ହ୍ବାଟ୍‌ସଆପ୍‌କୁ ସୁପ୍ରିମ୍‌ କୋର୍ଟଙ୍କ କଡ଼ା ବାର୍ତ୍ତା : ଲୋକଙ୍କ ଗୋପନୀୟତା ରକ୍ଷା ଆମର କର୍ତ୍ତବ୍ୟ

ନୂଆଦିଲ୍ଲୀ : ‌ମୋବାଇଲ ମେସେଜିଂ ସେବା ପ୍ରଦାନକାରୀ କମ୍ପାନି ହ୍ବାଟ୍‌ସଆପ୍‌ର ନୂଆ ଗୋପନୀୟ ନୀତି ଉପରେ ସୁପ୍ରିମ୍‌ କୋର୍ଟ ଆଜି ଉଦବେଗ ପ୍ରକାଶ କରିଛନ୍ତି। ଗୋପନୀୟତା ପ୍ରସଙ୍ଗରେ ବ୍ୟବହାରକାରୀମାନେ ଆତଙ୍କିତ ଅଛନ୍ତି। ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏ ନେଇ ହ୍ବାଟ୍‌ସଆପ୍‌ ଓ ଏହାର ମୂଳ କମ୍ପାନି ଫେସ୍‌ବୁକ୍‌କୁ ନୋଟିସ୍‌ ଜାରି କରିଛନ୍ତି। କମ୍ପାନିର ନୂଆ ଗୋପନୀୟ ନୀତିକୁ ଚାଲେଞ୍ଜ କରି ହୋଇଥିବା ଏକ ମାମଲାର ଶୁଣାଣି ବେଳେ ସୁପ୍ରିମ କୋର୍ଟ ଏହି ନୋଟିସ କରିଛନ୍ତି। କମ୍ପାନି ଏହାର ନୂଆ ଗୋପନୀୟ ନୀତିକୁ ଲାଗୁ ‌କଲେ ସୁପ୍ରିମ କୋର୍ଟଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି।

ଏଥିସହିତ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ନୋଟିସ ଜାରି କରିଛନ୍ତି। କମ୍ପାନିକୁ ନୋଟିସ ଜାରି କରିବା ସମୟରେ ପ୍ରଧାନବିଚାରପତି କହିଛନ୍ତି, ତୁମେ (ହ୍ବାଟ୍‌ସଆପ୍‌ ଓ ଫେସ୍‌ବୁକ୍‌) ୨ରୁ ୩ ଟ୍ରିଲିଅନ୍ ଡଲାର ମୂଲ୍ୟର କମ୍ପାନି ହୋଇପାର। କିନ୍ତୁ ଲୋକମାନେ ସେମାନଙ୍କ ଟଙ୍କା ତୁଳନାରେ ଗୋପନୀୟତାକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ତେଣୁ ଲୋକଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଯଦି ‘କ’ ନାମକ ଜଣେ ବ୍ୟକ୍ତି ‘ଖ’ ନାମକ ବ୍ୟକ୍ତି ନିକଟକୁ କୌଣସି ହ୍ବାଟ୍‌ସଆପ୍‌ ବାର୍ତ୍ତା ପଠା‌ଏ ଏବଂ ‘ଖ’ ସେହି ବାର୍ତ୍ତାକୁ ‘ଗ’ ନାମକ ଜଣେ ବ୍ୟକ୍ତିକୁ ପଠାଏ ତାହେଲେ ସେହି ବାର୍ତ୍ତାର ସର୍କିଟକୁ ବା ବାର୍ତ୍ତାଟି କାହା କାହା ପାଖକୁ ଯାଇଛି ତାହା ଫେସବୁକ୍‌ ଜାଣିପାରିବ। ସେମାନେ ଏହା ଶୁଣିବାକୁ ବା ପଢ଼ିବାକୁ ପାଉଛନ୍ତି ବୋଲି ପ୍ରଧାନ ବିଚାରପତି କମ୍ପାନିର ମାମଲା ପରିଚାଳନା କରୁଥିବା ଆଇନଜୀବୀ କପିଲ ସିବଲ୍‌ ଓ ଅରବିନ୍ଦ ଦତରଙ୍କୁ କହିଥିଲେ। ତେବେ ଦୁଇ ଆଇନଜୀବୀ ଏହାକୁ ଅସ୍ବୀକାର କରିବା ସହିତ ଏହା ଠିକ୍ ସୂଚନା ନୁହେଁ ବୋଲି କହିଥିଲେ। ସେହିଭଳି ୟୁରୋପୀୟ ଏବଂ ଭାରତୀୟଙ୍କୁ କମ୍ପାନି ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖୁଛି ବୋଲି ହୋଇଥିବା ଅଭିଯୋଗକୁ ମଧ୍ୟ ସିବଲ୍‌ ସ୍ବୀକାର କରି ନଥିଲେ। ଏହାପରେ ପ୍ରଧାନ ବିଚାରପତି କହିଥିଲେ ଆମେ ଏ ନେଇ ନୋଟିସ୍ ଜାରି କରୁଛି। ଘଟଣା କ’ଣ ତାହାର ଜବାବ ରଖ। ଭାରତ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ସାରା ଦେଶ ଏ ନେଇ ଚିନ୍ତିତ। ଗୋପନୀୟତା ଲୋକଙ୍କ ମୌଳିକ ଅଧିକାର। ଆମର ଗୋପନୀୟତା ସହିତ କମ୍ପାନି ଦ୍ବୟ ସାଲିସ କରିପାରିବେ ନାହିଁ। ପ୍ରଧାନବିଚାରପତିଙ୍କ ସମେତ ବିଚାରପତି ଏ ଏସ ବୋପନ୍ନା ଏବଂ ଭି ରାମସୁବ୍ରମଣ୍ୟନ୍‌ ଏହି ମାମଲାର ଶୁଣାଣି କରିଥିଲେ।

ସମ୍ବନ୍ଧିତ ଖବର