ଘୃଣା ଭାଷଣ ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ: କାର୍ଯ୍ୟାନୁଷ୍ଠାନ କର, ନହେଲେ ଆମେ କରିବୁ

ଧର୍ମକୁ ନେଇ ଆମେ କେଉଁ ସ୍ତରକୁ ଆସିଲେଣି?

ନୂଆଦିଲ୍ଲୀ : ଦେଶରେ ଘୃଣା ଭ‌ାଷଣକୁ ‌ନେଇ ବିବାଦ ବଢ଼ୁଥିବାରୁ ସୁପ୍ରିମକୋର୍ଟ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଘୃଣା ଭାଷଣ ପ୍ରସଙ୍ଗରେ କୌଣସି ଅଭିଯୋଗ ହେବାପର୍ଯ୍ୟନ୍ତ ଅପେକ୍ଷା ନକରି ନିଜଆଡ଼ୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାର ଏବଂ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଘୃଣା ଭାଷଣ ଏବଂ ଘୃଣା ଅପରାଧକୁ ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ‌ନହେଲେ ଏହାକୁ ଅଦାଲତ ଅବମାନନା ବିବେଚନା କରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।

ଜଷ୍ଟିସ୍‌ କେଏମ୍‌ ଯୋସେଫ୍‌ ଏବଂ ଜଷ୍ଟିସ୍‌ ହୃଷିକେଶ ରାୟଙ୍କ ଖଣ୍ଡପୀଠ ନିକଟରେ ଅନୁଷ୍ଠିତ ହୋଇଥିବା ଧର୍ମ ସଂସଦରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ଦିଆଯାଇଥିବା ଘୃଣା ଭାଷଣ ପ୍ରସଙ୍ଗରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି, ଏହା ଏକବିଂଶ ଶତାବ୍ଦୀ। ଧର୍ମ ଓ ଈଶ୍ବରଙ୍କୁ ନେଇ ଆମେ କେଉଁ ସ୍ତରକୁ ନେଇ ଆସିଲେଣି। ଘୃଣା ଭା‌ଷଣ ବଢ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ କୋର୍ଟ କହିଛନ୍ତି କୌଣସି ଧର୍ମକୁ ନଦେଖି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ଏହାଦ୍ବାରା ଭାରତର ଧର୍ମନିରପେକ୍ଷ ନୀତି କାଏମ ରହିପାରିବ। କୋର୍ଟ କହିଛନ୍ତି, ପୁଲିସ ଏଭଳି ମାମଲାରେ ଅଭିଯୋଗ ହେବା ପର୍ଯ୍ୟନ୍ତ ଅପେକ୍ଷା ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।

କୋର୍ଟ ମଧ୍ୟ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ପୁଲିସଠାରୁ ଏ ବାବଦରେ ଜବାବ ମାଗିଛନ୍ତି। ଘୃଣା ଭାଷଣ ପ୍ରସଙ୍ଗରେ ସେମାନେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେନେଇ ଜବାବ ରଖିବାକୁ କୋର୍ଟ କହିଛନ୍ତି।

କୋର୍ଟ ଶୁକ୍ରବାର ଦିନ ସାହିନ ଅବଦୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରିବା‌ ସମୟରେ ଏହି ଟିପ୍ପଣୀ ଦେଇଛନ୍ତି। ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ଶାସକ ଦଳର ସଦସ୍ୟମାନେ ଘୃଣା ଅପରାଧରେ ସମ୍ପୃକ୍ତ। ମୁସଲମାନ ଏବଂ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣ ଦିଆଯାଉଛି। ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ କୋର୍ଟ ଏହି ମାମଲାରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କଠାରୁ ଜବାବ ମାଗିଥିଲେ।

ସମ୍ବନ୍ଧିତ ଖବର