ନୂଆଦିଲ୍ଲୀ: ନୂଆଦିଲ୍ଲୀର ଶାହିନ ବାଗରେ ଚାଲିଥିବା ସିଏଏ ବିରୋଧି ଆନ୍ଦୋଳନ ବି‌ରୋଧରେ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟ ଶୁଣାଣି କରିଛନ୍ତି । ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ଗଣତନ୍ତ୍ରରେ ସମସ୍ତଙ୍କ  ପ୍ରତିବାଦ କରିବାର ଅଧିକାର ଅଛି, କିନ୍ତୁ ଆନ୍ଦୋଳନ ନାମରେ ରାସ୍ତା  ଅବରୋଧ କରିହେବ ନାହିଁ | ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୧୫ ତାରିଖଠାରୁ ସିଏଏ ବିରୋଧି ଆନ୍ଦୋଳନକାରୀ ଶହିନବାଗରେ ରାସ୍ତା ବନ୍ଦ କରି ରଖିଛନ୍ତି, ଫଳରେ ସ୍ଥାନୀୟ ଜନସାଧାରର ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଏହାକୁ ଏକ ଆବେଦନ ମାଧ୍ୟମରେ ସର୍ବୋଚ୍ଚ ଅଦାଲତଙ୍କ ହସ୍ତକ୍ଷେପ ଲୋଡିଥିଲେ ଆଇନଜୀବୀ ଅମିତ ସାହାନୀ।

Advertisment

ଏହା ସହ ଶାହିନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହେବା ପାଇଁ ସର୍ବୋଚ୍ଚ ଅଦାଲତ ଜଣେ  ମଧ୍ୟସ୍ଥି  ନିଯୁକ୍ତ କରିଛନ୍ତି | ସୁପ୍ରିମ କୋର୍ଟ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଓ ଶ୍ରଦ୍ଧା ରାମଚନ୍ଦ୍ରନଙ୍କୁ  ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେିଛନ୍ତି। ପ୍ରଥମେ କୋର୍ଟ ଆଇନଜୀବୀ  ସଞ୍ଜୟ ହେଗଡେଙ୍କୁ  ମଧ୍ୟସ୍ଥି ଘୋଷଣା କରିବା ପରେ ସେ  ଅପିଲ କରି କହିଥିଲେ ଯେ ତାଙ୍କ ସହ ଅବସରପ୍ରାପ୍ତ ଜଷ୍ଟିସ କୁରିୟନ ଜୋସେଫଙ୍କୁ ମଧ୍ୟ ପଠାଯାଉ | ମାତ୍ର ଅଦାଲତ ଏହାପରେ ବରିଷ୍ଠ ଆଇନଜୀବୀ ଦ୍ଧା ରାମଚନ୍ଦ୍ରନଙ୍କୁ ମଧ୍ୟସ୍ଥି ନିଯୁକ୍ତ କରିଥିଲେ।

publive-image Photo-Siasat

ସଞ୍ଜୟ ହେଗଡେଙ୍କ ପକ୍ଷରୁ ସଲିସିଟର ଜେନେରାଲ ପୁଲିସ ସୁରକ୍ଷାର ଅପିଲ କରିଥିଲେ | ଏହା ପୂର୍ବରୁ ଫେବ୍ରୁଆରି ୧୦ରେ ଶୁଣାଣି କରି ସୁପ୍ରିମ କୋର୍ଟ କହିଥିଲେ, ଲୋକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି। ମାତ୍ର, ରାସ୍ତା ଅବରୋଧ କରିବାର ଅଧିକାର ନାହିଁ। ଆନ୍ଦୋଳନ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ବାଛିବା ଜରୁରୀ ବୋଲି କୋର୍ଟ କହିଥିଲେ।

ସୂଚନାଯୋଗ୍ୟ, ଶାହିନ ବାଗରୁ ଆନ୍ଦୋଳନକୁ ହଟାଇବା ଉଦ୍ଦେଶ୍ୟରେ ଡ.ନନ୍ଦ କିଶୋର ଗର୍ଗ ଏବଂ ଅମିତ ସାହାନୀ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଶାହିନ ବାଗରେ ଆନ୍ଦୋଳନ ବେଆଇନ ବୋଲି ସେମାନେ ଦର୍ଶାଇଥିଲେ, ‌ଯାହାକୁ ନେଇ ସୁପ୍ରିମ କୋର୍ଟ ଆଜି ଏହି ମାମଲାର ଶୁଣାଣି କରିଛନ୍ତି । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦୁଇ ମାସ ଧରି ଶାହିନ ବାଗ୍‌ରେ ଆନ୍ଦୋଳନ ଚାଲି ଆସୁଛି। ଏହା ଫଳରେ ଦିଲ୍ଲୀରେ ରାସ୍ତା ଅବାରୋଧ ସମସ୍ୟା ଉପୁଜିଛି।