷା ପାଇଁ ସିସିଟିଭି ନାହିଁ। କର୍ତ୍ତୃପକ୍ଷଙ୍କର ଏହା କିଭଳି ପରିଚାଳନା?
କୋଲକାତା କାଣ୍ଡ ନେଇ ଆନ୍ଦୋଳନ ହେଉଛି ଏବଂ ଡାକ୍ତରମାନେ ଏଥିରେ ସାମିଲ ଅଛନ୍ତି। ଅବହେଳିତ ଲୋକମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ହଇରାଣ ହେଉଥିବାରୁ ଆମେ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରୁଛୁ।
କୋଲକାତା, ୨୦/୮ : କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ତଦନ୍ତ ତ୍ବରାନ୍ବିତ ହୋଇଛି। ମେଡିକାଲ କଲେଜର ୨ ଜଣ ବରିଷ୍ଠ ମହିଳା ଅଧିକାରୀଙ୍କୁ ସିବିଆଇ ଜେରା କରିବ। ଏଥିପାଇଁ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ସମ୍ପତ ମୀନାଙ୍କୁ ଏହି ଦାୟିତ୍ବ ମିଳିଛି। ମେଡିକାଲ କଲେଜର ୨ ମହିଳା ଅଧିକାରୀଙ୍କୁ ସେ ଜେରା କରିବେ। ପୂର୍ବରୁ ସେ ୨୦୨୦ରେ ହାଥରସ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଓ ୨୦୧୭ରେ ଉନ୍ନାଓ ଦୁଷ୍କର୍ମ ମାମଲାର ତଦନ୍ତ କରିଥିଲେ। ୧୯୯୪ ବ୍ୟାଚ୍ ଆଇପିଏସ ଅଫିସର ମୀନା ଘଟଣାର ତଦନ୍ତ କରୁଥିବା ୨୫ ଜଣିଆ ଟିମ୍ର ଅଂଶବିଶେଷ। ଏହି ଟିମ୍ରେ ମଧ୍ୟ ଅଛନ୍ତି ଏଏସ୍ପି ସୀମା ପାହୁଜା। ସେ ଘଟଣାର ମୂଳକୁ ଯାଇ ତଦନ୍ତ କରୁଛନ୍ତି। ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୦୭ ଏବଂ ୨୦୦୮ରେ ସେ ୨ ଥର ସ୍ବର୍ଣ୍ଣ ପଦକ ପାଇଛନ୍ତି।
/sambad/media/post_attachments/wp-content/uploads/2024/08/fshhfsfhsf.jpg)
ମେଡିକାଲ କଲେଜର ପୂର୍ବତନ ମୁଖ୍ୟଙ୍କ ବିରୋଧରେ ଦୁର୍ନୀତି ମାମଲା
କୋଲକାତା: କୋଲକାତାର ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଦ୍ବାରା ଜେରାର ସମ୍ମୁଖୀନ ହୋଇଥିବା କଲେଜର ପୂର୍ବତନ ପ୍ରିନ୍ସପାଲ ଡା ସନ୍ଦୀପ ଘୋଷଙ୍କ ବିରୋଧରେ ଏକ ଦୁର୍ନୀତି ମାମଲା ରୁଜୁ ହୋଇଛି। ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ସ୍ବତନ୍ତ୍ର ସଚିବ ଦେବଲ କୁମାର ଘୋଷଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ଘୋଷଙ୍କ କାର୍ଯ୍ୟକାଳ ସମୟରେ ତଥା ୨୦୨୧ରୁ ଏଯାବତ ଆରଜି କର ମେଡିକାଲ କଲେଜରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ଏକ ଏସ୍ଆଇଟି ଗଠନ ହୋଇଥିବା ବେଳେ ଘୋଷଙ୍କ ବିରୋଧରେ ଏନେଇ ମାମଲା ରୁଜୁ ହୋଇଛି। ଏକ ସରକାରୀ ବିବୃତି ଅନୁଯାୟୀ ପୁଲିସ ଆଇଜି ପ୍ରଣବ କୁମାର ଏସଆଇଟିର ମୁଖ୍ୟ ରହିବେ। ସେହିପରି ଡିଆଇଜି, ସିଆଇଡି ଏବଂ ଡିସିପି ମଧ୍ୟ ଏସ୍ଆଇଟିର ଏକ ଅଂଶ ହେବେ। ମାସକ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବେ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fshhfsfhsf-1.jpg)