ନୂଆଦିଲ୍ଲୀ : କଲେଜିୟମ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ବ୍ୟବସ୍ଥା ଠିକ୍ ଢଙ୍ଗରେ କାମ କରୁଛି ଏବଂ ଏହାକୁ କୌଣସି ସ୍ଥିତିରେ ବି ବିଗାଡ଼ିବା ଉଚିତ ହେବନାହିଁ। କଲେଜିୟମର କେତେକ ପୂର୍ବତନ ସଦସ୍ୟ ଏବେ ବିଭିନ୍ନ ରାୟକୁ ନେଇ ବୟାନ ଦେବା ଏକ ଫେସନ ପାଲଟିଯାଇଛି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଆର୍ଟିଆଇ କାର୍ଯ୍ୟକର୍ତ୍ତା ଅଞ୍ଜଳୀ ଭରଦ୍ବାଜଙ୍କ ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍କୋର୍ଟ ଏଭଳି ଟି୍ପ୍ପଣୀ କରିଛନ୍ତି। ଭାରଦ୍ବାଜ ଦିଲ୍ଲୀ ହାଇକୋର୍ଟର ଏକ ରାୟକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଂଜ କରିଥିଲେ, ଯେଉଁଥିରେ ଆର୍ଟିଆଇ ଆଇନ ଅଧୀନରେ ୧୨ ଡିସେମ୍ବର, ୨୦୧୮ରେ ସୁପ୍ରିମ୍କୋର୍ଟ କଲେଜିୟମ ବୈଠକର ବିବରଣୀ ସଂକ୍ରାନ୍ତ ତଥ୍ୟ ମଗାଯିବାକୁ ଖାରଜ କରାଯାଇଥିଲା।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ଦେଶବାସୀଙ୍କୁ ସୂଚନା ପାଇବା ଅଧିକାରରୁ ଆମେ ବଞ୍ଚିତ କରିପାରିବା ନାହିଁ। ଆର୍ଟିଆଇକୁ କୋର୍ଟ ମୌଳିକ ଅଧିକାର ବୋଲି ପୂର୍ବରୁ କହିଥିବାରୁ ଏବେ ଏହି ମାମଲାରେ ପଛକୁ ହଟିବା ଉଚିତ ନୁହେଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ୧୨ ଡିସେମ୍ବର ୨୦୧୮ରେ କଲେଜିୟମର ବୈଠକ ସୁପ୍ରିମ୍କୋର୍ଟରେ ବିଚାରପତି ନିଯୁକ୍ତି ନେଇ ନିଷ୍ପତ୍ତି ନେବାକୁ ହୋଇଥିଲା। ଏହା ସହିତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ଓ ଅନ୍ୟ ପ୍ରସ୍ତାବ ଉପରେ ଏଥିରେ ଆଲୋଚନା ହୋଇଥିଲା। ଆବେଦନକାରୀ ଏହି ବୈଠକର ସଂପୂର୍ଣ୍ଣ ବିବରଣୀ ଆର୍ଟିଆଇ ଅଧୀନରେ ମାଗିଥିବା ବେଳେ କୋର୍ଟ ଏହାକୁ ଖାରଜ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)