ଧାନବାଦରେ ବିଚାରପତିଙ୍କୁ ହତ୍ୟା ଘଟଣା: ପ୍ରତି ସପ୍ତାହରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଧାନବାଦର ବିଚାରପତିଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି ସିବିଆଇକୁ ଝାଡ଼ଖଣ୍ଡ ହାଇକୋର୍ଟରେ ସାପ୍ତାହିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଝାଡ଼ଖଣ୍ଡ ହାଇକୋର୍ଟର ପ୍ରଧାନବିଚାରପତି ପ୍ରତି ସପ୍ତାହରେ ଦାଖଲ ହୋଇଥିବା ଅନୁସନ୍ଧାନର ରିପୋର୍ଟ ଉପରେ ନଜର ରଖିବେ। ଗତମାସ ୨୮ ତାରିଖରେ ବିଚାରପତି ଉତ୍ତମ ଆନନ୍ଦ ତାଙ୍କ ବାସଭବନ ନିକଟ ରାସ୍ତାରେ ଜଗିଂ କରୁଥିବା ବେଳେ ଖୋଲା ରାସ୍ତାରେ ଏକ ଅଟୋ ପିଟି ଦେଇ ଆଗକୁ ପଳାଇଥିଲା। ବିଚାରପତି ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲେ ଏବଂ ଏଥିରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ବିଚାରପତି ଜଣକ ମାଫିଆଙ୍କ ଜାମିନ ଆବେଦନକୁ ଖାରଜ କରିଥିବାରୁ ତାଙ୍କୁ ଟା‌ର୍ଗେଟ କରି ଏଭଳି ହତ୍ୟା କରାଯାଇଛି ବୋଲି କୁହାଯାଉଛି। ଏହି ମାମଲାରେ ସିସିଟିଭି ଫୁଟେଜ ଦେଖିବା ପରେ ହତ୍ୟାକାଣ୍ଡ ହୋଇଥିବାର ଜଣାପଡୁଛି । ଏହାପୂର୍ବରୁ ପ୍ରଧାନ ବିଚାରପତି ଏନ ଭି ରମଣା ସିବିଆଇ ଓ ଆଇବି ଉପରେ ବର୍ଷିଥିଲେ। ସିବିଆଇ କିଛି କରୁନାହିଁ କି ଅଭିଯୋଗ ପ୍ରତି କର୍ଣ୍ଣାପାତ କରୁନି ବୋଲି ପ୍ରଧାନବିଚାରପତି କହିଥିଲେ।

ବିଚାରପତିଙ୍କ ସୁରକ୍ଷା ପାଇଁ ଆସିଥିବା ପିଟିସନ ଉପରେ ସୁପ୍ରିମ କୋର୍ଟ ମଧ୍ୟ ସପ୍ତାହକ ମଧ୍ୟରେ କେନ୍ଦ୍ରର ଜବାବ ମାଗିଥିଲେ। ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି ଏବଂ ଅନୁସନ୍ଧାନକାରୀ ସଂସ୍ଥାର ସ୍ୱତନ୍ତ୍ର ଦଳ ଧାନବାଦରେ ପହଞ୍ଚିଛି। ତେବେ ଅଟୋ ଡ୍ରାଇଭର ଲଖନ ବର୍ମା ଏବଂ ତାଙ୍କ ସହଯୋଗୀ ରାହୁଲ ବର୍ମାଙ୍କୁ କ୍ରମାଗତ ପଚରାଉଚରା ସତ୍ତ୍ୱେ ସିବିଆଇ ଏହା ପଛର କାରଣ ଜାଣିପାରି ନାହିଁ।

ସମ୍ବନ୍ଧିତ ଖବର