ନୂଆଦିଲ୍ଲୀ: ଭାରତରେ ଶରଣାର୍ଥୀ ସମସ୍ୟା ଜଟିଳ ହେଉଥିବା ବେଳେ ଶରଣାର୍ଥୀଙ୍କ ସ୍ଥାୟୀ ରହଣି ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ଆଜି କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଭାରତ ଏକ ଧର୍ମଶାଳା ନୁହେଁ ଏବଂ ଏଠାରେ ଅନ୍ୟ ରାଷ୍ଟ୍ରରୁ ଆସୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ରହିବା ପାଇଁ ଅନୁମତି ମିଳିପାରିବ ନାହିଁ। ଭାରତ ୧୪୦ କୋଟି ଜନସଂଖ୍ୟାର ବୋଝକୁ ମୁକାବିଲା କରୁଛି। ଏଭଳି ସ୍ଥିତିରେ ଦେଶକୁ ଶରଣାର୍ଥୀଙ୍କ ପାଇଁ ଧର୍ମଶାଳା ଭଳି ବ୍ୟବହାର କରାଯାଇପାରିବ ନାହିଁ। ଶ୍ରୀଲଙ୍କାରୁ ଭାରତ ଆସିଥିବା ଏଲ୍‌ଟିଟିଇ (ଲିବରେସନ୍‌ ଟାଇଗର୍ସ ଅଫ୍ ତାମିଲ ଇଲମ୍)ର ଜଣେ ପୂର୍ବତନ ସଦସ୍ୟଙ୍କ ଆବେଦନକୁ ଖାରଜ କରି ସୁପ୍ରିମ୍‌କୋର୍ଟ ଏଭଳି ମତ ରଖିଛନ୍ତି। ଆବେଦନକାରୀ ଭାରତରେ ରହିବାକୁ ଅନୁମତି ଦେବାପାଇଁ ଆବେଦନ କରିଥିଲେ।

Advertisment

ସୁବାସ୍କରନ୍‌ ଓରଫ ଜୀବନ ଓରଫ ରାଜା ଓରଫ ପ୍ରଭାଙ୍କୁ ୨୦୧୫ରେ ତାମିଲନାଡ଼ୁରେ ଗିରଫ କରାଯାଇଥିଲା। ସନ୍ଦେହରେ ପୁଲିସ ତାଙ୍କୁ ଗିରଫ କରିଥିଲା ଏବଂ ତଦନ୍ତରୁ ପ୍ରମାଣିତ ହୋଇଥିଲା ଯେ ସେ ଜଣେ ଶ୍ରୀଲଙ୍କା ନାଗରିକ ଓ ତାମିଲ ଆତଙ୍କବାଦୀ। ଉକ୍ତ ବ୍ୟକ୍ତି ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବାର ପ୍ରମାଣ ମଧ୍ୟ ମିଳିଥିଲା। ନିମ୍ନ ଅଦାଲତ ତାଙ୍କୁ ୟୁଏପିଏ ଆଇନ ଅନୁଯାୟୀ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୨୨ରେ ହାଇକୋର୍ଟ ଏହି ଦଣ୍ଡାଦେଶକୁ ୭ ବର୍ଷକୁ ହ୍ରାସ କରିଥିଲେ। କିନ୍ତୁ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ ଦଣ୍ଡାଦେଶ ସରିବା ପରେ ସୁବାସ୍କରନ୍‌ଙ୍କୁ ଭାରତ ଛାଡ଼ି ଶ୍ରୀଲଙ୍କା ଯିବାକୁ ପଡ଼ିବ।

ଏହି ଆଦେଶ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୁବାସ୍କରନ୍‌ କହିଛନ୍ତି, ସେ ୨୦୦୯ ଶ୍ରୀଲଙ୍କା ଗୃହଯୁଦ୍ଧରେ ଏଲ୍‌ଟିଟିଇ ପକ୍ଷରୁ ଅଂଶଗ୍ରହଣ କରିଥିଲେ। ଯଦି ସେ ଶ୍ରୀଲଙ୍କା ଯିବେ ତେବେ ତାଙ୍କୁ ଗିରଫ କରାଯାଇ ନିର୍ଯାତନା ଦିଆଯିବ। ସେ ଭାରତରେ ରହିବା ପାଇଁ ଆଶ୍ରୟ ମାଗୁଛନ୍ତି। ତାଙ୍କ ପତ୍ନୀ ଓ ପୁଅ ଭାରତରେ ରହୁଛନ୍ତି ଏବଂ ଦୁହେଁ ଅସୁସ୍ଥ ଅଛନ୍ତି ବୋଲି ସେ ଦର୍ଶାଇଥିଲେ। ଜଷ୍ଟିସ୍‌ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍‌ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆବେଦନକାରୀଙ୍କର ଭାରତରେ ବସବାସ କରିବାର କୌଣସି ଅଧିକାର ନାହିଁ। ଭାରତର ସମ୍ବିଧାନ ଭାରତୀୟ ନାଗରିକମାନଙ୍କୁ ଦେଶର ଯେକୌଣସି ସ୍ଥାନରେ ରହିବା କିମ୍ବା ବସବାସ କରିବାର ଅଧିକାର ଦେଇଛି, କୌଣସି ବିଦେଶୀଙ୍କୁ ନୁହେଁ। ଦଣ୍ଡାଦେଶ ସରିବା ପରେ ସୁବାସ୍କରନ୍‌ଙ୍କୁ ଶ୍ରୀଲଙ୍କା ପଠାଇ ଦିଆଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।