ନୂଆଦିଲ୍ଲୀ: ସିନେମା ହଲ୍ ହେଉଛି ଏକ ବ୍ୟକ୍ତିଗତ ସମ୍ପତ୍ତି, ତେଣୁ ସେଠାରେ ହଲ୍ ମାଲିକଙ୍କ ଇଚ୍ଛାକୁ ପ୍ରାଧାନ୍ୟ ଦିଆଯିବା ଉଚିତ | ସିନେମା ହଲ୍ ଏକ ଜିମ୍ ନୁହେଁ ଯେ ଆପଣ ପୁଷ୍ଟିକର ଖାଦ୍ୟ ପାଇବେ | ଜମ୍ମୁକଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଏହା ସହ ସୁପ୍ରିମକୋର୍ଟ ଜମ୍ମୁକଶ୍ମୀର ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି। ଏହି ନିର୍ଦ୍ଦେଶରେ ହାଇକୋର୍ଟ ସିନେମା ହଲକୁ ବାହାରୁ ଖାଦ୍ୟ ଓ ପାନୀୟ ନେବାକୁ ଅନୁମତି ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ଆଦେଶକୁ ଅନ୍ୟାୟ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଏହି ନିର୍ଦ୍ଦେଶ ଦେବାବେଳେ ହାଇକୋର୍ଟ ଏହାର ଅଧିକାରକୁ ଉଲ୍ଲଂଘନ କରିଛନ୍ତି। ଜମ୍ମୁକଶ୍ମୀର ସିନେମା ହଲ୍ ମାଲିକ ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଥିଲା। ଏହି ମାମଲା ଜମ୍ମୁକଶ୍ମୀରର ଏକ ସିନେମା ହଲରେ ବାହାରୁ ଆଣିଥିବା ଖାଦ୍ୟ ଉପରେ ନିଷେଧାଦେଶ ସହ ଜଡିତ ଥିଲା।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ପିଏସ୍ ନରସିଂହଙ୍କ ଖଣ୍ଡପୀଠ ଶୁଣାଣି ସମୟରେ କହିଥିଲେ ଯେ ଯଦି କେହି ହଲକୁ ଜିଲାପି ନେଇ ଯିବେ ଓ ଖାଇସାରିବା ପରେ ସିଟରେ ହାତ ପୋଛିଦେବେ ତେବେ ସିଟ୍ ସଫା କରିବା ପାଇଁ ଖର୍ଚ୍ଚ କିଏ ଦେବ? ସିନେମା ହଲ୍ ମ୍ୟାନେଜମେଣ୍ଟର ମଧ୍ୟ ଅଭିଯୋଗ ରହିଛି ଯେ ଲୋକମାନେ ହଲକୁ ଚିକେନ କଷା ନେଇ ଆସୁଛନ୍ତି | ଚିକେନ ଖାଇ ହଲରେ ହାଡ ପକାଇ ଚାଲିଯାଉଛନ୍ତି | ଏହା କିଛି ଲୋକଙ୍କୁ ଅସୁବିଧାରେ ପକାଉଛି । ବାସ୍ତବରେ ଦୁଇଜଣ ଓକିଲଙ୍କ ପକ୍ଷରୁ ଜମ୍ମୁକଶ୍ମୀର ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା | ଆଉ ଜୁଲାଇ ୧୮, ୨୦୧୮ରେ ହାଇକୋର୍ଟ ଦେଇଥିବା ରାୟକୁ ଜମ୍ମୁକଶ୍ମୀର ସିନେମା ହଲ୍ ମାଲିକ ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆଉ ପୂର୍ବ ପିଟିସନରେ କୁହାଯାଇଥିଲା ଯେ ସିନେମା ହଲକୁ ବାହାରୁ ଖାଦ୍ୟ ସାମଗ୍ରୀ ନେବାକୁ ଅନୁମତି ଦିଆଯାଉ | ଏହାପରେ ହାଇକୋର୍ଟ ବାହାରୁ ଖାଦ୍ୟ ନେଇ ଯାଇହେବ ବୋଲି ରାୟ ଦେଇଥିଲେ | ତେବେ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା | ଏହାପରେ ସୁପ୍ରିମକୋର୍ଟ ରାୟ ଦେଇ କହିଛନ୍ତି ଯେ ହଲରେ ଛୋଟ ପିଲାମାନଙ୍କ ପାଇଁ ମାଗଣା ପାନୀୟ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କେଉଁ ସିନେମା ଦେଖିବା ପାଇଁ କେଉଁ ଥିଏଟରକୁ ଯିବା ଦର୍ଶକଙ୍କ ଅଧିକାର ଏବଂ ଇଚ୍ଛା ଉପରେ ଯେଭଳି ନିର୍ଭର କରେ ଠିକ ସେହିଭଳି ହଲ୍ ମ୍ୟାନେଜମେଣ୍ଟର ମଧ୍ୟ ସେଠାରେ ନିୟମ କରିବାର ଅଧିକାର ରହିଛି।