ହାଇକୋର୍ଟଙ୍କ ରାୟ ପଢ଼ିବା ପରେ ସୁପ୍ରିମକୋର୍ଟ ବିଚାରପତି କହିଲେ- ମୁଣ୍ଡରେ ବ୍ୟଥାନାଶକ ଔଷଧ ଲଗାଇବାକୁ ପଡ଼ିଲା !

ନୂଆଦିଲ୍ଲୀ: ହାଇକୋର୍ଟଙ୍କ ରାୟ ପଢି ମୁଣ୍ଡରେ ବ୍ୟଥାନାଶକ ଔଷଧ ଲଗାଇଲେ ସୁପ୍ରିମକୋର୍ଟ ବିଚାରପତି | ସେଣ୍ଟ୍ରାଲ ଗଭର୍ନମେଣ୍ଟ ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲ(ସିଜିଆଇଟି) ର ଏକ ମାମଲାକୁ ନେଇ ହିମାଚଳ ପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ ବହୁ ସମୟ ଯାଏଁ ପଢିବା ପରେ ବି ହିମାଚଳପ୍ରଦେଶ ହାଇକୋର୍ଟ କଣ କହିବାକୁ ଚାଁହୁଛନ୍ତି,ତାହା ବୁଝାପଡିଲା ନାହିଁ | ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ,’କଣ ରାୟ ଦିଆଯାଇଛି ! ମୁଁ ଦଶଟା ବାଜି ଦଶ ମିନିଟରେ ପଢିବା ଆରମ୍ଭ କରିଥିଲି ଆଉ ୧୦ଟା ୫୫ ଯାଏଁ ପଢ଼ିଥିଲି | ହେଲେ କିଛି ବୁଝିପାରିନଥିଲି | ରାୟ ସରଳ ଭାବେ ଲେଖାଯିବା ଉଚିତ, ଯାହାକି ଜଣେ ସାଧାରଣ ଲୋକ ମଧ୍ୟ ବୁଝିପାରିବ ‘|

ସେହିପରି ଜଷ୍ଟିସ ଏମ.ଆର ସାହା ମଧ୍ୟ ହାଇକୋର୍ଟଙ୍କ ରାୟର କପି ପଢିଥିଲେ | ସେ କିଛି ବି ବୁଝିପାରିଲେ ନାହିଁ | ସେ କହିଛନ୍ତି ଯେ,’ ଏତେ ଲମ୍ବା ଲମ୍ବା ବାକ୍ୟ ସଂରଚନା କରାଯାଇଛି ଯେ କେଉଁଠାରେ ଆରମ୍ଭ ଓ କେଉଁଠାରେ ଶେଷ ହୋଇଛି ଜଣାପଡିଲା ନାହିଁ | ଏହି ରାୟଟି ପଢିବାବେଳେ ମତେ ନିଜର ଜ୍ଞାନ ଉପରେ ମଧ୍ୟ ସନ୍ଦେହ ହୋଇଥିଲା | ହାଇକୋର୍ଟଙ୍କ ରାୟର ଶେଷ ଯାଏଁ ପଢିବା ପରେ ମୁଣ୍ଡରେ ଟାଇଗର ବାମ(ବ୍ୟଥାନାଶକ ଔଷଧ) ଲଗାଇବାକୁ ପଡିଲା’ |

ବାସ୍ତବରେ ଏହି ମାମଲାଟି ଜଣେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଯାଚିକା ଉପରେ ଆଧାରିତ ଥିଲା | ଯେଉଁଥିରେ ହାଇକୋର୍ଟ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲର ଆଦେଶକୁ କାୟମ କରିଥିଲେ | ସିଜିଆଇଟି ଜଣେ କର୍ମଚାରୀଙ୍କୁ ଦଣ୍ଡିତ କରିଥିଲେ | ଆଉ ଦଣ୍ଡିତ କର୍ମଚାରୀ ଜଣକ ହିମାଚଳ ପ୍ରଦେଶ ହାଇକୋର୍ଟରେ ଅପିଲ କରିବା ପରେ ବି ସେଠାରୁ ନିରାଶ ହେବା ପରେ ସୁପ୍ରିମକୋର୍ଟକୁ ଯାଇଥିଲେ |

ସମ୍ବନ୍ଧିତ ଖବର