ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସବୁବେଳେ ରାଜନୈତିକ ଯୁଦ୍ଧ ଚାଲିପାରିବ ନାହିଁ । ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କୁ କଠୋର ପଦକ୍ଷେପ ନେବାକୁ ପଡ଼ିବ। ଯଦି ଏହା କରା ନ ଯାଏ ତେବେ ଆମକୁ ବୁଲଡୋଜର ଆରମ୍ଭ କରିବାକୁ ପଡିବ | ଜଷ୍ଟିସ କୌଲ କହିଛନ୍ତି ଯେ ଯଦି କୋର୍ଟର ବୁଲଡୋଜର ଆରମ୍ଭ ହୁଏ, ତେବେ ଏହା ୧୫ ଦିନ ପୂର୍ବରୁ ବନ୍ଦ ହେବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ସମସ୍ତ ରାଜନୈତିକ ଦଳ ଦୀପାବଳି ପୂର୍ବରୁ ବୈଠକ କରିବା ଉଚିତ୍ ଏବଂ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଜଷ୍ଟିସ ଏସ.କେ କୌଲ କହିଛନ୍ତି ଯେ ସମସ୍ତ ଲୋକଙ୍କର ସ୍ଵଛବାୟୁ ନିଶ୍ୱାସ ନେବା ଅଧିକାର ରହିଛି ଏବଂ ଏହାକୁ ଯୋଗାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ରାଜ୍ୟ ଏବଂ କେନ୍ଦ୍ର ସରକାର ପରସ୍ପରକୁ ଦାୟୀ କରିବାରେ ବ୍ୟସ୍ତ ଅଛନ୍ତି। ପଞ୍ଜାବ ସରକାରଙ୍କୁ ତାଗିଦ୍ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଏକ ରାଜନୈତିକ ଯୁଦ୍ଧ କ୍ଷେତ୍ର ନୁହେଁ।
ରାଜନୀତିର ଦୋଷ ଦେବା ଖେଳ ବନ୍ଦ କର ଏବଂ ଏକାଠି ବସି ପ୍ରଦୂଷଣକୁ ରୋକିବା ପାଇଁ ଆଲୋଚନା କର । ପ୍ରଦୂଷଣ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଧ୍ୟ ଅଡ-ଇଭିନ(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା ସମ୍ପର୍କରେ କଡା ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ଏହା ଏକ ଅବୈଜ୍ଞାନିକ ଫର୍ମୁଲା | ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜଧାନୀର ଅନେକ ସ୍ଥାନରେ ଅଳିଆ ଜଳିବାର ଖବର ରହିଛି। ତାହାକୁ ରୋକିବା ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି? ସେହିପରି ସୁପ୍ରିମକୋର୍ଟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନକୁ କୁଟା ପୋଡି ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ ରେ ହେବ। ବାସ୍ତବରେ ଗତକାଲି ବଢୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ଦିଲ୍ଲୀରେ ଦୀପାବଳି ପରଦିନଠାରୁ ଯୁଗ୍ମ ଅଯୁଗ୍ମ ନିୟମ ଲାଗୁ ହେବ ବୋଲି ରାଜ୍ୟ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଥିଲେ |