ସୁପ୍ରିମ୍‌ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ପଦୋନ୍ନତିରେ ସଂରକ୍ଷଣ ମୌଳିକ ଅଧିକାର ନୁହେଁ

ରାଜ୍ୟମାନେ ଲାଗୁ କରିବାକୁ ବାଧ୍ୟ ନୁହନ୍ତି, ସୁପ୍ରିମ୍‌ କୋର୍ଟ ରାୟକୁ କଂଗ୍ରେସ, ଏଲ୍‌ଜେପିର ବିରୋଧ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ଏକ ମୌଳିକ ଅଧକାର ନୁହେଁ ବୋଲି କହିଛନ୍ତି। ରାଜ୍ୟ ସରକାରମାନେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ବାଧ୍ୟ ନୁ‌ହନ୍ତି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ବିଚାରପତି ଏଲ୍‌ ନାଗେଶ୍ବର ରାଓ ଏବଂ ବିଚାରପତି ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ଉତ୍ତରାଖଣ୍ଡ ସରକାରଙ୍କ ଏକ ଆବେଦନର ଶୁଣାଣି କରି କହିଥିଲେ ଯେ ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ମୌଳିକ ଅଧିକାର ନୁହେଁ ଏବଂ ରାଜ୍ୟ ସରକାର ମଧ୍ୟ ଏହାକୁ ମୌଳିକ ଅଧିକାର ଭାବେ ଲାଗୁ କରିବାକୁ ବାଧ୍ୟ ନୁହନ୍ତି। କୋର୍ଟ ମଧ୍ୟ ସରକାରଙ୍କୁ ଏଥିପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି।। ସମ୍ବିଧାନର ଧାରା ୧୬ (୪) ଏବଂ ୪ଏରେ ଯେଉଁ ବ୍ୟବସ୍ଥା ରହିଛି ସେହି ଆଧାରରେ ରାଜ୍ୟ ସରକାର ଅନୁସୂଚିତ ଜାତି/ଜନଜାତିର ଲୋକଙ୍କ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଦେଇପାରିବେ, କିନ୍ତୁ ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କର ହିଁ ହେବ। ରାଜ୍ୟ ସରକାର ଏସ୍‌ସି/ଏସ୍‌ଟି ସଂପ୍ରଦାୟର ଲୋକଙ୍କ ପ୍ରତିନିଧିତ୍ବ ସଂକ୍ରାନ୍ତ ତଥ୍ୟ ଆଧାରରେ ତାଙ୍କର ନିଷ୍ପତ୍ତି ନେଇପାରିବେ।

ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ଉତ୍ତରାଖଣ୍ଡ ହାଇକୋର୍ଟର ୧୫ ନଭେମ୍ବର ୨୦୧୯ ରାୟ ଉପରେ ଆସିଛି। ଯେଉଁଥିରେ ରାଜ୍ୟ ସରକାରଙ୍କୁ ପ୍ରତିନିଧିତ୍ବ ଆଧାରରେ ତଥ୍ୟ ସଂଗ୍ରହ କରି ଏସ୍‌ସି/ଏସ୍‌ଟି କର୍ମଚାରୀଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ପାଇଁ କୁହାଯାଇଥିଲା । ତେବେ ଉତ୍ତରାଖଣ୍ଡ ସରକାର ଏହି ବ୍ୟବସ୍ଥା ଲାଗୁ କରିପାରିବେ ନାହିଁ ବୋଲି କହିବା ସହ ଏହାକୁ ଏହାକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଂଜ କରିଥିଲେ। ପଦୋନ୍ନତିରେ ସଂକ୍ଷରଣ ସଂକ୍ରାନ୍ତ ସୁପ୍ରିମ୍‌ କୋର୍ଟ ରାୟକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ରାୟକୁ କଂଗ୍ରେସ ଏବଂ ଏଲ୍‌ଜେପି ଦୃଢ଼ ବିରୋଧ କରିଛନ୍ତି। କଂଗ୍ରେସ ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ପାଇଁ କେନ୍ଦ୍ର ସରକାର ଏବଂ ଉତ୍ତରାଖଣ୍ଡର ବିଜେପି ସରକାର ଦାୟୀ ବୋଲି କହିଛି। କଂଗ୍ରେସ ଏଭଳି ନିଷ୍ପତ୍ତିର ଜୋର୍‌ଦାର ବିରୋଧ କରିବ ବୋଲି ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେ କହିଛନ୍ତି। ଏଲ୍‌ଜେପି ମଧ୍ୟ ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟକୁ ବିରୋଧ କରିଛି। ଦଳର ଜାତୀୟ ଅଧ୍ୟକ୍ଷ ଚିରାଗ ପାଶ୍ବାନ କହିଛନ୍ତି ଯେ ପୂର୍ବରୁ ଯେଉଁ ନୀତିରେ ସଂରକ୍ଷଣ ବ୍ୟବସ୍ଥା ଚାଲିଥିଲା ସେହି ସମାନ ନୀତି କାଏମ ରହିବା ଆବଶ୍ୟକ। ପଦୋନ୍ନାତିରେ ବି ସଂରକ୍ଷଣ ଲାଗୁ ହେବା ଜରୁରୀ ଏବଂ ଏଥିପାଇଁ କେନ୍ଦ୍ର ସରକାର ତତ୍ପରତାର ସହ ପଦକ୍ଷେପ ନେବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର