ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବାରମ୍ବାର ଇଭିଏମ୍‌ର କାର୍ଯ୍ୟକାରିତା ଉପରେ ସନ୍ଦେହ କରୁଥିବା ପିଟିସନ୍ ସଂଖ୍ୟାକୁ ନେଇ ସୁପ୍ରିମ୍‌କୋର୍ଟ ଆଶ୍ଚର୍ଯ୍ୟ ଓ ଉଦ୍‌ବେଗ ପ୍ରକାଶ କରିଛନ୍ତି। ‘ଆଉ କେତେ ରିଟ୍ ପିଟିସନ୍ ଦାଖଲ କରିବେ ଏବଂ ପ୍ରତିଥର ନୂଆ ସନ୍ଦେହ?’- ଜଷ୍ଟିସ୍ ସଞ୍ଜୀବ ଖାନ୍ନା ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ପ୍ରଶାନ୍ତ ଭୂଷଣଙ୍କୁ ଏଭଳି ପ୍ରଶ୍ନ କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ, ଏକ ନୂତନ ୟୁଟ୍ୟୁବ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ଇଭିଏମ୍ ହ୍ୟାକ୍ ହୋଇପାରିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ୨୦୧୭ ପରେ ଇଭିଏମ୍‌ରେ ‘କଳା ପ୍ରତିଫଳନ କାଚ’ ଲଗାଯାଇଛି, ଯାହାଫଳରେ ଭୋଟରମାନେ ଭିଭିପାଟ୍ ସ୍ଲିପ୍ ଦେଖିବାକୁ ଅସମର୍ଥ ହେଉଛନ୍ତି।

Advertisment

ସିବଲ କହିଛନ୍ତି ଯେ ନୂଆ ଆପ୍ଲିକେସନରେ ଯେଉଁ ସମସ୍ୟା ରହିଛି ତାହା ଆଗରୁ କେବେ ଅଦାଲତରେ ଉଠାଯାଇ ନ ଥିଲା। ତେଣୁ ଏହା ଉପରେ ଶୀଘ୍ର ଶୁଣାଣି ପାଇଁ ସେ ଅନୁରୋଧ କରିଥିଲେ। ୨୦୧୯ରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରତି ବିଧାନସଭା ଆସନ ପାଇଁ ଚୟନ କରାଯାଇଥିବା ୫ଟି ମତଦାନ କେନ୍ଦ୍ରର ଭିଭିପାଟ୍ କରାଯିବା ଉଚିତ। କିନ୍ତୁ ଭୂଷଣ ଚାହୁଛନ୍ତି ଏହାକୁ ୧୦୦% କରାଯାଉ। ତେବେ ଖଣ୍ଡପୀଠ ନୂଆ ଆପ୍ଲିକେସନ ଉପରେ ନିର୍ବାଚନ କମିସନଙ୍କୁ ନୋଟିସ ଜାରି କରିବାକୁ ମନା କରିବା ସହ ଶୀଘ୍ର ଶୁଣାଣି କରିବାକୁ ମଧ୍ୟ ମନା କରି ଦେଇଛନ୍ତି । ମାର୍ଚ୍ଚ ୧୮ରୁ ଆରମ୍ଭ ହେବାକୁ ଥିବା ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।