ନୂଆଦିଲ୍ଲୀ: ଚାକିରିରୁ ଛଟେଇ ହୋଇଥିବା କର୍ମଚାରୀଙ୍କ ପାଇଁ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ | ମଧ୍ୟପ୍ରଦେଶ ବୁନ୍ଦେଲଖଣ୍ଡର ଏକ ବ୍ୟାଙ୍କର କର୍ମଚାରୀଙ୍କ ଛଟେଇ ବାବଦରେ ରାୟ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଶିଳ୍ପ ବିବାଦ ଆଇନର ଧାରା ୨୫ଏଫ ର ସର୍ତ୍ତ ପାଳନ କରାଯାଇନଥାଏ, ତେବେ ଏପରି ପରିସ୍ଥିତିରେ କର୍ମଚାରୀଙ୍କ ପୂର୍ବ ବେତନ ସହିତ ପୁନଃ ଚାକିରି ଦେବା ଜରୁରୀ ନୁହେଁ। ଏହି ରାୟ ଦେଇ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି |
ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶ ହାଇକୋର୍ଟ କିଛି ଦିନ ତଳେ ବୁନ୍ଦେଲଖଣ୍ଡ କ୍ଷେତ୍ରିୟ ଗ୍ରାମୀଣ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ ଯେ ଯେଉଁ କର୍ମଚାରୀଙ୍କୁ ଛଟେଇ କରାଯାଇଛି ସେମାନଙ୍କୁ ପୂର୍ବ ବେତନ ସହିତ ପୁଣି ନିଯୁକ୍ତି ଦିଆଯାଉ । ଅନ୍ୟପଟେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ କର୍ମଚାରୀଙ୍କୁ ଦିଆଯାଇଥିବା ୫ ଲକ୍ଷ ଟଙ୍କା କ୍ଷତିପୂରଣ ଯଥେଷ୍ଟ । ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ଅନିରୁଦ୍ଧ ବୋଷଙ୍କ ଏକ ଖଣ୍ଡପୀଠ ସମ୍ପୃକ୍ତ ବ୍ୟାଙ୍କର ଆବେଦନ ଉପରେ ରାୟ ଦେଇ କହିଛନ୍ତି ଯେ ଶିଳ୍ପ ବିବାଦ ଅଧିନିୟମର ଧାରା ୨୫ଏଫ ଅନୁଯାୟୀ ଯଦି କର୍ମଚାରୀ ସର୍ତ୍ତାବଳି ପାଳନ କରିନଥାନ୍ତି ତେବେ କର୍ମଚାରୀଙ୍କୁ ପୁନଃ ଚାକିରି ଦେବା ଆବଶ୍ୟକ ନାହିଁ |
ଏହି ପରିପ୍ରେକ୍ଷୀରେ ଛଟେଇ ହୋଇଥିବା ପଞ୍ଚମ ଯାଦବ ନାମକ ବ୍ୟକ୍ତି କେନ୍ଦ୍ର ସରକାରୀ ଶିଳ୍ପ ଟ୍ରିବ୍ୟୁନାଲ ସମ୍ମୁଖରେ ଚ୍ୟାଲେଞ୍ଜ କରିଥିଲେ । ଦୈନିକ ମଜୁରୀରେ ନିୟୋଜିତ ଥିବାରୁ ସେ ନିୟମିତ କର୍ମଚାରୀ ନୁହଁନ୍ତି ବୋଲି ଟ୍ରିବ୍ୟୁନାଲ ରାୟ ଦେଇଥିଲେ । ଅନ୍ୟପଟେ ଏହି ବ୍ୟକ୍ତି ବର୍ଷକ ମଧ୍ୟରେ କ୍ରମାଗତ ୨୪୦ ଦିନରୁ ଅଧିକ କାର୍ଯ୍ୟ କରିଥିବାର ପ୍ରମାଣିତ କରିପାରିନଥିବାରୁ ସେ ମଧ୍ୟପ୍ରଦେଶ ହାଇକୋର୍ଟରେ ଏନେଇ ଅପିଲ କରିଥିଲେ | ଆଉ ମଧ୍ୟପ୍ରଦେଶ ହାଇକୋର୍ଟରେରାୟ ଦେଇଥିଲେ ଯେ ପୁନଃ ଚାକିରି ସହ ବକେୟା ବେତନ ତୁରନ୍ତ ପ୍ରଦାନ କରାଯାଉ | ଆଉ ଏହି ରାୟ ବିରୋଧରେ ବ୍ୟାଙ୍କ ସୁପ୍ରିମକୋର୍ଟକୁ ଆସିଥିଲା। ଶେଷରେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି |